Latest Odisha News

BREAKING NEWS

ମୋଦୀ ଗରିବଙ୍କୁ ଚାଉଳ ଦେଲେ, ନବୀନ ତାଙ୍କ ଫଟୋ ଥିବା ବ୍ଯାଗ ଦେଲେ: ଶାହ

ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିବାକୁ କୌଣସି ସୁଯୋଗ ହାତଛଡ଼ା କରୁନଥିବା ବିଜେପି ଜୋରସୋରରେ ଆଜି ଷ୍ଟାର କ୍ୟାମ୍ପେନର ତଥା ଦଳର ଦ୍ବିତୀୟ ନେତା ଅମିତ ଶାହଙ୍କୁ ଆଣି ପ୍ରଚାର କରାଇଛି।

ଗଞ୍ଜାମ ଜିଲ୍ଲା ସୋରଡ଼ାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।

ଜନସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସମେତ ସମଗ୍ର ଦେଶରେ ଗରିବ ଲୋକଙ୍କୁ ମାଗଣା ଚାଉଳ ପଠାଉଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଛବି ଥିବା ବ୍ୟାଗରେ ମୋଦୀଙ୍କ ଚାଉଳ ଭର୍ତ୍ତି କରାଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି।

ସେ କହିଛନ୍ତି, ବ୍ୟାଗର କୌଣସି ଲାଭ ହେବ ନାହିଁ, ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହୁରି ଅଢ଼େଇ କେଜି ଚାଉଳ ମିଶାନ୍ତୁ, ଯାହାଦ୍ୱାରା ଏଠାରେ ଖାଲି ପେଟ ପୂରଣ ହେବ ଏବଂ ଆପଣଙ୍କୁ ଆଶୀର୍ବାଦ ମିଳିବ। ନିଜ ଅଭିଭାଷଣରେ ଶାହା କହିଛନ୍ତି ଯେ ନବୀନ ବାବୁଙ୍କ ଆଉ ଆବଶ୍ୟକତା ନାହିଁ କାରଣ ବିଜେପି ଏଠାରେ ସରକାର ଗଢ଼ିବ ଏବଂ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ।

ଓଡିଶାବାସୀ ନବୀନ ପଟ୍ଟନାୟକଙ୍କୁ ବାଛିଛନ୍ତି କିନ୍ତୁ ସେ ଏଠାରେ ସରକାର ଚଳାଉଛନ୍ତି କି ? ସରକାର ବାବୁମାନଙ୍କ ଦ୍ୱାରା ପରିଚାଳିତ ହେବା ଲଜ୍ଜାଜନକ। ନବୀନ ଯଦି ବାବୁମାନଙ୍କୁ ଦାୟିତ୍ୱ ଦେବାକୁ ଚାହୁଁଥିଲେ ଜଣେ ଓଡ଼ିଆଙ୍କୁ ଦେବା କଥା, କିନ୍ତୁ ବାହାର ଲୋକ କାହିଁକି ବୋଲି ଅମିତ ଶାହା ପ୍ରଶ୍ନ କରିଛନ୍ତି।

ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ସଂଘର୍ଷ କରିଥିଲେ। ବିଜେପି ସରକାର ଗଠନ ହେଲେ ଓଡ଼ିଆ ଭାଷା ଯେପରି ସୁରକ୍ଷିତ ରହିବ ତାହା ସୁନିଶ୍ଚିତ କରିବୁ ବୋଲି ଶାହ କହିଛନ୍ତି।

Leave A Reply

Your email address will not be published.