ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ…
ଅନେକ ସମୟରେ କଥା ହେଲା ବେଳେ କି ପୁରୁଣା ଦିନର ସ୍ମୃତି ମନେ ପକେଇଲା ବେଳେ ଏଇ କଥା ବାରବାର ଉଠୁଛି । ସମସ୍ତେ- ଗାଁର ପୁରୁଣା ସ୍ମୃତିକୁ ଝୁରି ହେଉଛନ୍ତି । ଗାଁକୁ ମନେ ପକାଉଛନ୍ତି । ପିଲା ବେଳର କଥା, ପିଲା ବେଳକର ସ୍ମୃତି, ସେସବୁ ଦିନ ସେମାନଙ୍କୁ ଆନ୍ଦୋଳିତ କରୁଛି । କେତେ ଜଣଙ୍କ ଆଖି ପତା ଓଦା ହୋଇଯିବା ମୁଁ ଲକ୍ଷ୍ୟ କରିଛି । କିନ୍ତୁ- ସେମାନେ ଶେଷକୁ ଆଉ ପଦେ ଯୋଡ଼ନ୍ତି- ଗାଁ ଆଉ ଆଗ ଭଳି ନାହିଁ । ଗାଁ ନଷ୍ଟ ହୋଇଗଲାଣି । ଗାଁକୁ ଯିବାକୁ ଏଣିକି ଖରାପ ଲାଗୁଛି । ଏବେକାର ଗାଁ ଆଉ ପୁରୁଣା, ବିଗତ ଦିନର ଗାଁ ହୋଇନାହିଁ ।
ପ୍ରାୟ ପ୍ରତି ଗାଁର ସମସ୍ୟା ଇଏ । ପ୍ରତିଟି ଗାଁ ଏବେ ବେଶ କିଟିମିଟିଆ ହୋଇଯାଇଛି । ରାଜନୀତି, କୁଜି ନେତାଙ୍କ ପଶାପାଲି ଭିତରେ ଧନ୍ଦି ହୋଇଯାଇଛି ଗାଁ । ସେ ପୁରୁଣା ଦିନର ଆଦର, ସ୍ନେହ, ଭଲ ପାଇବା ସବୁ କୁଆଡ଼େ କେବେଠାରୁ ହଜି ସାରିଛି ।
କଲେଜରେ ପଢିଲା ବେଳେ ଯେତେବେଳେ ମୁଁ ଗାଁକୁ ଯାଉଥିଲି, ତା’ ଆଗରୁ ମୋ ସାଙ୍ଗ ପାଖକୁ ପୋଷ୍ଟକାର୍ଡ଼ଟେ ଲେଖୁଥିଲି । ‘ମୁଁ ଅମୁକ ଦିନ ଯାଇ ପହଞ୍ଚିବି’ । ନଈ, ଦୂର ବିଲ ସେପାଖେ ଲମ୍ବା ପାଟ ପାରି ହେଲା ପରେ ଯାଇ ଆମ ଗାଁ । ପାଖ ବସଷ୍ଟାଣ୍ଡରୁ ଆମ ଗାଁର ଦୂରତା ୧୦ କିଲୋମିଟରରୁ ଅଧିକ ହେବ । ପୁଣି ନଦୀରେ ଯଦି ବନ୍ୟା ଆସିଛି, ଥରେ ଥରେ ଡଙ୍ଗା ପାରି ହେବାକୁ ତିନି ଘଣ୍ଟାରୁ ଅଧିକ ସମୟ ଲାଗି ଯାଉଥିଲା ।
ଚିଠି ପାଇବା ପରେ ସେହି ନିର୍ଦ୍ଦିଷ୍ଟ ଦିନ ମୋ ସାଙ୍ଗ କିନ୍ତୁ ସକାଳୁ ଆସି ନଦୀ ଘାଟ ପାଖେ ଅପେକ୍ଷା କରି ବସିଥିବ । ସାଇକେଲ ନେଇ ବିଲ ପାଟ ଡେଇଁ ଆସିଥିବ । ତା’ ପାଖେ ଟଙ୍କାଟେ ବି ନଥିବ । ସତରେ ସେଇ ସମୟରେ ଟଙ୍କାଟିଏ ବି ନଥିଲା । ନଈ କୂଳେ ଗେଟେ ଗଛ ମୂଳେ ସେ ଅନେଇ ବସିଥିବ । କେତେବେଳେ ମୁଁ ପହଞ୍ଚିବି, ତାର କିଛି ଠିକ ଠିକଣା ନଥିବ । ଅପରାହଣରେ ମୁଁ ପହଞ୍ଚିଲା ବେଳକୁ ସେ ସେମିତି ଭୋକିଲା ପେଟରେ ନଈ ପାଣି ପିଇ ବସିଥିବ । ମତେ ଦେଖିଲା ପରେ କୋଟିନିଧି ହୋଇ ସାଇକେଲରେ ବସେଇ ଜୋରରେ ଚଳେଇ ନେଉଥିବ । କାରଣ, ଏକରେ- ସଂଜ ହେବା ପୂର୍ବରୁ ଗାଁରେ ପହଞ୍ଚିବୁ । ଦୁଇରେ- ଜଲଦି ପହଞ୍ଚିଲେ ଆମେ ଘରେ ଯାଇ କିଛି ଖାଇବୁ ।
ଏସବୁ ମୋବାଇଲ ଯୁଗ ପୂର୍ବର କାହାଣୀ ।
ଗାଁ ଛାଡ଼ି, କ୍ରିକେଟ ଖେଳ ସାରି ଯେବେ ମୁଁ ଫେରୁଥିଲି କଲେଜକୁ, ଗାଁର ଅଧା ଲୋକ ମତେ ଅଟକାଉ ଥିଲେ । ‘ଆଉ ଦୁଇ ଦିନ ରହି ଯାଆ । ଆଉ ଦିନେ ରହି ଯାଆ ।’ ଏମିତି ହୋଇ ପୁଣି ୧୫ ଦିନ ଅଧିକ ମୁଁ ଗାଁରେ ରହୁଥିଲି । କଲେଜ, ପାଠପଢା ଇତ୍ୟାଦିକୁ ଛାଡ଼ି । ଏବେ ତ ଗାଁକୁ ଗଲେ ଆଉ ପାଞ୍ଚ ଦିନ ରହିଲା ପରେ ସପ୍ତମ ଦିନରେ ଲୋକେ ପଚାରିବେ ଆଗ- ତୁ କେବେ ଯିବୁ କି?
ଆଉ ଯଦି ଅଧିକ ଚାରି ଦିନ ରହିଗଲେ, ତେଣିକି ପ୍ରଶ୍ନ ହେବ- ତୋର ଚାକିରି ନାହିଁ କି? ଏତେ ଦିନ କଣ ଗାଁରେ ରହୁଛୁ?
ଗାଁରୁ ହଜି ଯାଇଥିବା ଭଲ ପାଇବା ଓ ଆତ୍ମୀୟତାକୁ ଆମେ ସମସ୍ତେ ଝୁରୁଛନ୍ତି । କିନ୍ତୁ ତା’ ପଛର ଅସଲ କାରଣଟିକୁ ଆମେ ଦେଖୁ ନାହାନ୍ତି ।
ଗାଁରେ ଆଗରୁ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ପାଲା, ଦାସକାଠିଆ, ଡ୍ରାମା, କବାଡ଼ି ଖେଳ, ଭଲିବଲ୍ ଖେଳ, କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଥିଲା । ଏହା ଗାଁକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲା । ଗାଁକୁ ଏକମନ କରିଥିଲା ସେସବୁ । ଗାଁ ପିଲାଠୁ ବୁଢା ସମସ୍ତେ ଏଥିରେ ଭାଗ ନେଉଥିଲେ । ଆଉ ଏ କାର୍ଯ୍ୟକ୍ରମ ଆୟୋଜନ ପଛରେ ମୁଖ୍ୟ ଭୂମିକା ରହୁଥିଲା ଗାଁର ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ କିଛି ଲୋକଙ୍କର । ସ୍କୁଲ ଶିକ୍ଷକଙ୍କର । ସେ ସମୟରେ ଶିକ୍ଷକମାନେ ତ ନୀତି ଓ ନୈତିକତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ । ଏମାନେ ସମସ୍ତେ ମିଶି ଗାଁରେ ଚାନ୍ଦା କରି, ନିଜ ହାତରୁ ପଇସା ଦେଇ ଗାଁରେ ଅନେକ କାର୍ଯ୍ୟକ୍ରମ କରୁଥିଲେ ଓ ଗାଁରେ ବିଭେଦ ସୃଷ୍ଟି କରେଇ ଦେଉ ନଥିଲେ ।
କିନ୍ତୁ ଉଦାରୀକରଣ ପରେ ଗାଁ ଅର୍ଥନୀତିରେ ବି ପରିବର୍ତ୍ତନ ଆସିଲା । ଯୋଉ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ କି ଶିକ୍ଷକ ଗାଁରେ ରହୁଥିଲେ, ସେମାନେ ଗାଁ ଛାଡ଼ିଦେଲେ । ସେମାନେ ପାଖ ସହରକୁ ଚାଲି ଆସିଲେ । ସେଇଠି ରହି ନିଜ ପିଲା ପଢିବାର ବ୍ୟବସ୍ଥା କଲେ ଓ ପରିବାର ଇତ୍ୟାଦି କଥା ବୁଝିଲେ । ଶିକ୍ଷକ ଜଣକ ପାଖ ସହରରୁ ଗାଁକୁ ଯିବା ଆସିବା କଲେ ପଛେ, ଗାଁରେ କିନ୍ତୁ ରହିଲେ ନାହିଁ ।
ଫଳରେ ଗାଁରେ ଗୋଟେ ବିରାଟ ଶୂନ୍ୟସ୍ଥାନ ତିଆରି ହେଲା । ସେ ସ୍ଥାନକୁ ଆସ୍ତେ ଆସ୍ତେ କୁଜିନେତା, ମୂର୍ଖ, ଅପାଠୁଆ, ସ୍ୱାର୍ଥପର ଓ ବିଭେଦ ସୃଷ୍ଟିକାରୀ ଦଳ କବଜା କରି ନେଲେ । ସେମାନଙ୍କୁ ତ ଆଉ ଲୋକଙ୍କୁ ଏକାଠି କରିବାର କୌଶଳ ଜଣାନାହିଁ କି ନେତୃତ୍ୱ ନେବାର ଦକ୍ଷତା ବି ସେମାନଙ୍କ ଭିତରେ ନାହିଁ, ତେଣୁ ସେମାନେ ରାତି ଅଧିକ ଲୁଚାଛପା କାମ ସବୁ କଲେ । ଆ’ ଘରକୁ, ତା’ ଘରକୁ ଯାଇ ରାଜନୀତି ଓ ବିଭେଦର ମନ୍ତ୍ର ଫୁଙ୍କିଲେ ।
ରାଜନୀତିରେ ବି ପରେ ପରେ ବେଶି ବେଶି ପଇସା ଆସିଲା । ପଞ୍ଚାୟତକୁ ଅଧିକ ଅର୍ଥ ଆସିଲା । ତେଣୁ ଏମାନେ ସେଇ ପଇସାରେ ଲୋକଙ୍କୁ ମଦ ପିଆଇ, ନିଶାଖୋର କରି ସେମାନଙ୍କୁ ନିଜ କବଜାକୁ ଆଣିଲେ । ତେଣୁ ଗାଁ ଗାଁରେ ଏବେ ମଦର ପ୍ରାବଲ୍ୟ ଅଧିକ । ସହରଠାରୁ ଅଧିକ ଲୋକ ଗାଁରେ ମଦ ପିଉଛନ୍ତି ଓ ସବୁଦିନ ପିଉଛନ୍ତି । ଏଥିପାଇଁ ପଇସା ଏଇ ମୂର୍ଖ କୁଜିନେତା ଦଳ ହିଁ ଦେଉଛନ୍ତି ।
ପୁଣି ସେମାନଙ୍କୁ ତ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ଜଣାନାହିଁ କି ତାର ଧାର ସେମାନେ ବୁଝନ୍ତି ନାହିଁ । ତେଣୁ, ସେମାନେ ଗାଁରେ ମେଲୋଡ଼ି ଆରମ୍ଭ କଲେ । ବାଇନାଚ ଆରମ୍ଭ କଲେ । ପୁଳାଏ ଟଙ୍କା ଗାଁ ପଞ୍ଚାୟତରୁ କି ବଡ଼ ନେତାଙ୍କଠାରୁ ଆଣି ଗାଁରେ ଏଇ ଧନ୍ଦା କଲେ । ଆଉ ସେଠିକି ତାଙ୍କ ରାଜନୈତିକ ବସ୍ମାନଙ୍କୁ ଅତିଥି କରି ଡାକିଲେ । ଗାଁର ନିଶାଖୋର ମଣିଷ ଓ ପିଲା ଏହାର ଭରପୁର ଫାଇଦା ଉଠେଇଲେ । ଗାଁ ରହିଲା କେତେ, ଭାଙ୍ଗିଗଲା କେତେ ସେମାନଙ୍କର ଆଉ କିଛି ଯାଏ, ଆସେ ନାହିଁ । ବରଂ ମେଲୋଡ଼ି, ବାଇନାଚ ଓ ମଦ ଏବଂ ମଝିରେ ମଝିରେ କିଛି ଟଙ୍କା ଓ ସରକାରୀ ଯୋଜନାର ହିତାଧିକାରୀ ଭାବେ ଲାଭ ପାଇ ସେମାନେ ଖୁସିରେ ଆତ୍ମହରା ହେଲେ । ପିଲାମାନେ ପାଠଶାଠ ବି ପଢିଲେ ନାହିଁ । ଶିକ୍ଷକ ତ ସହରରୁ ଆସି କେମିତି ଫେରିବେ, ସେଇ ଚିନ୍ତାରେ ରହିଲେ, ଆଉ ପଢେଇବେ କେତେବେଳେ?
ତେଣୁ ଗାଁରେ ସାଂସ୍କୃତିକ ଓ ସାମାଜିକ ଅବକ୍ଷୟର ଏକ ଦାରୁଣ ଦୃଶ୍ୟ ଦେଖିବାକୁ ମିଳୁଛି । ଗାଁରୁ ବାହାରୁ ଥିବା ପିଲାମାନେ ଆଉ ଚରିତ୍ରବାନ ହେଉ ନାହାନ୍ତି । ବରଂ ଗୋଟାଏ ଭୟଙ୍କର ବିପତ୍ତିର ନାୟକ ସେମାନେ ସାଜୁଛନ୍ତି । ଆଉ ଗାଁ ଗୁଡ଼ିକ କ୍ରମଶଃ ରାତି ହେଲେ ମଦ, ରଜନୀତି ଓ ଦୁନିଆ ବାଜେ କାମର ଖେଳ ପଡ଼ିଆ ପାଲଟିଛି । ଏକରକମ ପଥଭ୍ରଷ୍ଟ ହୋଇ ଯାଇଛି । ଯାହାକୁ ଆମେ ଝୁରୁଛନ୍ତି, କିନ୍ତୁ ରାସ୍ତା ଦେଖାଇବାକୁ ଡରୁଛନ୍ତି । ଆମ ଭିତରେ ଆଉ ସାହାସ ନାହିଁ ।
ଇମେଲ୍: jpm.iimc@gmail.com
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Comments are closed.