Latest Odisha News

ଅଭିଷେକ, ମାଧୁରୀ ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ-ଦ -ଇୟର ପୁରସ୍କାର

ଭୁବନେଶ୍ୱର: ୨୦୨୧-୨୨ ସିଜିନ୍‍ ପାଇଁ  ଅଭିଷେକ ରାଉତ ଏବଂ ମାଧୁରୀ ମେହେଟ୍ଟା ପାଇବେ ସହିଦ ସ୍ପୋର୍ଟିଂ-ମାରୁତି ଇଷ୍ଟେଟ କ୍ରିକେଟର ଅଫ୍‍ ଦ ଇୟର ପୁରସ୍କାର ।  ଅଭିଷେକ ୨୯ତମ ପୁରୁଷ କ୍ରିକେଟର ଏବଂ ମାଧୁରୀ ୮ମ ମହିଳା କ୍ରିକେଟ ଅଫ୍‍-ଦ-ଇୟର ପୁରସ୍କାର ହାସଲ କରିବେ । ରଣଜୀ ଟ୍ରଫି ସହ ଅନ୍ୟ ଦୁଇ  ଫର୍ମାଟରେ  ଅଭିଷେକ୪୮୯ ରନ୍‍, ୧୮ଟି ଉଇକେଟ୍‍ ଦାଖଲ କରିଥିଲେ। ମାଧୁରୀ ଏକ ଦିବସୀୟ ଏବଂ ଟି୨୦ରେ ମୋଟ୍‍ ୪୫୪ ରନ୍‍ ସ୍କୋର କରି ଓଡ଼ିଶା ମହିଳା ଦଳର ଟପ୍‍ ସ୍କୋରର ବନିଥିଲେ । ଏହି ଦୁଇ ମନୋନୀତ କ୍ରିକେଟ ପ୍ରତିଭାଙ୍କୁ ପୁରସ୍କାର ଆକାରରେ ୩୧ହଜାର ଟଙ୍କାର ଚେକ୍‍, ପ୍ରଶସ୍ତି ପତ୍ର ଏବଂ ଟ୍ରଫି  ପ୍ରଦାନ ହେବ ବୋଲି ସହିଦ ସ୍ପୋର୍ଟିଂ କ୍ଲବର ସଂପାଦକ ପଙ୍କଜ ପଟ୍ଟନାୟକ ପ୍ରକାଶ କରିଛନ୍ତି । କ୍ରୀଡ଼ା ସାମ୍ବାଦିକ ସୁଶାନ୍ତ ମହାନ୍ତି, ସୁରେଶ ସ୍ୱାଇଁ, ସମୀକ୍ଷା ପଟ୍ଟନାୟକ, ତପନ ସ୍ୱାଇଁ, ନିରଞ୍ଜନ ରେଡ୍ଡି, ଉମାକାନ୍ତ ମିଶ୍ର, ସଂବିତ୍‍ ମହାପାତ୍ର, ମାରୁତି ଇଷ୍ଟେଟର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ, ସହିଦ ସ୍ପୋର୍ଟିଂର କୋଷାଧ୍ୟକ୍ଷ ନିକୁଞ୍ଜ ମହାନ୍ତି ଏବଂ ସଂପାଦକ ପଙ୍କଜ ପଟ୍ଟନାୟକଙ୍କୁ ନେଇ ଗଠିତ ଚୟନ ସମିତି ଏହି ଦୁଇ ଖେଳାଳିଙ୍କୁ ମନୋନୀତ କରିଥିଲେ । ଅଭିଷେକ ପ୍ରଥମ ଥର ପାଇଁ ଏହି ସମ୍ମାନଜକ ପୁରସ୍କାର ପାଇବାକୁ ଯାଉଥିବା ବେଳେ ମାଧୁରୀ ଏହା ଦ୍ୱିତୀୟବାର ପାଇବାକୁ ଯାଉଛନ୍ତି ।  ଏହି ଏକମାତ୍ର ବାର୍ଷିକ କ୍ରିକେଟ ପୁରସ୍କାର ୧୯୯୨-୯୩ ସିଜିନ୍‍ରୁ ଆରମ୍ଭ ହୋଇଥିଲା ।

ଦେବାଶିଷ ମହାନ୍ତି(୫ ଥର), ପ୍ରଭଂଜନ ମଲ୍ଲିକ(୩), ବସନ୍ତ ମହାନ୍ତି(୩), ରଂଜୀବ ବିଶ୍ୱାଳ, ପି.ଜୟଚନ୍ଦ୍ର, ରଶ୍ମିରଂଜନ ପରିଡା, ପ୍ରଶାନ୍ତ ମହାପାତ୍ର, ଶିବସୁନ୍ଦର ଦାସ, ସଂଜୟ ଶତପଥୀ, ବି.ବି.ସି.ସି ମହାପାତ୍ର, ଦୀପକ ମଙ୍ଗରାଜ, ଧୀରକ ସିଂହ, ବିପ୍ଲବ ସାମନ୍ତରାୟ, ନଟରାଜ ବେହେରା, ଦୀପକ ବେହେରା, ଗୋବିନ୍ଦ ପୋଦ୍ଦାର, ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର ,ରାଜେଶ ମହାନ୍ତି, ଦେବାଶିଷ ସାମନ୍ତ ରାୟ ଏହି ପୁରସ୍କାର ପାଇଛନ୍ତି ।

୨୦୧୩- ୧୪ରୁ ପ୍ରଥମ କରି ମହିଳା କ୍ରିକେଟର ଅଫ ଦି ଇୟର ପୁରସ୍କାର ପ୍ରଦାନ କରାଯିବାର ଧାରା ଆରମ୍ଭ ହୋଇଥିଲା । ଏହାକୁ ମାଧୁରୀ ମେହେଟ୍ଟା ପାଇଥିଲେ । ପରେ ସ୍ୱାଗତିକା ରଥ, ମଧୁସ୍ମିତା ବେହେରା, କାଦମ୍ବିନୀ ମହାକୁଡ଼, ସୁଶ୍ରୀ ଦିବ୍ୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ସୁଶ୍ରୀ ଦିବ୍ୟ ଦର୍ଶନୀ ଏହି ପୁରସ୍କାର ପାଇଛନ୍ତି । ।

Leave A Reply

Your email address will not be published.