Latest Odisha News

BREAKING NEWS

କର୍ଣ୍ଣାଟକ ରାଜ୍ୟପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ, ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ

ବେଙ୍ଗାଲୁରୁ: ପ୍ରୋଟୋକଲରେ ଗୁରୁତର ତୃଟି। ଗୁରୁବାର କର୍ଣ୍ଣାଟକ ରାଜ୍ୟାପାଳଙ୍କୁ ନନେଇ ଚାଲିଗଲା ଏୟାର ଏସିଆର ବିମାନ। ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀ ବିମାନବନ୍ଦର ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍-୨ ରୁ ହାଇଦ୍ରାବାଦ ଅଭିମୁଖେ ଏୟାର ଏସିଆର ଏକ ବିମାନରେ ଯାତ୍ରା କରିବେ ବୋଲି ଅପେକ୍ଷା କରିଥିଲେ ରାଜ୍ୟପାଳ। ଗେହଲଟଙ୍କୁ ନଆଣି ଏୟାର ଏସିଆର ଏକ ବିମାନ ଉଡାଣ ଭରିଥିଲା।

ରାଜ୍ୟପାଳଙ୍କ ଅଧିକାରୀଙ୍କ ଅନୁଯାୟୀ, ରାଜ୍ୟପାଳ ଠିକ୍ ସମୟରେ ଭିଭିଆଇପି ଲାଉଞ୍ଜରେ ପହଞ୍ଚି ଅପେକ୍ଷା କରିଥିଲେ। ଏୟାରଲାଇନ୍ସର ଗ୍ରାଉଣ୍ଡ ଷ୍ଟାଫଙ୍କୁ ତାଙ୍କ ଆଗମନ ବିଷୟରେ ଅବଗତ କରାଯାଇଥିଲା। ରାଜ୍ୟପାଳଙ୍କ କର୍ମଚାରୀମାନେ ବିମାନ ଭିତରେ ରାଜ୍ୟପାଳଙ୍କ ଜିନିଷପତ୍ର ରଖିଦେଇଥିଲେ। ଏନେଇ ରାଜ୍ୟପାଳଙ୍କ ପ୍ରୋଟୋକଲ ଅଧିକାରୀମାନେ ଏହାକୁ ପ୍ରୋଟୋକଲର ଉଲଙ୍ଘନ କହି ବିମାନବନ୍ଦର ଥାନାରେ ଅଭିଯୋଗ କରିଥିଲେ। ସୂତ୍ର ସୂଚନା ମୁତାବକ ରାଜ୍ୟପାଳ ୯୦ ମିନିଟ୍ ବିଳମ୍ବରେ ପରବର୍ତ୍ତୀ ବିମାନରେ ହାଇଦ୍ରାବାଦ ଯାଇଥିଲେ।

ତେବେ ଉକ୍ତ ଘଟଣାରେ ବିମାନବନ୍ଦର ପୋଲିସ ଷ୍ଟେସନରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଏ ସମ୍ପର୍କରେ ନୋଟିସ ଆସିବା ପରେ ଏୟାର ଏସିଆ ଏହି ଅସୁବିଧା ପାଇଁ ରାଜ୍ୟପାଳଙ୍କୁ ସ୍ପଷ୍ଟ କରି କ୍ଷମା ମାଗିଛନ୍ତି ଏବଂ ଏ ସମ୍ପର୍କରେ ବିଭାଗୀୟ ତଦନ୍ତ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏୟାରଲାଇନ୍ସ ଏହାର ସ୍ପଷ୍ଟୀକରଣରେ କହିଛି, “ଆମେ ଏହି ଘଟଣାରେ ଦୁଃଖିତ। ଏହି ଘଟଣାରେ ତଦନ୍ତ ଚାଲିଛି ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏୟାରଲାଇନ୍ସର ବରିଷ୍ଠ ନେତୃତ୍ୱ ଦଳ ଏ ସମ୍ପର୍କରେ ରାଜ୍ୟପାଳଙ୍କ ସହ ଯୋଗାଯୋଗ କରିଛନ୍ତି। ବୃତ୍ତିଗତତାର ଉଚ୍ଚ ମାନ ଏବଂ ପ୍ରୋଟୋକଲ୍ ପାଳନ ଆମର ପ୍ରତିବଦ୍ଧତା ନିରନ୍ତର ରହିଛି ଏବଂ ଆମେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ସହିତ ଆମର ସମ୍ପର୍କକୁ ଗଭୀର ଭାବରେ ଗୁରୁତ୍ୱ ଦେଉଛୁ।”

Leave A Reply

Your email address will not be published.