Latest Odisha News

୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି, ବଦଳିଲେ ୪ ରାଜ୍ୟ ସଭାପତି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟ ସଂଗଠନରେ ପରିବର୍ତ୍ତନ କରିଛି । ବଦଳିଛନ୍ତି ୪ ରାଜ୍ୟର ବିଜେପି ମୁଖ୍ୟ । ପଞ୍ଜାବ, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ନୂତନ ରାଜ୍ୟ ସଭାପତିଙ୍କୁ ନିଯୁକ୍ତି ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ।

ବାବୁଲାଲ୍ ମରାଣ୍ଡି ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ନିଯୁକ୍ତ ହୋଇଥିବା ବେଳେ ସୁନୀଲ ଝାଖଡ଼ଙ୍କୁ ପଞ୍ଜାବ, ଜି. କିଷାନ ରେଡ୍ଡୀଙ୍କୁ ତେଲଙ୍ଗାନା ଓ ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ସଭାପତି କରାଯାଇଛି । ସେହିଭଳି ରାଜେନ୍ଦ୍ର ଏଟିଲାଙ୍କୁ ନିର୍ବାଚନ ପ୍ରଚାର ସମିତି ଅଧ୍ୟକ୍ଷ କରାଯାଇଛି ।

ଏବେ ଡି. ପୁରନ୍ଦେଶ୍ୱରୀ ଓଡ଼ିଶା ବିଜେପି ପ୍ରଭାରୀ ରହିଥିବା ବେଳେ ତାଙ୍କୁ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ନିଯୁକ୍ତ କରାଯାଇଛି । ସେହିଭଳି ପଞ୍ଜାବରେ ଅଶ୍ୱିନୀ ଶର୍ମାଙ୍କ ସ୍ଥାନରେ ସୁନୀଲ ଝାଖଡ଼କୁ ଦାୟିତ୍ୱ ଦେଇଛି ଦଳ । କଂଗ୍ରେସ ହାତ ଛାଡ଼ି ସୁନୀଲ ଝାଖଡ଼ ବିଜେପିକୁ ଆସିଥିଲେ । କଂଗ୍ରେସରେ ଥିବା ବେଳେ ସୁନୀଲ ଝାଖଡ଼ ପିସିସି ସଭାପତି ରହିଥିଲେ ।

ଅଭିନେତା ସନି ଦେଓଲଙ୍କୁ ନେଇ ପଞ୍ଜାବରେ ବିଜେପି ଅଡ଼ୁଆରେ ପଡ଼ିଥିବା ବେଳେ ସୁନୀଲ ଝାଖଡ଼ ଦଳ ପାଇଁ ଚେହେରା ହୋଇ ପାରନ୍ତି । ସେପଟେ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜି. କିଷାନ ରେଡ୍ଡୀଙ୍କୁ ତେଲଙ୍ଗାନା ରାଜ୍ୟ ସଭାପତି କରାଯାଇଛି । ସଞ୍ଜୟ ବନ୍ଦୀଙ୍କ ସ୍ଥାନରେ ତେଲଙ୍ଗାନା ବିଜେପି ସଭାପତି ହୋଇଛନ୍ତି ଜି. କିଷାନ ରେଡ୍ଡୀ ।

Leave A Reply

Your email address will not be published.