ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଉଜ୍ଜ୍ଵଳତାର ଆଖି 

” ଅମାବାସ୍ୟାର ଅନ୍ଧାର ମୋର ପ୍ରିୟ କାରଣ ସେ ବିଛେଇଥିବା ରାତିରେ ତାରା ସବୁ ଦେଖିହୁଏ ସ୍ପଷ୍ଟ ଭାବରେ ” ଏମିତି କିଛି କହିଥିଲ ଶେଷଥର ସ୍ୱପ୍ନରେ ଯାହାକୁ ମୁଁ ସାଇତି ନେଇଚି ପଲକପାତର ଶିହରଣ ତଳେ । ତୁମକୁ ଅନ୍ଧାର ଭଲ ଲାଗେ କାରଣ ତୁମେ ନିଜେ ହିଁ ଅନ୍ଧାର ଭଳି ନିରାଟ , ଅଭେଦ୍ୟ ଓ ରହସ୍ୟମୟ । ନିଜ ଭିତରର ଆବେଗକୁ ଅଗଣିତ ନକ୍ଷତ୍ର ଭଳି ମହାକାଶର ବିଭିନ୍ନ ସ୍ତରରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାଁରେ ତୁମେ ହିଁ ଖଞ୍ଜିପାର ନିଜକୁ ଜାଳି ଆଲୁଅ ଦେଖେଇବାର ସଂକଳ୍ପରେ ।

ମୁଁ ତ ଆରମ୍ଭରୁ ହାତ ଟେକିଦେଇଛି ମୋର ସୀମିତତାକୁ ନେଇ । ମୁଁ କଳ୍ପନାକୁ ସେହି ଉତ୍ତରଣ ଯାଏଁ ନେଇପାରିନାହିଁ ଯେଉଁଠି ତୁମେ ତାରାଙ୍କୁ ଫୁଲ କରି ଫୁଟେଇ ଦେଇପାର ମୋ ମନର ଅଗଣାରେ । ଅନ୍ଧାର ରାତିରେ ଆଖି ମିଟିକା ମାରୁଥିବା କୁନି କୁନି ତାରାଙ୍କୁ କେବଳ ପଚାରିପାରେ ସେମାନେ ମୋତେ କଣ ସେଭଳି ଦେଖନ୍ତି ଯେଉଁଭଳି ମୁଁ ଦେଖେ ସେମାନଙ୍କୁ କୌତୂହଳରେ !

ଅନ୍ଧାର ରାତିରେ ପେଟେଇ ପଡିଥିବା ଆକାଶରେ ଓହଳିଥିବା ତାରାଙ୍କୁ ଦେଖିଲାବେଳେ ମୋତେ ଏମିତି ବି ଲାଗେ ତୂଳୀକୁ ଝାଡୁ କରି ଓଳେଇ ଆଣି ଜମା କରନ୍ତି କି ତାରାମାନଙ୍କୁ ମୋ ହାତପାଆନ୍ତା ସ୍ଥାନରେ ! ମୋ ହିସାବରେ ଜହ୍ନ ସହ ସଜେଇ ରଖନ୍ତି ସେମାନଙ୍କୁ ଆକାଶ ପଟ୍ଟୀରେ । ସତ କହିବି ? ଗୋଟିଏ ନକ୍ଷତ୍ରରୁ ଧାର କରି ଆଣିଥିବା ଆଲୁଅର ରଙ୍ଗରେ ଉଜ୍ଜ୍ଵଳି ଯାଉଥିବା ଜହ୍ନକୁ ମୁଁ ଯେତେବେଳେ ଦେଖେ ମୁଁ ତୁମ ଉପସ୍ଥିତିକୁ ବାରିପାରେ ମୋ ଅଭ୍ୟନ୍ତରର ସ୍ନିଗ୍ଧ ସଙ୍କେତର ସହାୟତାରେ । ଜହ୍ନ ଭଳି ତୁମ ଦୃଷ୍ଟିର ପରିଧିରେ ମୁଁ ଅଛି ବୋଲି ଲାଜ ଲାଜ ଲାଗେ । ବୋଧହୁଏ ଜହ୍ନକୁ ଚାହିଁ ହୁଏନି ଏକଲୟରେ ସେହି କାରଣରୁ ଦୀର୍ଘତାରେ ‘ମୋହ’ର ରଙ୍ଗ ବୋଳି । ଜହ୍ନହୀନ ଆକାଶର ପ୍ରତିଟି ତାରାରେ ତୁମ ଡୋଳା ମୋତେ ଦିଶେ – ସ୍ଥିର , ଅବିଚଳ ଏବଂ ଜୀବନ୍ତ । ଅସଂଖ୍ୟ ଭାବନାର ସାନ୍ଦ୍ରତାରେ ଅକୁହା ହୋଇ ରହିଯାଇଥିବା ତୁମର ସେହି ସ୍ଥିର ଚାହାଣୀ ଚହଲେଇ ଦିଏ ମୋ ଭିତରର ଲୁତୁପୁତିଆ ଦୃଢ଼ତାକୁ । ଦୁହିଁ ହୋଇଯାଏ ଅଳ୍ପ ଅଳ୍ପ ପୁଣ୍ୟର ମୋହରେ ଜୀବନକୁ ମହିମ୍ନ କରିବାର ଛୋଟବଡ଼ ସ୍ପୃହା ସବୁ । ଲୁହେଇ ଯାଏ ଅଭିଳାଷ । ଆଖିକୁ ଫେରେଇ ଆଣି ହୁଏନି ସେତେବେଳେ ଯେତେବେଳେ ଜହ୍ନକୁ ଖୋଜୁଥିବା ଚେତନା ମୋର ତାରାମାନଙ୍କ ତମ୍ବାରଙ୍ଗର ଦେହରେ ନିଜକୁ ତେଣିକି ମନେପକେଇ ପାରୁନଥାଏ।

ଜହ୍ନକୁ ପିଠି କରି ଜହ୍ନର ରଙ୍ଗରେ ଜହ୍ନମୟ ଲାଗୁଥିବା ହେ ମୋର ରାଜକୁମାର, ଆଜି ତୁମକୁ ଆସ୍ତେ ଆସ୍ତେ “ଉଜ୍ଜ୍ଵଳ” ବୋଲି ସମ୍ବୋଧନ କରିବାକୁ ଖୁବ୍ ଇଚ୍ଛା ମୋର । ତୁମକୁ ନେଇ ଅନିଶ୍ଚିତତାର ଦିବ୍ୟତାକୁ ଦେଖ କେମିତି ଆଙ୍କିସାରିଛି ଅନୁରାଗର ରଙ୍ଗରେ । ତୁମେ ଦେଖ ବା ନଦେଖ ସେହି ରଙ୍ଗରୁ ଆୟୁଷ ଟୋପାଏ ନେଇ କେମିତି ତିଆରି ହୋଇସାରିଛି ଜହ୍ନ ଗୋଟିଏ ତାରାଙ୍କୁ ନିଜ ଚାରିପାଖରେ ସଜେଇ ଶକ୍ତିକୁ ଭକ୍ତି କରି ! ପ୍ରେମ ଆଉ କଣ ଯେ ! ପୂଜା ଓ ପାରସ୍ପରିକତା ତ …..!!
ଏବେ ସବୁ ପୂଜା କେବଳ ତୁମ ପାଇଁ ।
ତୁମର “ମୁଁ”