Latest Odisha News

BREAKING NEWS

ରେଡ୍ ଆଲର୍ଟ ଭିତରେ ଲୋକଙ୍କ ସୁରକ୍ଷା ପାଇଁ ତତ୍ପର ପ୍ରଶାସନ: ତିନୋଟି ରେଞ୍ଜରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ରାତିରେ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳ ଅତିକ୍ରମ କରିବାକୁ ଯାଉଛି। ଏହି ସମୟରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ବହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆଗାମୀ ଦୁଇ ଦିନ ପାଇଁ ରାଜ୍ୟରେ ‘ରେଡ୍ ଆଲର୍ଟ’ ଜାରି କରାଯାଇଥିବା ବେଳେ, ଏହି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଶେଷ କରି ଲୋକଙ୍କ ଧନଜୀବନ ସୁରକ୍ଷିତ ରଖିବା ନିମନ୍ତେ ରାଜ୍ୟ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ସଜାଗ ହୋଇ ଉଠିଛି ।

ଲଗାଣ ବର୍ଷା ଏବଂ ଝଡ଼ପବନ ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଅଗ୍ନିଶମ ସେବା ପକ୍ଷରୁ ତିନୋଟି ପ୍ରମୁଖ ରେଞ୍ଜରେ ମୋଟ ୩୮୧ଟି ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦ୍ରାଞ୍ଚଳ (ସେଣ୍ଟ୍ରାଲ୍ ରେଞ୍ଜ) ରେ ସର୍ବାଧିକ ୧୪୭ଟି ଟିମ୍‌କୁ ଆଗୁଆ ପ୍ରସ୍ତୁତ ରଖାଯାଇଛି । ସେହିପରି ଉତ୍ତରାଞ୍ଚଳ ରେଞ୍ଜରେ ୧୨୫ଟି ଏବଂ ଅବପାତ ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଦକ୍ଷିଣାଞ୍ଚଳ ରେଞ୍ଜରେ ୧୦୯ଟି ଅଗ୍ନିଶମ ଟିମ୍‌କୁ ଆଲର୍ଟ ମୋଡ୍‌ରେ ରଖାଯାଇଛି । ପ୍ରତ୍ୟେକ ଟିମ୍‌ରେ ଦକ୍ଷ ଉଦ୍ଧାରକାରୀ ଯବାନଙ୍କ ସମେତ ପାୱାର କଟର୍, ହାଇ-କାପାସିଟି ପମ୍ପ୍ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ଉଦ୍ଧାରକାରୀ ଯନ୍ତ୍ରପାତି ମହଜୁଦ୍ ରହିଛି ।

ଇତିମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଲଗାଣ ବର୍ଷା ସହ ପବନର ପ୍ରକୋପ ଆରମ୍ଭ ହୋଇଯାଇଥିବାରୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅଗ୍ନିଶମ ବାହିନୀ ନିଜର ଅପରେସନ୍ ଆରମ୍ଭ କରିଦେଇଛନ୍ତି । ପ୍ରବଳ ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତାଘାଟ ଅବରୋଧ ହୋଇଥିବା ଖବର ମିଳିଛି। ଯୋଗାଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ରାସ୍ତା ସଫା କରୁଛନ୍ତି ।

ଏହାବ୍ୟତୀତ ସହରାଞ୍ଚଳ ଓ ତଳିଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା କିମ୍ବା ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଘର ଭିତରେ ପାଣି ପଶିଯାଇଥିବାରୁ, ବିଭିନ୍ନ ସ୍ଥାନରେ ଅଗ୍ନିଶମ ବିଭାଗର ଶକ୍ତିଶାଳୀ ପମ୍ପ୍ ମେସିନ୍ ସାହାଯ୍ୟରେ ତ୍ୱରିତ ଜଳ ନିଷ୍କାସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ।

ବିପଦ ସମୟରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ବିଭାଗୀୟ ଉଚ୍ଚାଧିକାରୀ କହିଛନ୍ତି। କୌଣସି ବି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ସାଧାରଣ ଲୋକଙ୍କୁ ଆତଙ୍କିତ ନହୋଇ ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ଅତି ଜରୁରୀ ନଥିଲେ ବାହାରକୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.