ଅଜାତି
ବିଶ୍ୱନାଥ ସାହୁ
ମୁଁ ଏତେ ଅଭାଗା ଯେ
ମୋ ଅବକ୍ଷୟକୁ ବି ଦୁନିଆଁ ଉପଭୋଗ କରେ ।
ଈଶ୍ୱରଙ୍କୁ ଉପସର୍ଗରେ ରଖି
ମତେ ଅହରହ ଚେତାଇଦିଆଯାଏ
ନା ତୁ ଦେଶର ନା ପୃଥିବୀର ।
ଛି’ କଲେ କ’ଣ ହେବ ?
ତୁମର ଯେତେକ ବର୍ଜ୍ୟବସ୍ତୁ
ଆମ ରକ୍ତକଣିକାରେ ଜମାଟ ବାନ୍ଧି ବସିଛି ।
କପାଳରେ ଅନ୍ଧାର ହିଁ ଅନ୍ଧାର
ଗୋରାହେବା ଆମ ଭାଗ୍ୟରେ ନାହିଁ ।
ତୁମ ଗୋରା ଚକ୍ ଚକ୍ ପାଦ
କଳା ମଚ୍ ମଚ୍ ତୁଠପଥରରେ ଘସି ହେଲାବେଳେ
ମୁଁ ସେ ବୋହି ପଡୁଥିବା ମଇଳା ମିଶା ସାବୁନ ଫେଣ
ଯେ ପ୍ରଖର ଜଳସ୍ରୋତରେ ନିଜର ଅସ୍ତିତ୍ୱ ହରାଏ ।
ସେ ପଥର ହିଁ ମୂକସାକ୍ଷୀ
ତୁମର ଓ ମୋ ସଂପର୍କର ।
ହେଲେ ସେ ତ ନିର୍ବାକ୍
ପାଦ ଘସାରେ ସରି ସରି ଯାଏ ପଛେ
ତା’ର ପାଟି ଫିଟେନି ।
ବୋଝ ବୋହି ବୋହି ଏତେ ନଇଁଯାଇଛୁ ଯେ
ସଳଖି ପାରୁନି ଅଣ୍ଟା,
ମୁଣ୍ଡଟା ଲାଖିରହୁଛି ତୁମ ପାଦ ଦିଓଟିରେ ।
ଆକାଶକୁ ଅନାଇବାର ଅବସର ନାହିଁ ଯେତେବେଳେ
କେମିତି ଦେଖିବୁ ସ୍ୱପ୍ନ, ଉଡିବାର ।
ବାହୁମେଲି ମହାବାହୁ ଡାକିଲେ ବି
ଏତେ ଦୂର କ’ଣ ତା’ର ହାତ ପାଏ ?
ପରମ୍ପରାର ଲକ୍ଷ୍ମଣରେଖା ଡେଇଁବାକୁ
ବଳ ଜୁଟେନି ଆମର,
ଛାଇ ପଡି ଛାରଖାର୍ ହୋଇଯିବ ଯଦି
କିଏ ଜଗିବ ସଂସାର ?
ତଥାପି ଗମ୍ଭୀରା ଘରୁ
ଛିଞ୍ଚାଡିଦେଇଥିବା ପଦରଜକୁ
ମୁଣ୍ଡରେ ମାରିବାରେ ଆମେ ଅଭ୍ୟସ୍ତ ।
ଏତେ ପ୍ରେମ ଦିଅନି ସାଆନ୍ତେ
ହଜମ ହେଉନି ।
ନିଜ ଲୋକଙ୍କ ପାଖରେ କି ଅଭିଯୋଗ ?
ଖାଲି ଏତିକି ରଖିବ
ତରାଜୁର ମଝିକଣ୍ଟା ସିଧା ବଦଳରେ
ତମଆଡେ ନ ଢଳିଲେ ହେଲା ।
Comments are closed.