Latest Odisha News

ଭାରି ପଡିବ କି ବିଜେଡି ଇସ୍ତହାର?, ‘ମିଶନ ଶକ୍ତି ମା’ଙ୍କୁ ପେନସନ, ସରକାରୀ ଚାକିରୀଆଙ୍କୁ ବିଏସକେୱାଇରେ ଅର୍ନ୍ତଭୁକ୍ତ’

ଭୁବନେଶ୍ବର:  ନିର୍ବାଚନକୁ ମାତ୍ର ଦିନ କେଇଟା । ଭୋଟରଙ୍କୁ ନିଜ ଆଡକୁ ଆକର୍ଷଣ କରିବା ପାଇଁ ନିଜ ନିଜର ରୋଡ ମ୍ୟାପ ପ୍ରସ୍ତୁତ କରୁଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ନିଜ ନିଜର ପ୍ରତିଶ୍ରୁତିର ପେଡି ରାଜ୍ୟବାସୀଙ୍କ ଆଗରେ ଖୋଲି ଦେଇଛନ୍ତି । ତେବେ ଏହି ନିକଟ ଅତୀତରେ ବିଜେପି ତାର ଇସ୍ତାହାର ପତ୍ର ଉନ୍ମୋଚନ କରିଥିବା ବେଳେ, ଗତକାଲି ସଂନ୍ଧ୍ୟାରେ ବିଜେଡି ତାର ଇସ୍ତାହାର ପତ୍ର ଜାରି କରିଛି । ତେବେ ପ୍ରଶ୍ନ ଉଠୁଛି, ବିଜେପି ଉପରେ ଭାରି ପଡିବ କି ବିଜେଡି ଇସ୍ତାହାର ?

ଗତକାଲି ବିଜେଡି ତାର ନିର୍ବାଚନୀ ମାନିଫେଷ୍ଟୋ ଜାରି କରିଛି । ଯେଉଁଥିରେ ଉପଭୋକ୍ତାଙ୍କୁ ୧୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ କୃଷି କ୍ଷେତ୍ରକୁ ମାଗଣା ବିଜୁଳି। ବିଏସକେୱାୟୀ ଯୋଜନାରେ ସରକାରୀ ଚାକିରିଆ ଓ ମଧ୍ୟବିତ୍ତ ପରିବାରଙ୍କୁ ସାମିଲ। ୨ ଲକ୍ଷ ସରକାରୀ ଚାକିରି। ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ। କୃଷକ ପରିବାର ପିଲାଙ୍କୁ ଛାତ୍ରବୃତ୍ତି, ଝିଅ ବାହାଘର ପାଇଁ ୨୫ ହଜାର ଓ ମତ୍ସ୍ୟଜୀବୀ ପରିବାରକୁ ବାର୍ଷିକ ୧୫ ହଜାର ଟଙ୍କା ଭଳି ଏମିତି ଅନେକ କିଛି ପ୍ରତିଶ୍ରୁତି ଚଳିତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାହାର ଇସ୍ତାହାରରେ ପ୍ରକାଶ କରିଛି ।

ବିଜେଡିର ଏହି ଇସ୍ତାହାର ବିରୋଧୀଙ୍କୁ ଭାରି ପଡିବ ବୋଲି ଅନେକ ମହଲରେ ଚର୍ଚ୍ଚା ଧରିଛି। ରାଜ୍ୟରେ ବିଜେପି ସହିତ ମେଣ୍ଟ କରିବା ଖବର ଓ ଅନେକ ସ୍ଥାନରେ ଟିକେଟ ଆଶାୟୀ ଦଳ ଛାଡ଼ିବା ପରେ କେଉଁଠି ନାଁ କେଉଁଠି ବିଜେଡି ସାମାନ୍ୟ ନରମି ଯାଇଥିଲା । ଏହାରି ମଧ୍ୟରେ ବିରୋଧୀଙ୍କୁ ପ୍ରତିହତ କରିବା ପାଇଁ ଦଳର ସୁପ୍ରିମୋ ନିଜେ ଜିଲ୍ଲା ଜିଲ୍ଲା ବୁଲି ପ୍ରଚାର କରୁଛନ୍ତି। ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରି ଦଳ ପାଇଁ ଭୋଟ ମାଗୁଛନ୍ତି। ଏଭଳି ସମୟରେ ବିଜେଡିର ଏହି ଲୋଭନୀୟ ଇସ୍ତାହାର ଓଡ଼ିଶାର ଭୋଟରଙ୍କୁ ଆକୃଷ୍ଟ କରିପାରେ ବୋଲି କୁହାଯାଉଛି।

ଇସ୍ତାହାର ଘୋଷଣା କରିବା ସମୟରେ ନବୀନ କହିଛନ୍ତି ଯେ, ଗତ ୨୪ ବର୍ଷ ମଧ୍ୟରେ ବିଜେଡି ସରକାର ଓଡ଼ିଶାକୁ ଏକ ଗରିବ, କ୍ଷୁଧାପ୍ରବଣ, ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କବଳିତ ପଛୁଆ ରାଜ୍ୟରୁ ଆଧୁନିକ ଅଭିବୃଦ୍ଧିଭିତ୍ତିକ, ସଂସ୍କୃତି ଏବଂ ଅସ୍ମିତାର ପରିଚୟଭିତ୍ତିକ ରାଜ୍ୟରେ ପରିଣତ କରିପାରିଛି। ଓଡ଼ିଶା ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି। ଏକ ଗରିବ ଓ ପଛୁଆ ରାଜ୍ୟର ପରିଚୟ ଆଜି ଇତିହାସ ହୋଇଯାଇଛି। ଏହି ଘୋଷଣାପତ୍ର ଓଡ଼ିଶାରେ ଏକ ସୁବର୍ଣ୍ଣ ଯୁଗର ଭିତ୍ତି ପକାଇବ। ୨୦୩୪ ସୁଦ୍ଧା ଓଡ଼ିଶା ହେବ ଦେଶର ୧ ନମ୍ବର ରାଜ୍ୟ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେ ବର୍ଷ ପୂର୍ତ୍ତି ଆସନ୍ତା ୨୦୩୬ରେ ହେବ। ଏହାର ଦୁଇ ବର୍ଷ ପୂର୍ବରୁ ଆମେ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବୁ।

ସୂଚନାଯୋଗ୍ୟ, ବିଜେଡି ତାହାର ଇସ୍ତାହାରରେ ଘୋଷଣା କରିଥିବା ଅନ୍ୟ ପ୍ରମୁଖ ଘୋଷଣାଗୁଡିକ ହେଉଛି ଯୁବବର୍ଗଙ୍କ ପାଇଁ ୧୦ ବର୍ଷ ପାଇଁ ୧ ଲକ୍ଷ କୋଟିର ସ୍ବତନ୍ତ୍ର ବଜେଟ ପ୍ରସ୍ତୁତ ହେବ । ଏଥିସହିତ ଆସନ୍ତା ୫ ବର୍ଷରେ ଯୁବବର୍ଗଙ୍କୁ ୨ ଲକ୍ଷ ସରକାରୀ ଚାକିରି ମଳିବ । ନୂଆ-ଓ ଛାତ୍ରବୃତ୍ତି ଯୋଜନାରେ ପ୍ରତିବର୍ଷ ଛାତ୍ରୀଙ୍କୁ ୧୪ ହଜାର, ଛାତ୍ରଙ୍କୁ ୧୨ ହଜାର ପ୍ରଦାନ କରାଯିବ । ୧୦୦ ୟୁନିଟ୍‌ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଇ ଦିଆଯିବ। ସେହିପରି କୃଷି କ୍ଷେତ୍ରକୁ ମାଗଣା ବିଜୁଳି ଦିଆଯିବ । ମିଶନ ଶକ୍ତି ମହିଳାଙ୍କୁ ପେନ୍‌ସନ ପ୍ରଦାନ କରାଯିବା ସହ ଗ୍ରାମୀଣ ଗୃହ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ୧୦ ଲକ୍ଷ ଘର ଯୋଗାଇ ଦିଆଯିବ । ଏଥିସହିତ ରାଜ୍ୟର ଐତିହ୍ୟଗୁଡିକର ସୁରକ୍ଷା ଓ ବିକାଶ ପାଇଁ ୧ ହଜାର କୋଟିର କର୍ପସ ପାଣ୍ଠି ଗଠନ କରାଯିବ। କୃଷକ ପରିବାର ପିଲାଙ୍କୁ ଛାତ୍ରବୃତ୍ତି, ଝିଅ ବାହାଘର ପାଇଁ ୨୫ ହଜାର ଓ ମତ୍ସ୍ୟଜୀବୀ ପରିବାରକୁ ବାର୍ଷିକ ୧୫ ହଜାର ଟଙ୍କା ମିଳିବ । ଓଡ଼ିଆ ଭାଷାର ବିକାଶ ଓ ପ୍ରୋତ୍ସାହନ ପାଇଁ ୧୦୦ କୋଟି ବ୍ୟୟବରାଦ କରାଯିବା ସହ ୧୦୦ ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଘୋଷଣା ହେବ। ପଦ୍ମଶ୍ରୀ ଓ ପଦ୍ମଭୂଷଣ ଭଳି ପ୍ରତିଭାସମ୍ପନ୍ନ ବ୍ୟକ୍ତିଙ୍କୁ କଳିଙ୍ଗଶ୍ରୀ ଓ କଳିଙ୍ଗଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ । ସ୍ବୟମ ଯୋଜନା ରାଶି ୨ ଲକ୍ଷକୁ ବୃଦ୍ଧି ହେବା ସହ ରାଜ୍ୟରେ ପ୍ରତିଷ୍ଠା ହେବ ଫ୍ୟାଶନ ଟେକ୍ନୋଲୋଜି ଏବଂ ଏଆଇ ବିଶ୍ୱବିଦ୍ୟାଳୟ ।

Leave A Reply

Your email address will not be published.