Latest Odisha News

ଟ୍ରେନ ଦୁର୍ଘଟଣା: ସହାୟତା ନୁହେଁ, ସ୍ଥାୟୀ ସହାୟତା ପାଣ୍ଠି ଉପରେ ସୋନୁ ସୁଦ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ: ବାହାନାଗା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାକୁ ନେଇ ବଲିଉଡ଼ ଅଭିନେତା ସୋନୁ ସୁଦ ଦୁଃଖ ପ୍ରକାଶ କରିଛନ୍ତି । ମୃତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପ୍ରାର୍ଥନା କରିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନା କରିଛନ୍ତି । ଏଭଳି ଦୁଃଖ ସମୟରେ ରାଜନୈତିକ ଦଳଗୁଡ଼ିକ ପରସ୍ପର ଆରୋପ ପ୍ରତ୍ୟାରୋପ ନ କରନ୍ତୁ ବୋଲି କ୍ଷୋଭର ସହ କହିଛନ୍ତି ସୋନୁ ।

ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ସୋନୁ କହିଛନ୍ତି ଯେ, ଶୁକ୍ରବାର ଓଡିଶା ପାଇଁ ଏକ ଯନ୍ତ୍ରଣାଦାୟକ ଦିନ । ଆଖିପିଛୁଳାକେ ଯେଭଳି ଭୟାନକ ଦୁର୍ଘଟଣା ଘଟିଗଲା ସେଥିପାଇଁ ସମଗ୍ର ଦେଶ ଶୋକରେ ଅଛିି । କିନ୍ତୁ ରାଜନୈତିକ ଦଳର ଲୋକମାନେ ସମ୍ବେଦନା ଆଳରେ ପରସ୍ପରର ଗୋଡ ଟାଣିବା ରାଜନୀତି ଆରମ୍ଭ କରି ଦେଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ । କୌଣସି ଘଟଣା ଘଟିଲେ ଆମେ ଶୋକ କରିବା ସହ ତାହାପରେ ଆମ ନୀତିଦିନିଆ ଜୀବନରେ ବ୍ୟସ୍ତ ରହିଯାଉ ।

ଏହି ଦୁର୍ଘଟଣା ଆମକୁ ମନେ ପକାଇ ଦେଉଛି ଯେ, ଯେଉଁମାନେ ଘର ପରିବାର ଚଳାଇବା ପାଇଁ ରୋଜଗାର କରିବାକୁ ବାହାରକୁ ଯାଉଥିଲେ, ସେମାନଙ୍କ ପରିବାର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା । ମୁଁ ଭାବି ପାରୁନାହିଁ ଯେ, ସେମାନେ ପୁଣି କେବେ ଠିଆ ହେବାକୁ ସମର୍ଥ ହୋଇପାରିବେ । ଲୋକମାନେ କ୍ଷତିପୂରଣ ପାଇବେ ସତ, କିନ୍ତୁ ତାହା କିଛି ମାସ ମଧ୍ୟରେ ଶେଷ ହୋଇଯିବ । ଆଉ ତାହା ପରେ ସେମାନଙ୍କ ଜୀବନରେ କେବଳ ଅନ୍ଧକାର ଛାଇ ହୋଇଯିବ । ତାଛଡ଼ା ଯେଉଁମାନଙ୍କର ଗୋଡ ଭାଙ୍ଗି ଯାଇଛି କିମ୍ବା ଶରୀରର କୌଣସି ଅଙ୍ଗ ନଷ୍ଟ ହୋଇଯାଇଛି, ସେମାନେ ପୁନର୍ବାର କାମକୁ ଯାଇପାରିବେ ତ ? ବୋଲି ପ୍ରଶ୍ନ କରିଛନ୍ତି ସୋନୁ ।

ସୋନୁ ସୁଦ ଆହୁରି କହିଛନ୍ତି ଯେ, ମୁଁ ଭାବୁଛି ସରକାରଙ୍କ ପକ୍ଷରୁ ହେଉଥିବା ସମସ୍ତ ଉଦ୍ୟମ ପ୍ରଶଂସନୀୟ । ପ୍ରଶାସନ ଭଲ କାମ କରୁଛି । କିନ୍ତୁ ଏତେ ବଡ ଦୁର୍ଘଟଣାରେ ଆହତ ହୋଇଥିବା ପରିବାରକୁ ସାରା ଜୀବନ କିଛି ପରିମାଣର ଟଙ୍କା ମିଳିବା ଉଚିତ୍ । କାରଣ ଯାହା କ୍ଷତିପୂରଣ ମିଳିବ ତାହା ଅଧିକ ଦିନ ରହିବ ନାହିଁ । ସେଥିପାଇଁ କେବଳ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରି କିଛି ମାନେ ନାହିଁ । ବରଂ ସେହି ଲୋକଙ୍କ ପାଇଁ ଏକ ରିଲିଫ୍ ପାଣ୍ଠି ରହିବା ଦରକାର,ଯାହା ଆମ ସମସ୍ତ ଛୋଟ ଛୋଟ ସହଯୋଗରେ ସମ୍ଭବ ହୋଇପାରିବ । ଏ ବିଷୟରେ ଗୁରୁତର ସହ ଆମେ ସମସ୍ତେ ଭାବିବା ଉଚିତ୍ ବୋଲି ସୋନୁ କହିଛନ୍ତି ।

 

Leave A Reply

Your email address will not be published.