Latest Odisha News

BREAKING NEWS

ଓଡ଼ିଶାରେ କମୁଛନ୍ତି କଲରାପତରିଆ, ୪ ବର୍ଷରେ କମିଛନ୍ତି ୧୯୨

ଭୁବନେଶ୍ୱର: ଓଡ଼ିଶାରେ ହ୍ରାସ ପାଉଛି କଲରାପତରିଆ ବାଘଙ୍କ ସଂଖ୍ୟା । ଚିନ୍ତା ବଢ଼ାଇଲା ଏନଟିସିଏ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣର ରିପୋର୍ଟ । ୨୦୧୮ ତୁଳନାରେ ୨୦୨୨ରେ ଗତ ଚାରି ବର୍ଷ ଭିତରେ କଲରାପତରିଆଙ୍କ ସଂଖ୍ୟା କମିଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ୨୦୧୮ ରିପୋର୍ଟ ମୁତାବକ, ଓଡ଼ିଶାରେ ୭୬୦ କଲରାପତରିଆ ଥିବାବେଳେ, ୨୦୨୨ରେ ଏହି ସଂଖ୍ୟା ୫୬୮କୁ ହ୍ରାସ ପାଇଛି । ତେବେ ୧୯୨ କଲରାପତରିଆ ଏ ଭିତରେ ଉଭାନ ହୋଇ ଯାଇଛନ୍ତି ।

ଏଥିରୁ ଅନୁମେୟ ଯେ, ଓଡ଼ିଶାରେ ଅସୁରକ୍ଷିତ କଲରାପତରିଆ ବାଘ । କାରଣ, ରାଜ୍ୟରେ ଦିନ କୁ ଦିନ ବାଘ ଶିକାର ଅନିୟନ୍ତ୍ରିତ ଭାବେ ବଢ଼ି ଚାଲିଛି । ଘନ ଘନ ବାଘ ଛାଲ ଜବତ ବି ଏକଥାକୁ ପ୍ରମାଣିତ କରୁଛି । ଅନ୍ୟପଟେ ସାରା ଦେଶରେ କିନ୍ତୁ କଲରାପତରିଆ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ଏନଟିସିଏର ଷ୍ଟାଟସ ଅଫ୍‌ ଲିଓପାର୍ଡସ ଇନ୍‌ ଇଣ୍ଡିଆ ଦେଶବ୍ୟାପୀ କଲରାପତରିଆ ବାଘ ସଂଖ୍ୟା ନେଇ ସର୍ଭେ କରି ରିପୋର୍ଟ ଦେଇଛି । ଏହି ସର୍ଭେ ଭାରତର ୨୦ଟି ରାଜ୍ୟକୁ ନେଇ କରାଯାଇଥିଲା । ୨୦୧୮ରେ ଭାରତରେ ୧୨ ହଜାର ୮୫୨ କଲରାପତରିଆ ରହିଥିବା ବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧୩ ହଜାର ୮୪୭ରେ ପହଞ୍ଚିଥିଲା ।

ଦେଶରେ ସର୍ବାଧିକ କଲରାପତରିଆ ବାଘ ମଧ୍ୟପ୍ରଦେଶରେ ଅଛନ୍ତି । ସେଠାରେ ୩ ହଜାର ୯୦୭ଟି କଲରାପତରିଆ ରହିଛନ୍ତି । ଏହାପରେ ମହାରାଷ୍ଟ୍ରରେ ୧ ହଜାର ୯୮୫, କର୍ଣ୍ଣାଟକରେ ୧ ହଜାର ୮୭୯ ଏବଂ ତାମିଲନାଡୁରେ ୧ ହଜାର ୭୦ଟି କଲରାପତରିଆ ରହିଛନ୍ତି । ଛତିଶଗଡରେ ୭୨୨, ରାଜସ୍ଥାନରେ ୭୨୧, ଉତ୍ତରାଖଣ୍ଡରେ ୬୫୨, କେରଳରେ ୫୭୦, ଆନ୍ଧ୍ରପ୍ରଦେଶରେ ୫୬୯, ଉତ୍ତରପ୍ରଦେଶରେ ୩୭୧, ତେଲଙ୍ଗାନାରେ ୨୯୭, ଉତ୍ତର ବଙ୍ଗଳାରେ ୨୩୩, ବିହାରରେ ୮୬, ଓଡ଼ିଶାରେ ସାତକୋଶିଆ ଏବଂ ଶିମିଳିପାଳ ରେ ୮୦, ଗୋଆରେ ୭୭, ଆସାମରେ ୭୪, ଝାଡଖଣ୍ଡରେ ୫୧, ଅରୁଣାଚଳ ପ୍ରଦେଶରେ ସର୍ବନମ୍ନ ୪୨ଟି କଲରାପତରିଆ ବାଘ ରହିଛନ୍ତି । ତେବେ ମିଜୋରାମ ଓ ନାଗାଲାଣ୍ଡରେ କଲରାପତରିଆ ନଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି ।

 

Leave A Reply

Your email address will not be published.