Latest Odisha News

BREAKING NEWS

ବିଧାନସଭାରେ ଉଠିଲା ପାରଳା ଏସିଏଫ୍ ସୌମ୍ୟଙ୍କ ରହସ୍ୟଜନକ ମୃତ୍ୟୁ ପ୍ରସଙ୍ଗ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ 55 ଦିନ ବିତିଲାଣି । ତଥାପି ମୃତ୍ୟୁ ରହସ୍ୟ ଉପରୁ ହଟିନି ପରଦା । ଆଜି ଏହି ପ୍ରସଙ୍ଗ ବିଧାନସଭାରେ ଉଠିଛି । ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କହିଛନ୍ତି, ଗଜପତି ଏକ ଶାନ୍ତିପ୍ରିୟ ଜିଲ୍ଲା । ଏବେ ଜିଲ୍ଲା ଉଠୁଛି ପଡୁଛି । ଏସିଏଫଙ୍କ ମୃତ୍ୟୁ ପରେ ଡିଏଫଓ, ଏସିଏଫଙ୍କ ପତ୍ନୀ ଓ ତାଙ୍କ ରୋଷେୟା ନାଁରେ ଏତଲା ହୋଇଥିଲା ।

ଗଜପତି ପୋଲିସ ମାସେ ଓ କ୍ରାଇମବ୍ରାଞ୍ଚ 15 ଦିନ ହେବ ତଦନ୍ତ କରୁଥିଲେ ବି ଏହାର କୌଣସି ଦିଗ ବହାରିପାରୁନି । ପୋଲିସ ଓ କ୍ରାଇମବ୍ରାଞ୍ଚ ଏତଲାରେ ନାଁ ଥିବା ତିନି ଜଣଙ୍କୁ ପୋଲିସ ଷ୍ଟେସନ ନ ଡାକି ତାଙ୍କ ଘରେ କାହିଁକି ଜେରା କରୁଛି ବୋଲି କହିଛନ୍ତି କେ. ନାରାୟଣ ରାଓ ।

ସେ କହିଛନ୍ତି, ବର୍ତ୍ତମାନ ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଛି । ରକ୍ତ ଚନ୍ଦନ କାଠ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ମାଡ୍ରାସ, ଆନ୍ଧ୍ରପ୍ରଦେଶ ଓ ହାଇଦ୍ରାବାଦକୁ କାଠ ସବୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି ।

ଯେତେବେଳେ ଜଙ୍ଗଲରୁ ଛୋଟ ଜିନିଷଟି ଚୋରି ହେଉଛି ଲୋକଙ୍କ ଉପରେ ଅତ୍ୟାଚାର କରା ହେଉଛି । ମାତ୍ର ରକ୍ତ ଚନ୍ଦନ କାଠ ଚୋରି ହେଉଛି ତାହା କଣ ଡିଏଫଓ ଜାଣିପାରୁ ନାହାନ୍ତି । ଏଘଟଣାରୁ ଲାଗୁଛି ସରକାର ଡିଏଫଓଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ବିଧାୟକ । ଡିଏଫଓଙ୍କୁ କାହିଁକି ବଦଳି କରାଯାଉନି ପ୍ରଶ୍ନ କରିଛନ୍ତି । ସ୍ଥାନୀୟ ଲୋକେ ତାତିଲେଣି । ସତ କଣ ସାମ୍ନାକୁ ଆସୁ ବୋଲି ଦାବି କରିଛନ୍ତି ବିଧାୟକ କେ. ନାରାୟଣ ରାଓ ।

Leave A Reply

Your email address will not be published.