Latest Odisha News

ବଢ଼ୁଛି ହାତ୍ୟ ମୃତ୍ୟୁ: ଜଙ୍ଗଲରେ ଗଜରାଜ ନା ଶିକାରୀ କିଏ ସୁରକ୍ଷିତ ?

ଭୁବନେଶ୍ୱର: ପୁଣିଥରେ କଟକ ଆଠଗଡ଼ ବନଖଣ୍ଡରୁ ଆସିଛି ଅଭାବନୀୟ ଖବର । ଯେଉଁଠି ପୁଣି ଏକ ଗଜରାଜର କଙ୍କାଳ ଉଦ୍ଧାର ହୋଇଛି। ସେହିପରି ପାଖରେ ଥିବା ନରସିଂହପୁର ଜଙ୍ଗଲରେ ଗୁଳିବିଦ୍ଧ ହୋଇ ଚିକିତ୍ସିତ ହେଉଥିବା ଦନ୍ତାହାତୀର ମୃତ୍ୟୁ ଘଟିଛି। ଯାହାକୁ ନେଇ ଏବେ ଜଙ୍ଗଲରେ କିଏ ସୁରକ୍ଷିତ ଏବଂ କିଏ ଅସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକଦା ଓଡ଼ିଶାର ଗର୍ବ କୁହାଯାଉଥିବା ହାତୀ ଏବେ ରାଜ୍ୟରେ କବର ନେଉଥିବା ଦେଖିବାକୁ ମିଳିଛି। ନିକଟରେ ଅନେକ ହାତୀ ଦାନ୍ତ ଏବଂ ଅନ୍ୟାନ୍ୟ ଜଙ୍ଗଲି ଜନ୍ତୁଙ୍କର ଅଙ୍ଗତସ୍କର ଖବର ଆସିବା ପରେ ଏବେ ଜଙ୍ଗଲରେ ନିୟୋଜିତ ଥିବା ବନ ଅଧିକାରୀ ପ୍ରଶ୍ନ ଘେରରେ।

ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଶିକାରୀ ଓ ବନବିଭାଗ କର୍ମଚାରୀଙ୍କ ମଧ୍ୟରେ ଥିବା ସମ୍ପର୍କ ଏବେ ରାଜ୍ୟକୁ ହାତୀଙ୍କ ପାଇଁ ସମାଧିସ୍ଥଳରେ ପରିଣତ କରିଛି। ଓଡ଼ିଶାରେ ଆମର ଜାତୀୟ ଐତିହ୍ୟ ପଶୁପକ୍ଷୀଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁୟାୟୀ, ଗତ କିଛି ମାସ ହେବ ଆଠଗଡ଼ ବନଖଣ୍ଡରୁ ଏକାଧିକ ହାତୀଙ୍କ କଙ୍କାଳ ଉଦ୍ଧାର ହୋଇଛି। ରାଜ୍ୟରେ ହାତୀପଲଙ୍କ ଉପଦ୍ରବ ମଧ୍ୟ ବଢିବାରେ ଲାଗିଛି। ଆଠଗଡ଼ ବନଖଣ୍ଡରେ ଗତ ଫେବୃଆରୀ ମାସରୁ ଏଯାଏଁ ୬ଟି ହାତୀଙ୍କ ମୃତ୍ୟୁ ଘଟିଛି। ଗତ ଫେବୃଆରୀରେ ନରସିଂହପୁର ଜଙ୍ଗଲରୁ ଗୋଟିଏ ହାତୀର କଙ୍କାଳ ଉଦ୍ଧାର ହୋଇଥିବା ବେଳେ ଜୁନ୍ ୨ ଓ ୩ରେ ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରୁ ଆଉ ଦୁଇଟି କଙ୍କାଳ ଉଦ୍ଧାର ହୋଇଥିଲା।

ଗତ ମାସରେ ଆଠଗଡ଼ ଫରେଷ୍ଟ ଡିଭିଜନରେ ଆଉ ଏକ ହାତୀ ଅସୁସ୍ଥ ହୋଇପଡ଼ିଥିଲା। ଗତକାଲି ନରସିଂହପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ପାଞ୍ଚରୁ ଛଅ ଗୁଳି ବାଜିଥିବା ଆଉ ଏକ ଦନ୍ତାହାତୀ ଶେଷ ନିଶ୍ୱାସ ତ୍ୟାଗ କରିଛି। ତେବେ ହାତୀର ଚିକିତ୍ସାରେ ନିୟୋଜିତ ଥିବା ଓୟୁଏଟି ବିଶେଷଜ୍ଞମାନେ ଚିକିତ୍ସାରେ ବିଳମ୍ବ ଯୋଗୁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରୁଛନ୍ତି।

ସେପଟେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଦୁର୍ବଳ ପାଟ୍ରୋଲିଂ ଓ ଅବହେଳିତ ବନ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ହାତୀଙ୍କ ସଂଖ୍ୟା କମିବାରେ ଲାଗିଛି।

ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ ମହାନ୍ତି କହିଛନ୍ତି, ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା ନଥିବାରୁ ଶିକାରୀ ଓ ଅସୁସ୍ଥ ପଶୁପକ୍ଷୀଙ୍କୁ ଠିକ୍ ସମୟରେ ଚିହ୍ନଟ କରାଯାଇପାରୁନି। ଏହା ବ୍ୟତୀତ ହାତୀ ଶିକାରକୁ ରୋକିବା ପାଇଁ ଶିକାରୀ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ।

କେବଳ ଆଠଗଡ଼ ନୁହେଁ, ରାଜ୍ୟର ସବୁ ପ୍ରାନ୍ତରୁ ହାତୀ ମୃତ୍ୟୁ ଖବର ଆସୁଛି। କିଛି ହାତୀ ଦ୍ରୁତ ଗତିରେ ଯିବା ବେଳେ ଟ୍ରେନ୍ ଧକ୍କାରେ ପ୍ରାଣ ହରାଉଛନ୍ତି ତ ଆଉ କିଛି ହାତୀ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି।

୨୦୨୧-୨୨ରେ ବିଭିନ୍ନ କାରଣରୁ ଓଡ଼ିଶା ୭୪ଟି ହାତୀଙ୍କୁ ହରାଇଥିଲା। ଗତ ଅଢେଇ ମାସ ମଧ୍ୟରେ ରାଜ୍ୟରେ ଅତିକମରେ ୧୨ଟି ହାତୀଙ୍କ ମୃତ୍ୟୁ ଘଟିଛି। ୧୯୯୦-୨୦୦୦ ମଧ୍ୟରେ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ତେବେ ୨୦୦୧-୨୦୧୦ରେ ଏହି ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୬୪ରେ ପହଞ୍ଚିଥିଲା।

୨୦୧୦-୨୦୨୨ ମଧ୍ୟରେ ଅତିକମରେ ୯୪୬ଟି ହାତୀଙ୍କ ମୃତ୍ୟୁ ହୋଇଥିବାରୁ ପରିସ୍ଥିତି ତା’ପରେ ଆହୁରି ବିଗିଡ଼ି ଯାଇଥିଲା। ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଗଭୀର ଉଦବେଗ ପ୍ରକାଶ କରିବା ସହ ବନବିଭାଗ ଅଧିକାରୀଙ୍କ ବିନା ଅଜାଣତରେ ହାତୀଙ୍କୁ ମାରିବା ସମ୍ଭବ ନୁହେଁ ବୋଲି ମତବ୍ୟକ୍ତ କରିଛନ୍ତି।

ସେପଟେ ଆଠଗଡ଼ ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଜଣେ ଆହତ ଦନ୍ତାହାତୀର ମୃତ୍ୟୁକୁ ନେଇ କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପିନ୍ଦର ଯାଦବ ଶିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସରକାର ହାତୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ସାରା ରାଜ୍ୟରେ ଅବାଧରେ ହେଉଥିବା ଶିକାରୀ କାର୍ଯ୍ୟକଳାପ ହାତୀଙ୍କ ସ୍ଥାୟୀତ୍ୱ ଓ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଛି।

ରାଜ୍ୟର ବାରମ୍ବାର ହାତୀ ମୃତ୍ୟୁ ଖବର ଆସୁଥିବାରୁ ସେମାନଙ୍କର ସୁରକ୍ଷାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି ଏପରି ସ୍ଥିତି ଜାରି ରୁହେ ତାହେଲେ ଭବିଷ୍ୟତର ଜଙ୍ଗଲରୁ ଅନ୍ୟ ଜନ୍ତୁଙ୍କ ପରି ହାତୀ ବି ଯେ ଲୋପ ନପାଇବ ତାର ଗ୍ୟାରେଣ୍ଟି ଦେଇ ହେବନି।

Comments are closed.