ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…
ପଞ୍ଚସ୍ତରୀ ବୟସ ତାତି ପାରୁଛି ପଚିଶ୍ ବର୍ଷ ମାତିପାରୁନି ? ସବୁ ବିପଦରୁ ବିପ୍ଲବ । ବିବାଦ ଭିତରୁ ବିପ୍ଲବ । ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ । ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ । ଆମେ ସବୁ ଯୁଗଯୁଗ ଧରି ହେଉଛେ ଉତ୍ସାହିତ । ଗାଉଛେ ବିପ୍ଲବର ଜୟଗାନ । ବିପ୍ଲବ ଦୀର୍ଘାୟୁ ହେଉ ।
ଏଇ ଭାରତରେ ଦଳଭିତିକ ରାଜନୀତି ଦେଶ ପାଇଁ ଅମଙ୍ଗଳ ହୋଇ ପଡିଛି । ଏବେ ବ୍ୟକ୍ତିତ୍ୱଭିତିକ ରାଜନୀତିର ଆବାହନ । ଗାନ୍ଧୀ, ଜୟପ୍ରକାଶ, ଆନ୍ନା ଏମାନେ ବ୍ୟକ୍ତି କୌଣସି ଦଳ ଏମାନଙ୍କୁ ବାନ୍ଧି ରଖିପାରିନି । ବରଂ ଦଳ, ସଂଗଠନମାନେ ଏମାନଙ୍କୁ ଢାଲ କରି ନିଜନିଜର ଫାଇଦା ହାସଲ କରିଛନ୍ତି ଏବେ ମଧ୍ୟ କରୁଛନ୍ତି । ଜୟପ୍ରକାଶ, ଆନ୍ନା ଜୀବନର ଶେଷପର୍ଯ୍ୟାୟ ୭୫ ବର୍ଷରେ ମଇଦାନକୁ ଓହ୍ଲାଇ ସମଗ୍ରଦେଶକୁ ଥରହର କରିଦେଲେ । ଏକମାତ୍ର ବ୍ୟତିକ୍ରମ ଗାନ୍ଧୀ, ନେତାଜୀ । ଏ ଦୁଇଜଣ ଯୌବନାବସ୍ଥାରେ ବିପ୍ଲବକୁ ଡେଇଁଥିଲେ ।
ଏମାନଙ୍କ ବ୍ୟତୀତ ବହୁ ବାମପନ୍ଥୀ, ମଧ୍ୟମପନ୍ଥୀ, ଦକ୍ଷିଣପନ୍ଥୀ ଯୌବନରେ ବିପଦ, ବିବାଦ, ବିପ୍ଲବ ଭିତରକୁ ଲମ୍ଫ ଦେଇଥିଲେ । କିନ୍ତୁ ଆଜିର ଯୁବ ସମାଜ ଶୁପ୍ତ ହେବେ କାହିଁକି ? ଏମାନଙ୍କୁ ଶୁପ୍ତ କରୁଛି କିଏ ? ଏମାନେ କେବେ ଜାଗିବେ, ମାତିବେ, ତାତିବେ, ବିପ୍ଲବର ଅଗ୍ନିକୁ ପ୍ରଜ୍ଜ୍ୱଳିତ କରିବେ ?
ସ୍ୱାଧୀନତା ବିପ୍ଲବବେଳେ ଶତ୍ରୁଥିଲା ଗୋଟିଏ । ବ୍ରିଟିଶ୍ ସାମ୍ରାଜ୍ୟବାଦୀ ଭାରତର ସବୁଲୋକ, ଦଳ, ସଂଗଠନ, ଯେଝା ଯେଝା ଉପାୟରେ ବ୍ରିଟିଶ୍ ବିରୋଧରେ ସ୍ୱାଧୀନତା ଆନ୍ଦୋଳନ ଚଳାଇଥିଲେ । ଲକ୍ଷ୍ୟ ଥିଲା ସ୍ୱାଧୀନତା । କିନ୍ତୁ ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନତା ଆପୋଷରେ ମିଳିଗଲା ପରେ ଏଇ ୭୫ ବର୍ଷ ଭିତରେ ଦେଶକୁ ବିଦେଶୀ ଓ ଦେଶୀ ଶତ୍ରୁଙ୍କ ସଂଖ୍ୟା ହଜାରଗୁଣରେ ବୃଦ୍ଧି ପାଇଛି । ଚିହ୍ନିତ ଶତ୍ରୁଙ୍କୁ ସେ ଯେତେ ବଳୀୟାନ ହେଉ ନା କାହିଁକି ମୁକାବିଲା କରିବା ସହଜ କିନ୍ତୁ ଛଦ୍ମବେଶୀ ମିତ୍ରରୂପୀ ଶତ୍ରୁ ଦେଶଦ୍ରୋହୀମାନଙ୍କୁ ଚିହ୍ନଟ କରି ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର ।
ଅଗଷ୍ଟ ୧୫… ମଶାଲ ଲିଭିଯିବା ପରେ ଘଣ୍ଟାର କଣ୍ଟା ପାଖରେ କିନ୍ତୁ ଅଣ୍ଟା ନୁଆଁଇ ଦେଇଛି ମୁକ୍ତିର ମିନିଟ୍ । ଘଣ୍ଟା କଣ୍ଟାରେ ଘାଏଲ ହୋଇଛି ସ୍ୱପ୍ନର ସେକେଣ୍ଡ୍ । ସବୁ ବିପ୍ଲବରେ, ସବୁ ବିବାଦରେ, ସବୁ ଦଳ ଓ ସଂଗଠନରେ ଦୁଇଟି ଧାରାରେ ଲୋକ
ଅଛନ୍ତି । ଦଳେ ପ୍ରଗତିଶୀଳ ଆଉ ଦଳେ ପ୍ରତିକ୍ରିୟାଶୀଳ । ଏମାନଙ୍କ ଅର୍ନ୍ତଦ୍ୱନ୍ଦ ବିପ୍ଲବକୁ ମନ୍ଥର କରିଦିଏ, ବେଳେବେଳେ ବିପ୍ଲବ ବିପର୍ଯ୍ୟୟର ସମ୍ମୁଖୀନ ହୁଏ, ବହୁ ସମୟ ବରବାଦ ହୁଏ । ଇତିହାସ କିନ୍ତୁ ନିଷ୍ଠୁର । ସେ କାହାକୁ ଛାଡେନା । ସତ୍ୟକୁ
ଯେଭଳି ଉଜ୍ଜ୍ୱଳମୟ କରେ ମିଥ୍ୟାକୁ ସେଇଭଳି କଳଙ୍କମୟ, କର୍ଦ୍ଦମାକ୍ତ କରି ଲିପିବଦ୍ଧ କରେ ।
ସ୍ୱାଧୀନତା ଆନ୍ଦୋଳନ ବେଳେ ଦୁଇଟି ଧାରା ଥିଲା , ରାଜନୈତିକ ନେତୃତ୍ୱ ହେଲା ଦୁଇଭାଗ । ଆପୋଷକାମୀ-ଆପୋଷହୀନ । ନରମପନ୍ଥୀ-ଚରମପନ୍ଥୀ । ପ୍ରଥମ ଧାରା ହେଲା ଆପୋଷରେ, ଅହିଂସାରେ , ସଂସ୍କାରପଥରେ , ଆବେଦନ ନିବେଦନ
କରି ଦରକଷାକଷି କରି, ଦରଖାସ୍ତ ଦେଇ ସ୍ୱାଧୀନତା ଅର୍ଜ୍ଜନ ।
ଅନ୍ୟଟି ହେଲା , ଭିକ୍ଷାମାଗି ସ୍ୱାଧୀନତା ଅର୍ଜ୍ଜନ କରାଯାଏନା ! ଆବେଦନ ନିବେଦନ ଆପୋଷ ରାସ୍ତାରେ ବାଟ ଚାଲି ପରାଧୀନତାର ବନ୍ଧନ ଛିନ୍ନ କରାଯାଏନା । ସଶସ୍ତ୍ର ସଂଗ୍ରାମ, ରକ୍ତାକ୍ତ ବିପ୍ଳବ ପଥରେ ସ୍ୱାଧୀନତା ଅର୍ଜନ । ନରମପନ୍ଥୀ ଗାନ୍ଧିଜୀ ଚରମପନ୍ଥୀ ସୁଭାଷଙ୍କ ମଧ୍ୟରେ ମତପାର୍ଥକ୍ୟ, ଦ୍ୱନ୍ଦ୍ୱ, ସଂଘାତ ତୀବ୍ରରୂପ ଧାରଣ କଲା ।
ସ୍ୱାଧୀନତା ସଂଗ୍ରାମର ଏହି କଳଙ୍କମୟ ଅଧ୍ୟାୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ଅକ୍ଷଶକ୍ତି ଜର୍ମାନୀ, ଇଟାଲୀ, ଜାପାନ ବିରୋଧରେ ମିତ୍ରଶକ୍ତି ସୋଭିଏତ୍ ରୁଷ, ବ୍ରିଟେନ୍, ଆମେରିକା ମଧ୍ୟରେ । ନେତାଜୀ ଏହି ଅପୂର୍ବ ସୁଯୋଗକୁ ହାତଛଡା ନ କରିବାପାଇଁ ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କୁ ଆଘାତ ଦେବା, ପୂର୍ଣ୍ଣ ସ୍ୱାଧୀନତା ପାଇଁ ଦୁର୍ବାର ଗଣ ଅଭ୍ୟୁତ୍ଥାନ ଗଢି ତୋଳିବାକୁ ଆହ୍ୱାନ ଦେଲେ । ଚଲୋ ଦିଲ୍ଲୀ । ଦିଲ୍ଲୀମାନେ ଭୂଗୋଳ ନୁହେଁ – ଇଚ୍ଛିହାସ । ଭାରତୀୟ ସଂସ୍କୃତିର ସନ୍ତକ । ଦିଲ୍ଲୀ ଦଖଲ ଅର୍ଥ ସ୍ୱାଧୀନତା ।
ସେହି ଉଦ୍ଦାମ ବଜ୍ରକଠିନ କଣ୍ଠସ୍ୱର ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କୁ ଆତଙ୍କିତ କରିଦେଲା । ଇତିହାସର ଚରମ ବିଡମ୍ବନା ! ସ୍ୱାଧୀନତା ଆନ୍ଦୋଳନର ଚାବିକାଠି ଦେଶର ପୁଞ୍ଜିପତି ଟାଟା-ବିରଳା ପ୍ରମୁଖଙ୍କ ହାତରେ ରହିଲା । ସାମ୍ରାଜ୍ୟବାଦୀ ବ୍ରିଟିଶ୍ ଖୁସି ହେଲା । ବିରଳା ଘରେ ଗାନ୍ଧିଜୀ ରହି ସ୍ୱାଧୀନତା ପରିଚାଳନା କଲେ । ସେତେବେଳେ ଓଡିଶାରୁ ଉତ୍କଳମଣି ଗୋପବନ୍ଧୁ ଦାଶ, ବଙ୍ଗଳାରୁ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ, ପଞ୍ଜାବ କେଶରୀ ଲାଲା ଲଜପତରାୟ ପ୍ରସ୍ତାବ ଦେଲେ , ସ୍ୱାଧୀନତା ଆନ୍ଦୋଳନକୁ ପରିଚାଳନା କରିବା ପାଇଁ ଭାରତର ଘରୁ ଘରୁ ଟଙ୍କାଏ ଲେଖା ଚାନ୍ଦା ଆଦାୟ ହେଉ । ଉଦ୍ଦେଶ୍ୟ ଯେଉଁମାନେ ସ୍ୱାଧୀନତାର ସ୍ୱାଦ ଚାଖିବେ ସେମାନଙ୍କର ସାହାଯ୍ୟ ସହଯୋଗ ଆବଶ୍ୟକ । କିନ୍ତୁ ଗାନ୍ଧୀଙ୍କ ଅନୁଗତମାନେ ପ୍ରତ୍ୟକ୍ଷ ଭାବେ ପ୍ରସ୍ତାବକୁ ବିରୋଧ କଲେ ।
ଟାଟା-ବିରଳାଙ୍କ ଟଙ୍କାରେ କଂଗ୍ରେସ ନେତୃତ୍ୱ ସଂଗଠନ ଆନ୍ଦୋଳନ ଚାଲିଲା । ଆଜି ସ୍ୱାଧୀନତାର ସ୍ୱାଦୁ ସେହି ପୁଞ୍ଜିପତିମାନେ ଚାଖୁଛନ୍ତି । ଭାରତର କୋଟି କୋଟି ଲୋକ ବେକାରୀ , ଅର୍ଦ୍ଧାହାର, ଅନାହାରରେ ସଢୁଛନ୍ତି । କେତେ କ’ଣ ସ୍ୱପ୍ନ ଥିଲା ଭାରତବାସୀଙ୍କର । ସ୍ୱାଧୀନତା ମିଳିବ, ରାମରାଜ୍ୟ ପ୍ରତିଷ୍ଠା ହେବ । ସମସ୍ତେ ଖାଦ୍ୟ, ବସ୍ତ୍ର, ବାସଗୃହ ଶିକ୍ଷା ସ୍ୱାସ୍ଥ୍ୟର ସମାନ ସୁଯୋଗ ପାଇବେ । କିନ୍ତୁ ବିଦେଶୀ ପୁଞ୍ଜିପତିଙ୍କ ଗୋଲାମର ଜଞ୍ଜିର ଛିଡାଇ ଆମେ ସିନା ସ୍ୱାଧୀନତା ପାଇଲେ ଏଣେ ଦେଶୀ ପୁଞ୍ଜିପତିଙ୍କ ଜାଲିଆତି ଜାଲରେ ପଡି ଛଟପଟ ହେଉଛେ ।
ଖାସ ସେଇଥିପାଇଁ ଜନନାୟକ ଜୟ ପ୍ରକାଶ ନାରାୟଣ ସମ୍ପୂର୍ଣ୍ଣ ବିପ୍ଲବର ଡାକରା ଦେଲେ । ଶାସକଦଳ ଏକ ଘରକିଆ ହେଲେ ସବୁ ବାଁ ଡାହାଣ ଦଳ ଜୟପ୍ରକାଶଙ୍କ ପଛରେ ଠିଆ ହେଲେ । ଶାସନ ବଦଳିଲା କିନ୍ତୁ ଶୋଷଣ ଦ୍ୱିଗୁଣିତ ହେଲ । ଛ’ ଦଳରୁ ବାରଦଳ ହେଲେ ।
ସ୍ୱାଧୀନତାର ବର୍ଷକ ପରେ ମହାତ୍ମାଗାନ୍ଧୀଙ୍କୁ ଗୁଳି କରାଗଲା । ନେତାଜୀଙ୍କ ଖୋଜଖବର ଏବେବି ମିଳିଲାନି । ଠିକ୍ ସେଇଭଳି ଶାସନ ବଦଳାଇଥିବା ମହାପୁରୁଷ ଜୟପ୍ରକାଶ ନାରାୟଣ ମଧ୍ୟ ରହିଲେ ନାହିଁ । ପୁଣି ଚାଲିଲା ଶୋଷଣ, କଷଣ, ଦୁର୍ନୀତି, ଅନୀତି, ବ୍ୟଭିଚାର, ଅତ୍ୟାଚାର, ଦମନ । ଜନଗଣ ଅସ୍ତବ୍ୟସ୍ତ । ସବୁଯୁଗରେ ଯୁବସମାଜ ହିଁ ବିପ୍ଲବର କାଣ୍ଡାରୀ ।
ଆଜି ସେଇ କାଣ୍ଡାରୀ ସମାଜକୁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓ ଦଳମାନେ ବୋଲକରା କରିଦେଉଛନ୍ତି ଯାହାଫଳରେ ବିପ୍ଲବର ଦେଖାଦେଇଛି ଅର୍ନ୍ତଦ୍ୱନ୍ଦ । ସବୁ ବାଦ-ବିବାଦ, ଅର୍ନ୍ତଦ୍ୱନ୍ଦକୁ ପଛରେ ପକାଇ ପରିବର୍ତନ ବିପ୍ଲବର ଆଜି ଜନଗଣଙ୍କୁ ପାନିପଥକୁ ଓହ୍ଲାଇ ଆସିବାର ବେଳ ପହଞ୍ଚି ଯାଇଛି । ପାନିପଥ ମେହନତି ମଣିଷର ମୁହାଁମୁହିଁ ମଇଦାନ୍ ଇଏ । ସଙ୍କଟ – ଶଙ୍କୁଳ । ପ୍ରତିଟି ମୋଡରେ ମୃତ୍ୟୁର ମୁଚାଲିକା, ପଦେପଦେ ବିପଦର ବିଭୀଷିକା , ବାରୁଦର ବିସ୍ଫୋରଣ, ଗୋଳୀର ଗର୍ଜ୍ଜନ, ବହ୍ନିମାନ ବିପ୍ଳବର ଆତନ୍ଦ୍ର ଆହ୍ୱାନ ।
ସଂଗ୍ରାମର ଶାଣିତ ସଂକଳ୍ପବିନା ଏଠି ପଥଯାତ୍ରୀ ହେବା ଅସମ୍ଭବ । ନିର୍ଝରିଣୀର ନୀଳ ନୂପୁର ବାଜେନା ଏ ପଥରେ ଶୁଭେନା ମଳୟର ମଦିର ମୂର୍ଚ୍ଛନା । ପ୍ରଳୟର ପ୍ରଳାପ, ଝଞ୍ଜାର ଝଣତକାର, ବତାସର ବିକ୍ଷୋଭରେ ନିତ୍ୟ ମୁଖରିତ ଏ ପାନିପଥ । ଏଠି ଶୁଣାଯାଏ ଅଗ୍ନିର ଓଁକାର, ଅଙ୍ଗୀକାରର ଇସ୍ତାହାର । ଘାଟୀରୁ ମାଟିକୁ ମୁହାଁଉଥିବା ମୁକ୍ତିକାମୀ ମଣିଷର ମାର୍ଗ ଇଏ ମଣିଷର ମୁକ୍ତିପାଇଁ ଏଠି ରକ୍ତ ଚିତା ଘେନିବାକୁ ପଡେ ତାରୁଣ୍ୟକୁ ।
ପଚମାନ ସମାଜବ୍ୟବସ୍ଥାର ଧୂସର ଦୁର୍ଗକୁ ଧୂଳିସାତ୍ କରିବାପାଇଁ ଯୌବନକୁ ଏଠି ତୋଳିବାକୁ ପଡେ କ୍ରୋଧିତ କ୍ରାନ୍ତିର ସ୍ପର୍ଦ୍ଧିତ ପାଶୁପତ ! ସବୁ ବୟସ ଭୁଲ । କେବଳ ବିପ୍ଲବର ବୟସ ଠିକ୍ । ସମୟ, ଜୁଆର, ବୟସ, ଯୌବନ କାହାକୁ ଅପେକ୍ଷା କରେନା । ଆମ ସମସ୍ତଙ୍କୁ ସମୟ ସାଙ୍ଗରେ ଦୌଡିବାକୁ ହେବ । ହେ ଭଙ୍ଗା ହାଣ୍ଡିର ଭାରତବର୍ଷ ! ସତରେ କ’ଣ ସରିଯାଇଛି ସବୁ ସଂକଳ୍ପ ? ସବୁ ସଂଘର୍ଷ ? ବାକି ଅଛି ଆଜି ବି ନେତାର ନକ୍ସା ଆରପଟେ ଜୀବନସଂଗ୍ରାମର ସ୍ୱାଧୀନତା ପାଇଁ ଜନତାର ଜୟଯାତ୍ରା ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Comments are closed.