Latest Odisha News

BREAKING NEWS

ପୁସ୍ତକ ପରିଚୟ : ରାଗ ବିଦ୍ରୋହ

ରାଗ ବିଦ୍ରୋହ
କବି : ରାମକୃଷ୍ଣ
ପ୍ରକାଶକ : ସମନ୍ମୟ
ବାଲୁଗାଁ , ଖୋର୍ଦ୍ଧା-୩୦
ପୃଷ୍ଠା : ୧୦୮
ମୂଲ୍ୟ : ୧୦୦

କବିତାର ଭାବକୁ ବିଭିନ୍ନ ରାଗରେ ପରିବେଷଣ କରୁଥିବା କବି ରାମକୃଷ୍ଣଙ୍କର ବାଉନଟି କବିତାକୁ ନେଇ କବିତା ସଙ୍କଳନ ‘ ରାଗ ବିଦ୍ରୋହ ‘ ଏକ ସ୍ୱତନ୍ତ୍ର ସୃଷ୍ଟି । ପ୍ରତିଟି କବିତା ତାର ଭାବ , ଭାଷା , ସହ ବିଦ୍ରୋହର ଅନେକ ପ୍ରଶ୍ନ ଯଥା ପ୍ରତିବାଦ , କ୍ଷୋଭ , ଅଭିମାନ , ଅସହାୟତା , ବ୍ୟଙ୍ଗ , କଟାକ୍ଷ  ପ୍ରଭୃତିକୁ ନେଇ ନିଜସ୍ୱ ଧାରାରେ ସମୃଦ୍ଧ । କବି ତାଙ୍କ କବିତା ମାଧ୍ୟମରେ  ପ୍ରତିବିମ୍ବ ରେ ଦଙ୍ଗା ଓ ଦୁର୍ଘଟଣା ଦେଖିଛନ୍ତି । ଅନ୍ଧ ଦେଶର ଧୂର୍ତ୍ତ ଶୃଗାଳ ଉପଖ୍ୟାନରେ ପ୍ରତାରିତ ଜୀବନକୁ ମରୀଚିକାର ମୋହରେ ସମର୍ପି ଦେଇ ମରୁଭୂମିକୁ ସୁଫଳା ହେବାର ଦୃଶ୍ୟରେ ନିଜକୁ ନିୟୋଜିତ କରିଛନ୍ତି । କବିଙ୍କ ଭାଷାରେ :

ହଜାରେ ଦିନରେ ମରୁଭୂମିକୁ ସୁଫଳା କରିଦେବି
ଅଧିକାର ଦିଅ ମତେ
ଏମିତି ପ୍ରତିଶ୍ରୁତି ଦିଏ ଧୂର୍ତ୍ତ ଶୃଗାଳ
ନିଜର ଅଶ୍ଳୀଳ ଇଚ୍ଛାକୁ
ଆବୃତ କରି ସଫେଦ ହସରେ

ଆରଣ୍ୟକ କବିତାରେ କବି ଗୋଟିଏ କ୍ଷତ ବିକ୍ଷତ ଆତ୍ମାର କବର ଭିତରୁ ଯୁଦ୍ଧର ଧାରା ବିବରଣୀ ପ୍ରଚାର କରିବା କଥା କହିଛନ୍ତି ଯେଉଁଠି ଶାମୁକା ଓ ବଂଶୀ ଭିତରେ ଜଣେ ବୋମାଟିଏ ଖୋଜୁଥାଏ ସେଇଠି କାହାକୁ ବା ବିଶ୍ୱାସ କରାଯାଇପାରେ ? କଲକବଜାର କଳରୋଳ ଧାନ କ୍ଷେତକୁ ମାଡ଼ିଗଲେ ହୃଦୟରେ ହିଁ ସ୍ୱପ୍ନର ଫସଲ ସଢ଼ିଗଲା ପରି ହୁଏ । ଧାରୁଆ କୁରାଢ଼ିର ଚୋଟରେ ଗଛର ଗଣ୍ଡି ଧରାଶାୟୀ ହୁଏ । ଗୁଡ଼ାଏ ଅବ୍ୟବସ୍ଥା ଭିତରେ କବି ନିଜକୁ ଅସହାୟ ଅବସ୍ଥାରେ ପାଏ। ଆଉ ସେତେବେଳେ ତା ମନରେ ବିଦ୍ରୋହର ଶିଖା ତେଜିଆନ ହୁଏ । ଅନ୍ୟ ଉପାୟ ନପାଇ କାନ୍ଦ, କୁହାଟ ଓ କଳହରୁ ମୁହଁ ଫେରାଇ ନେଇ କେଉଁ ଏକ ଆଦିମ ଯନ୍ତ୍ରଣାରେ ଛଟପଟ ହୁଏ ମନ । କାହାର ଫେରିଆ ଡାକ ମଧ୍ୟ ତାକୁ ଆଉ ଫେରାଇ ପାରେ ନାହିଁ । ଗୋଲାପୀ ଫୁଲର ପାଖୁଡ଼ାରେ ଦେଖାଯାଏ ଧୂସର ପାଉଁଶ ରକ୍ତର ଅନ୍ଧ ଲାଳସା ଏତେ ପ୍ରଖର ହୋଇଯାଏ ଯେ ମେଘ, ଜହ୍ନ, ଫୁଲସବୁ ରଙ୍ଗହୀନ ଲାଗନ୍ତି । କବିଙ୍କ ଭାଷାରେ :

ରକ୍ତର ଅନ୍ଧ ଲାଳସା ଏବେ ପ୍ରଖର
ଆଙ୍କିବା ଅସମ୍ଭବ ଏବେ
ଇନ୍ଦ୍ରଧନୁ ଧୂସର ଦିଗନ୍ତରେ
ଅସମ୍ଭବ ପସରା ମେଲିବା
ମେଘ ଜହ୍ନ ଫୁଲ ଓ ପ୍ରଜାପତିର

ଯେଉଁଠି ନାୟକ ନିଜେ ମାନସିକ ବିକାରଗସ୍ତ , ନ୍ୟାୟ ଯେଉଁଠି ଛୁରୀ, ଲାଠି ଓ ବନ୍ଧୁକ ହୁଏ ଈଶ୍ୱର ସେଇଠି ମୁକ ବଧିର ପ୍ରତୀତ ହୁଅନ୍ତି । ଢେର ଦିନ ଯାଏଁ ଭୋକରେ ଶୋଷରେ ରହିଲା ପରେ, ମାଟିର ମହକ ଆଉ ଜଣାପଡ଼େ ନାହିଁ । ଜୀବନ ଅର୍ଥଶୂନ୍ୟ ହୋଇଯାଏ । ଶବ୍ଦର ଅଣଚାଶ ପବନ ବି ମୁଠାଏ ନଃଶ୍ୱାସ ଦେଇପାରେ ନାହିଁ । ତରଳି ଯାଇଥିବା ସବୁତକ ପ୍ରତ୍ୟୟରେ, ଆତ୍ମୀୟ କିଏ ବି ଜାଣିପାରେ ନାହିଁ । ବାସ ହାତମୁଠାରେ ମୋଡା ମକଚା ମାନଚିତ୍ରଟିଏ ଥାଏ । ସେତେବବେଳକୁ ସୁଖସବୁ ଆପେ ଆପେ ନିଆଁର ଧାସରେ ପୋଡ଼ି ହେଉଥାନ୍ତି । ରକ୍ତଧୁଆ ଲେଲିହାନ ଶିଖା ଭିତରୁ ଚିତ୍କାର ଶୁଭୁଥାଏ ଆତ୍ମାର ।

ଚକ୍ରବ୍ୟୁହ , ଦୁଃସ୍ବପ୍ନ , ମାୟାମୃଗ , ଆତ୍ମମେଧ, ଭୋକ, ଯୁଦ୍ଧ ନିଶ୍ଚିତ , ନପୁଂସକ , ବିସ୍ଥାପିତ ଆଦି ଅନେକ କବିତାରୁ କବିଙ୍କର ବିଦ୍ରୋହର ରାଗ ଖୁବ ଶାଣିତ ମନେହୁଏ । ବାସ୍ତବରେ ଏହା କେବଳ ଏକ କବିତା ସଙ୍କଳନ ନୁହେଁ, ସମାଜର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଏକ ଆହ୍ୱାନ, ଏକ ବିପ୍ଲବର, ବହ୍ନିଶିଖା, ଏକ ଆମନ୍ତ୍ରଣ । କବି ରାମକୃଷ୍ଣଙ୍କର ରାଗ ବିଦ୍ରୋହ କବିତା ସଙ୍କଳନଟି ବିପୁଳ ପାଠକୀୟ ଆଦୃତି ସହ ସମାଜର ଗତାନୁଗତିକ ଧାରାରେ ପରିବର୍ତ୍ତନ ଆଣିବ ଏଥିରେ କୌଣସି ସନ୍ଦେହ ନାହିଁ ।

Leave A Reply

Your email address will not be published.