Latest Odisha News

ଅସହାୟ ଓ ଅଭାବୀ ଲୋକଙ୍କ ସେବାରେ ‘ଆସ୍ଥା ଆଲୋକ’ 

କଟକ: ସମାଜର ଅସହାୟ ଓ ଅଭାବୀ ଲୋକଙ୍କୁ ସେବା ମିଳିବ । ଲୋକଙ୍କର ସେବା କରିବା ଉଦ୍ଦେଶ୍ୟରେ ‘ଆସ୍ଥା ଆଲୋକ’ ନାମରେ ଏକ ରେଜିଷ୍ଟ୍ରୀଭୁକ୍ତ ନ୍ୟାସ ଗଠନ କରାଯାଇଛି ।

କେନ୍ଦ୍ର ରିଜର୍ଭ ପୁଲିସ ବାହାନୀର ପୂର୍ବତନ ମହାନିର୍ଦେଶକ ଶ୍ରୀ ପ୍ରକାଶ ମିଶ୍ର ଓ ଓଡ଼ିଶା ଘରୋଇ ଯାନ୍ତ୍ରୀକ ମହାବିଦ୍ୟାଳୟ ସଂଘର ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରୀ ଦାଶ ଏହାର ଯଥାକ୍ରମେ ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ ଅଛନ୍ତି । ଓଡ଼ିଶା ଲୋକସେବା ଆୟୋଗର ପୂର୍ବତନ ଅଧ୍ଯକ୍ଷ ଶ୍ରୀ ସତ୍ୟକାମ ମିଶ୍ର ଏହି ନ୍ୟାସର ସମ୍ପାଦକ ଅଛନ୍ତି । ଏମାନଙ୍କ ବ୍ୟତୀତ ଡାକ୍ତର ମୃଣ୍ମୟ କୁମାର ମହାନ୍ତି କୋଷାଧ୍ୟକ୍ଷ , ଚାଟାର୍ଡ ଆକାଉଟାଣ୍ଟ ଶ୍ରୀ ନିରଞ୍ଜନ ଅଗ୍ରୱ୍ୟାଲ ଓ କଟକ କ୍ଳବର ପୂର୍ବତନ ସଂପାଦକ ଶ୍ରୀ ଯଶୋବନ୍ତ ଦାସ ଏହାର ସଭ୍ୟ ।

‘ ଅସ୍ଥା ଆଲୋକ ‘ ପ୍ରଥମେ ମୁମ୍ଵାଇ ସ୍ଥିତ ରୋଟି ବ୍ୟାଙ୍କ ଫାଉଣ୍ଡେସନ ସହାୟତାରେ କଟକରେ ଏକ ରୋଟି ବ୍ୟାଙ୍କ ପ୍ରତିଷ୍ଠା କରି ଅସହାୟଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛି । ଚଳିତ ମାସ ତିନି ତାରିଖରୁ ଆଚାର୍ଯ ହରିହର କ୍ୟାନ୍ସର ପ୍ରତିଷ୍ଠାନରେ ଚିକିତ୍ସାରତ ରୋଗୀମାନଙ୍କର ସହାୟତା କରୁଥିବା ସେମାନଙ୍କର ସଂପର୍କୀୟମାନଙ୍କୁ ରାତ୍ରୀ ଭୋଜନ ଦେବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମ ସମୟ କ୍ରମେ କଟକସ୍ଥିତ ଅନ୍ୟାନ୍ୟ ଡାକ୍ତରଖାନାକୁ ସଂପ୍ରସାରିତ ହେବ ।
ଏହି ନ୍ୟାସ ଆଗାମୀ ଦିନରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗ୍ରହଣ କରିବ । ବିଶେଷ କରି ଖାଦ୍ୟ ବ୍ୟତୀତ ବସ୍ତ୍ର, ଔଷଧ ପ୍ରଭୃତି ଅତ୍ୟାବଶ୍ୟକୀୟ ଦ୍ରବ୍ୟ
ବଣ୍ଟନ ସହିତ ସମାଜର ଅବହେଳିତ ବର୍ଗର ପିଲାମାନଙ୍କର ଶିକ୍ଷାଲାଭ ପାଇଁ ସହାୟତା ପ୍ରଦାନ କରିବ । କ୍ଷୁଦ୍ରଶିଳ୍ପ ଓ କୃଷିକ୍ଷେତ୍ରରେ ଦକ୍ଷତା ହାସଲ ପାଇଁ  ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିବା ସହିତ ମହିଳା ବିକାଶ ଓ କର୍ମନିଯୁକ୍ତି ସୃଷ୍ଟି ଦିଗରେ କାର୍ଯ୍ୟ କରିବ ।
ସାମାଜିକ ବିଜ୍ଞାନ, ପରିବେଶ ବିଜ୍ଞାନ, ଅର୍ଥନୀତି, କଳା, ସଂସ୍କୃତି ଓ ଧର୍ମକ୍ଷେତ୍ରରେ ଗବେଷଣା   ତଥା  ଐତିହାସିକ କୀର୍ତ୍ତୀ ଓ ମନ୍ଦିର ସଂପର୍କରେ ତଥ୍ୟାବଳୀ ଓ ସୂଚନା ସଂଗ୍ରହ କରିବା ଦିଗରେ କାର୍ଯ୍ୟ କରିବ ।
ନ୍ୟାସର ଏହି ମହତ କାର୍ଯ୍ୟରେ ସମସ୍ତେ ସହଯୋଗ କରିବାପାଇଁ ନ୍ୟାସର ଉଦ୍ୟକ୍ତାମାନେ ଅନୁରୋଧ କରିଛନ୍ତି ।
Leave A Reply

Your email address will not be published.