ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମେଘନାଦ ପାଚେରୀରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ଖାଲି ସେତିକି ନୁହଁ ଏଏସଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭଙ୍ଗାଜିବାରୁ ଏହି ଘଟଣାରେ ଏଏସଆଇ ମଧ୍ୟ କ୍ଷୋଭ ପ୍ରକାଶ କରିଛି । ଶ୍ରୀମନ୍ଦିର ଭିତରେ ନାଳ ମରାମତି ହେଉଥିବା ବେଳେ ଏକ ବଡ଼ ପାଇପ ସାହାଯ୍ୟରେ ବର୍ଜ୍ୟଜଳକୁ ନିଷ୍କାସିତ କରିବା ପାଇଁ ଦକ୍ଷିଣ ଦ୍ୱାରରେ ସଂଯୋଗୀକରଣ କରାଯାଇଛି । ଶ୍ରୀମନ୍ଦିର ୱାର୍କସ ଡିପାର୍ଟମେଣ୍ଟ ପକ୍ଷରୁ ଶ୍ରୀମନ୍ଦିର ନାଳ ମରାମତି ଜାରି ରହିଥିବା ବେଳେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ତେବେ ଏହି ମଗରମୁଣ୍ଡ ଟି କୁ ଜାଣିଶୁଣି ଭଙ୍ଗାଯାଇଛି କି କାମ ବେଳେ ଭାଙ୍ଗିଯାଇଛି ତାହା ସ୍ପଷ୍ଟ କରାଯାଇ ନାହିଁ । ଶ୍ରୀମନ୍ଦିର ପ୍ରଶାସନର ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି ।
ଏହି ଘଟଣାରେ, ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି, ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ୱ ମେଘନାଦ ପାଚେରୀରେ ଥିବା ଏକ ମଗରମୁଣ୍ଡ ଭଙ୍ଗାଯାଇଥିବା ନେଇ ଖବର ମିଳିଛି । ମେଘନାଦ ପାଚେରୀରେ ଏକ ପାଇପ୍ ଲାଇନ ନିଆଯାଇଛି । ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
Comments are closed.