Latest Odisha News

BREAKING NEWS

ଆସନ୍ତାକାଲିଠୁଁ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ୩ ଦିନଧରି ବର୍ଷା ହେବାପରେ ଆସନ୍ତାକାଲି ଠାରୁ ପୁଣିଥରେ ଶୀତ ଫେରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଯାହାଫଳରେ ଆଭ୍ୟନ୍ତରିଣ ଓଡିଶାରେ ରାତ୍ରିର ତାପମାତ୍ରା ୪-୬ ଡିଗ୍ରି ସେଲସିୟସ୍ ଓ ଉପକୂଳ ଜିଲ୍ଲାରେ ୨-୩ ଡିଗ୍ରି ହ୍ରାସ ପାଇବ ।

ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର, ମଦନ ମୋହନ ଦାସ ଏନେଇ କହିଛନ୍ତି, ଆଗାମୀ ୨ରୁ ୩ଦିନ ମଧ୍ୟରେ ରାଜ୍ୟରେ ଶୀତ ଲହରୀ ଜାରି ରହିବ । ସେ ଆହୁରି ମଧ୍ୟ କହିଛନ୍ତି “ଆଜି କିଛି ସ୍ଥାନରେ ପାରଦ ଖସିଥିବା ବେଳେ ଗତକାଲି ସନ୍ଧ୍ୟାରେ କଟକ, ଚାନ୍ଦବାଲି, କେନ୍ଦୁଝର ଓ ଭୁବନେଶ୍ୱରରେ ମଧ୍ୟ ହାଲୁକା ବର୍ଷା ହୋଇଥିଲା” ।

ଏହାବ୍ୟତିତ ସୋନପୁର, ବାଲେଶ୍ୱର, ସମ୍ବଲପୁର, ଟିଟିଲାଗଡ, ଅନୁଗୁଳ ଓ ବଲାଙ୍ଗିରରେ ମଧ୍ୟ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା ।

ଆହୁରି ମଧ୍ୟ ଡ୍ୟୁଟି ଅଫିସର ଜଣକ କହିଛନ୍ତି, ଭଦ୍ରକ, ମୟୁରଭଞ୍ଜ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ, କନ୍ଧମାଳ, କଟକ ଓ ଖୋର୍ଦ୍ଧାରେ ବର୍ଷା ହେବାଫଳରେ ଜଳବାୟୁରେ ଆଦ୍ରତା ସୃଷ୍ଟି ହୋଇଛି । ଯାହାଦ୍ୱାରା ଆଗାମୀ ଦିନରେ ଏହିସବୁ ସ୍ଥାନ ଘନ କୁହୁଡିରେ ଆଚ୍ଛାଦିତ ହେବ ।

ଏହି ଶୀତ ଲହରୀ ଆସନ୍ତା ୬ ତାରିଖ ଯାଏଁ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.