Latest Odisha News

BREAKING NEWS

ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ

ଭୁବନେଶ୍ୱର: କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ ହୋଇଛନ୍ତି । ଗୁରୁବାର କିଟ୍‍ ପରିସରରେ ଅନୁଷ୍ଠିତ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନ୍‍ସିପ ୨୦୧୯ର ଉଦ୍‍ଯାପନୀ ଉତ୍ସବରେ ଯୋଗଦେଇ ଫେଡେରେସନ୍‍ର ମହାସଚିବ ରାମଅବତାର ସିଂହ ଝାକର ଘୋଷଣା କରିଛନ୍ତି ।

ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନେବା ପରେ ଏଥିପାଇଁ ଶ୍ରୀ ସାମନ୍ତଙ୍କୁ ଅନୁରୋଧ କରିଥିଲେ । ଏଥିରେ ଶ୍ରୀ ସାମନ୍ତଙ୍କ ସମ୍ମତି ପରେ ତାଙ୍କୁ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ଘୋଷଣା କରାଯାଇଛି । କ୍ରୀଡ଼ା କ୍ଷେତ୍ରରେ ଶ୍ରୀ ସାମନ୍ତଙ୍କ ଉଲ୍ଲେଖନୀୟ ଅବଦାନ ଓ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନକୁ ଦୃଷ୍ଟିରେ ରଖି ଫେଡେରେସନ୍‍ ତାଙ୍କୁ ମୁଖ୍ୟ ପୃଷ୍ଠପୋଷକ ଭାବେ ମନୋନୀତ କରିଛନ୍ତି ।

ଶ୍ରୀ ସାମନ୍ତଙ୍କ ପୃଷ୍ଠପୋଷକତାରେ ଭାରତୀୟ ଭଲିବଲ୍‍ ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ନୂତନ କୀର୍ତ୍ତିମାନ ସ୍ଥାପନ କରିବ ବୋଲି ଶ୍ରୀ ଝାକର କହିଥିଲେ । ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ବିକାଶ ନିମନ୍ତେ ଫେଡେରେସନ୍‍ ପକ୍ଷରୁ ଯେଉଁ ସବୁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେସବୁ ପାଇଁ ଶ୍ରୀ ସାମନ୍ତଙ୍କ ପରାମର୍ଶ ଗ୍ରହଣ କରାଯିବ । ଏହା ବ୍ୟତୀତ ଭଲିବଲ୍‍ର ବିକାଶ ନିମନ୍ତେ ଶ୍ରୀ ସାମନ୍ତ ଯେଉଁ ସବୁ ପରାମର୍ଶ ଦେବେ ତାହାକୁ ଫେଡେରେସନ୍‍ ପକ୍ଷରୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ଝାକର କହିଥିଲେ ।

ଏଥିରେ ଖୁସି ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଲେ, ତାଙ୍କୁ ଭାରତୀୟ ଭଲିବଲ୍‍ ଫେଡେରେସନ୍‍ର ମୁଖ୍ୟ ପୃଷ୍ଠପୋଷକ ମନୋନୀତ କରାଯାଇଥିବାରୁ ଭଲିବଲ୍‍ ଫେଡେରେସନ୍‍କୁ ଧନ୍ୟବାଦ ଦେବା ସହ ଭାରତୀୟ ଦଳ ଅଲିମ୍ପିକ୍‍ରେ କିଭଳି ସଫଳତା ହାସଲ କରିବ ସେ ଦିଗରେ ଚେଷ୍ଟା କରିବେ ।

Leave A Reply

Your email address will not be published.