Latest Odisha News

BREAKING NEWS

ସବୁଠି ଅସନ୍ତୋଷ! ବିଜେଡି ପ୍ରାର୍ଥୀ ରୀତା, ଲତିକାଙ୍କ ପରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଘେରିଲେ ଲୋକେ

ଭୁବନେଶ୍ୱର: ବଢୁଛି କି ଶାସକ ଦଳ ବିରୋଧରେ ଜନତାଙ୍କ ଆକ୍ରୋଶ? ଦିନ କେଇଟା ଭିତରେ ବିଜେଡିର ପ୍ରମୁଖ ନେତାଙ୍କୁ ପ୍ରଚାର ବେଳେ ଲୋକେ ଘେରି ପ୍ରଶ୍ନ କରିବା ଏବେ ଚିନ୍ତାର ବିଷୟ ପାଲଟିଛି। ଯଦିଓ ଶାସକ ଦଳର ତୁଙ୍ଗ ନେତା ରେକର୍ଡ ମାର୍ଜିନରେ ବିଜୟୀ ହେବେ ବୋଲି ଦମ୍ବୋକ୍ତି ପ୍ରକାଶ କରୁଛନ୍ତି କିନ୍ତୁ ଗ୍ରାଉଣ୍ଡ ଜିରୋରେ ଲୋକେ ଯେମିତି ନେତାଙ୍କୁ ଘେରି ପ୍ରଶ୍ନ କରୁଛନ୍ତି ତାହା ଅଲଗା କିଛି ଇସାରା କରିବା ଆରମ୍ଭ କରିଛି।

ଭାଇରାଲ ହୋଇଥିବା ଏକ ଭିଡିଓରେ ରେଢେଖୋଲର ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ଗୋଟିଏ ଚେୟାରରେ ବସିଛନ୍ତି। ଏବଂ କିଛି ଲୋକ ଉପସ୍ଥିତ ରହି ପଚାରୁଛନ୍ତି, ଆପଣ ଦୁର୍ଘଟଣାର ଶିକାର ହେଲେ ଏବଂ ଏୟାରଲିଫ୍ଟ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଲେ। ଏବେ ସୁସ୍ଥ ହୋଇଛନ୍ତି। ଆପଣ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଥିଲେ କିନ୍ତୁ ସାଧାରଣ ଲୋକଙ୍କ ପାଇଁ କ’ଣ କରିଛନ୍ତି ଖାସ କରି ରେଢାଖୋଲବାସୀଙ୍କ ପାଇଁ? ଆପଣ ଯଦି ରେଢାଖୋଲରେ ଭଲ ସ୍ବାସ୍ଥ୍ଯବସ୍ଥା କରିଥାନ୍ତେ ତାହାଲେ ଏଠାରେ ଚିକିତ୍ସିତ ହୋଇପାରିଥାନ୍ତେ। ଆପଣ ସିନା ଭୁବନେଶ୍ୱର ଏୟାରଲିଫ୍ଟ ହୋଇଗଲେ କିନ୍ତୁ ଏଠିକାର ସାଧାରଣ ଲୋକ? ଭାଇରାଲ ଭିଡିଓଟି ରେଢାଖୋଲ ଅଞ୍ଚଳର ବୋଲି ଜଣାପଡୁଛି। କିନ୍ତୁ କେଉଁ ସ୍ଥାନର ଏହା ସ୍ପଷ୍ଟ ହୋଇନାହିଁ।

ସେହିପରି ମନ୍ତ୍ରୀ ତଥା ବିଜେପୁର ବିଧାନସଭା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କୁ ନିର୍ବାଚନ ପ୍ରଚାର ସମୟରେ ସ୍ଥାନୀୟ ଲୋକେ କ’ଣ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି ବୋଲି ପ୍ରଶ୍ନ କରିବାରୁ ତାଙ୍କୁ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ସାଣ୍ଡଡିବାହାଲ ଗ୍ରାମରେ ରୀତା ସାହୁ ନିର୍ବାଚନ ପ୍ରଚାର କରୁଥିବା ବେଳେ ଏଭଳି ଏକ ଘଟଣା ଘଟିଛି।

ଏହି ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ରହୁନଥିବା ନେଇ ଅନେକ ସ୍ଥାନୀୟ ଲୋକ ରୀତାଙ୍କୁ ପଚରାଉଚରା କରିଥିବା ଅଭିଯୋଗ ହୋଇଛି। ହେଲେ ସେ ଜନସାଧାରଣଙ୍କୁ କୌଣସି ପ୍ରକାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରେ ରୀତାଙ୍କ ସମର୍ଥକମାନେ ତାଙ୍କୁ ଅଟକାଇ ଦେଇଥିଲେ ଏବଂ ଜନସାଧାରଣଙ୍କୁ ଆଉ ପ୍ରଶ୍ନ କରିବାକୁ ଦେଇନଥିଲେ।

ସେହିପରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଶାସକ ଦଳର ବିଧାୟକ ପ୍ରାର୍ଥୀ ଲତିକା ପ୍ରଧାନଙ୍କୁ କିଛି ପ୍ରଶ୍ନ ପଚାରିଥିବା ଜଣେ ମହିଳାଙ୍କ ସହ ବିଜେଡି କର୍ମୀମାନେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ବେଗୁନିଆପଡ଼ା ପଞ୍ଚାୟତରେ ଲତିକା ପ୍ରଧାନ ତାଙ୍କ ଦଳୀୟ କର୍ମୀଙ୍କ ସହ ପ୍ରଚାର କରୁଥିବା ବେଳେ ଏହି ଘଟଣା ଘଟିଛି।

କିଛି ମହିଳା ବିଜେଡି ନେତ୍ରୀଙ୍କ ଗାଡିକୁ ଅଟକାଇ ଘେରାଉ କରିବା ପରେ ବିକାଶକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ। ଏଭଳି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇ ବିଜେଡି ନେତାଙ୍କ ସମର୍ଥକମାନେ ଉତ୍ତ୍ୟକ୍ତ ହୋଇ ଛାୟା ବେହେରା ନାମକ ଜଣେ ମହିଳାଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ଗାଳିଗୁଲଜ କରିବା ସହ ଧକ୍କା ଦେବା ସହ ତଳେ ପଡ଼ିବା ପରେ ବିଜେଡି କର୍ମୀମାନେ ତାଙ୍କୁ ମାଡ଼ ମାରିଥିବା ଛାୟା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.