Latest Odisha News

BREAKING NEWS

ସନେଟ : ଅଷ୍ଟପ୍ରହରୀ

କାମଦେବ ମହାରଣା

ଲିଭିଗଲା ନିଆଁ ଧମକାଏ ଧୁଆଁ ଦାନ୍ତ କାଢ଼ି ଆସେ ରାତି
ବିଞ୍ଚିଗଲା ଜହ୍ନ ବାଉଁଶ ବାରିରେ କେମିତି ସହିବ ଛାତି
ଧୂଳି ହୋଇ ଉଡେ ସପନ ସବୁ ହେ ସ୍ମୃତି ହୋଇଯାଏ ମେଘ
ଭୟ ମାଡ଼ିଯାଏ ଜୁଆର ପରାୟେ ପତ୍ର ବି ଛାଇ ବାଘ।

ନିଆଁ ହୋଇ ଜଳେ ଜୀବନ ଏଇଠି ପାଉଁଶ ପାଲଟେ ପ୍ରେମ
କଙ୍କାଳ ବାଏ ହାଡ଼ର ବଇଁଶୀ ଖପୁରୀ ବି ଛମଛମ
ଦାଣ୍ଡେ ନାଚୁଥିବା କୁମାର କହ୍ନେଇ କାନ୍ଧେ ଯଉବନ ବୋଝ
ନିରିମାଖି ରାଇ ନିଆଁରେ ପହଁରେ ଇଡିଦେଇ ସାରା ଲାଜ।

ନଈରେ ନାଛୁଛି ଶିକାରୀ ଶୋଷ ହେ କଳସୀରେ ନାହିଁ ଜାଗା
ଜୀବନ ଦାଣ୍ଡରେ ଭିକମାଗି ବୁଲେ ଗୋପପୁର ହତଭାଗା
ଶବ୍ଦ ତାଳ ଆଜି ଭଙ୍ଗା ମୁରୁଦଙ୍ଗ ପେଟରେ ସାଇତା ସ୍ମୃତି
ମଣିଷ ମନରେ ସରାଗ ନାହିଁ ହେ ଚରିଯାଏ ଅମାରାତି।

ଯେତିକି ସଞ୍ଚିଛୁ ସ୍ମୃତି ବାଇମନ ସେତିକି ତୋହର ଧନ ।।
ଛାଇକୁ ପଚାରେ ରାଇର କଥା ହେ ପୁରି ଉଠିବ ତୋ ମନ।।

ଯାନ୍ତ୍ରିକ ବିଭାଗ
ପୂର୍ବତଟ ରେଳପଥ
ପୁରୀ – ୨
୯୬୫୮୦୨୬୬୧୨

Leave A Reply

Your email address will not be published.