Latest Odisha News

BREAKING NEWS

ଭଦ୍ରକରେ ଅନାଥ ଶିଶୁର ସହାୟ ହେଲେ ଆମେରିକୀୟ ଦମ୍ପତି

ଭଦ୍ରକ : ଦୀର୍ଘ ୬ ବର୍ଷ ତଳର କଥା ଆଜି ମନେପଡୁଛି । ସେଦିନ ଥିଲା ୧୮ ଫେବୃଆରୀ ୨୦୧୨ ମସିହା । ମଶାଣି ନିକଟସ୍ଥ ବସଷ୍ଟାଣ୍ଡର ଅଳିଆ ଗଦାରେ ସଦ୍ୟଜାତ ଶିଶୁଟିଏ କୁଆଁ କୁଆଁ କାନ୍ଦୁଛି । ବୁଲା ଡ଼ାହାଳ କୁକୁରଟିଏ ସେଇ ଜୀବନ୍ତ ଶିଶୁଟିର କୋମଳ ହାତଟିକୁ ଖଣ୍ଡିଆ ଖାବରା କରି ଖାଇବାରେ ଲାଗିଛି ।

ଶିଶୁଟି ଅକଥନୀୟ ଯନ୍ତ୍ରଣାରେ ଛଟପଟ ହୋଇ ଆର୍ତ୍ତନାଦ କରୁଥିବା ବେଳେ ସେଇବାଟେ ଯାଉଥିବା ସହୃଦୟ ବ୍ୟକ୍ତିଙ୍କ ନଜରରେ ଏହି ଭୟାନକ ଦୃଶ୍ୟର ଦୃଷ୍ଟି ପଡ଼େ । ଆଉ ଡ଼େରି ନ’କରି ଶିଶୁଟିକୁ ଆଖପାଖ ଲୋକଙ୍କ ସହାୟତାରେ ଉଦ୍ଧାର କଲେ ସେଇ ସହୃଦୟ ବ୍ୟକ୍ତି ତଥା ଯୁବ ସାମ୍ବାଦିକ ଶାନ୍ତନୁ ପଣ୍ଡା । କୁକୁର ମୁହଁର ପ୍ରାଣ ବଞ୍ଚି ଯାଇଥିଲେ ବି ହାତଟି ହରାଇଥିଲା କଅଁଳ ନବଜାତ ଶିଶୁକନ୍ୟାଟି । ଖୁବ ଯତ୍ନର ସହିତ ଝିଅଟିକୁ ଚାରଘରିଆର ଚାଇଲ୍ଡ କେୟାର ସେଣ୍ଟର୍ ‘ବାତ୍ସଲ୍ୟ’ରେ ରଖାଯାଇଥିଲା । ତା’ ନାଆଁ ରଖିଥିଲେ ଅପରାଜିତା ।

ଆଜିକୁ ଠିକ୍ ୬ ବର୍ଷ ପରେ କୁକୁର ମୁହଁରୁ ବଞ୍ଚି ଯାଇଥିବା ସେହି ଅପରାଜିତା ହାତ ହରେଇଥିଲେ ବି ପାଠ ପଢିବା ଆରମ୍ଭ କରିଥିଲା । ତା’ର ମା ବାପା କେହି ନଥିଲେ ବି ‘ବାତ୍ସଲ୍ୟ’ ଅନୁଷ୍ଠାନର ମମତାର ଡ଼ୋରୀରେ ବାନ୍ଧି ହୋଇଯାଇଥିଲା । ସେହି ଅନୁଷ୍ଠାନରେ ରହିଥିବା ଅନେକ ଅନାଥ ଶିଶୁଙ୍କୁ କେହି କେହି କୋଳେଇ ନେଉଥିଲେ ବି ଦିବ୍ୟାଙ୍ଗ ଶିଶୁ ଅପରାଜିତାକୁ କୋଳେଇ ନେବାକୁ କେହି ସାହସ କରିପାରୁନଥିଲେ । କିନ୍ତୁ ଦଇବ ବିଧାନ କେ କରିବ ଆନ । ଆଜି କିନ୍ତୁ ତାକୁ କୋଳେଇ ନେଇଛନ୍ତି ଦରିଆ ପାରି ତଥା ସୁଦୂର ଆମେରୀକାର ଏକ ହୃଦୟବାନ ଦମ୍ପତ୍ତି । ସେହି ଦମ୍ପତି ଅପରାଜିତାକୁ ନିଜ ଝିଅ କରିନେଇଗଲେ ଆମେରିକା ।

ତିନିମାସ ପୂର୍ବରୁ ଏହି ଆମେରିକୀୟ ଦମ୍ପତି ଭଦ୍ରକ ଆସି ଅପରାଜିତାକୁ ନେବାକୁ ମନସ୍ଥ କରିଥିଲେ । କିନ୍ତୁ ସବୁ ପ୍ରକାର ଆଇନଗତ ପ୍ରକ୍ରିୟା ସମାପ୍ତ ହେବାକୁ ଦୀର୍ଘ ୩ମାସ ଲାଗି ଯାଇଥିଲା । ତେବେ ଏହି ପରୋପକାରୀ ଦମ୍ପତ୍ତିି ଭଦ୍ରକ ଆସି ଅପରାଜିତାକୁ ନେଇ ଯାଇଛନ୍ତି ଆମେରିକା । ଏହି ପ୍ରତିଷ୍ଠିତ ଆମେରିକୀୟଙ୍କ ଝିଅ ହୋଇ ପାଳିତ ହେବ ଅପରାଜିତା ଆମେରିକାରେ ।

ଭଦ୍ରକ ସହର ନିକଟସ୍ଥ ଚାରଘରିଆ ଚାଇଲ୍ଡ କେୟାର କେନ୍ଦ୍ର ‘ବାତ୍ସଲ୍ୟ’ ଆସି ଆମେରିକାର ଦମ୍ପତି ମେରିଡ଼େତ୍ କାୟୋ ସ୍କୋଡ଼ା ଏବଂ ମାଥ୍ ସ୍କୋଡ଼ା ଆଇନତଃ ପୋଷ୍ୟ ସନ୍ତାନ ଭାବେ ଅପରାଜିତାକୁ କୋଳେଇ ନେଇଛନ୍ତି ।

 

ଅପରାଜିତାକୁ ଆମେରିକା ଦମ୍ପତିଙ୍କୁ କୋଳେଇ ଦେଲାବେଳେ ‘ବାତ୍ସଲ୍ୟ’ ଅନୁଷ୍ଠାନର ଅନ୍ତେବାସୀ ତଥା ସମାଜସେବୀମାନେ ନିଜର କୋହ ସମ୍ବରଣ କରିପାରିନଥିଲେ । ଏହି ଆମେରିକୀୟ ଦମ୍ପତ୍ତି କହିଛନ୍ତି, “ଆମେ ପୂର୍ବରୁ ଦୁଇଟି ପୁତ୍ର ସନ୍ତାନଙ୍କର ପିତାମାତା, କିନ୍ତୁ ଆମେ ଗୋଟିଏ ଝିଅଟିଏ ଚାହୁଁଥିଲୁ । ଆଜି ଆମର ଅସମ୍ପୂର୍ଣ୍ଣ ପରିବାର ସମ୍ପୂର୍ଣ୍ଣ ହୋଇଗଲା” । ପ୍ରକୃତରେ ସମାଜରେ ଆଜି ମଧ୍ୟ କିଛି କିଛି ଭଲ ଲୋକ ଅଛନ୍ତି । ସେମାନଙ୍କ ସହାୟତାରେ ଅନେକ ଅଦ୍ଭୁତ କାର୍ଯ୍ୟ ମଧ୍ୟ ହୋଇପାରୁଛି ।

Leave A Reply

Your email address will not be published.