Latest Odisha News

BREAKING NEWS

ଅଜିତ-ଶରଦ ଗୁପ୍ତ ବୈଠକ; କଂଗ୍ରେସ, ଶିବସେନାର ବଢିଲା ଚିନ୍ତା

ମୁମ୍ବାଇ:ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ସାକ୍ଷାତ ପରେ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହେଇଛି । ଏହି ସାକ୍ଷାତ ପରେ ଅନେକ କଳ୍ପନା ଜଳ୍ପନା କରାଯାଉଛି । କୁହାଯାଉଛି, ଶରଦ ପାୱାରଙ୍କୁ ମନାଇବା ପାଇଁ ବିଜେପି ଅଜିତ ପାୱାରଙ୍କ ସହାରା ନେଇଛି । ଅଜିତଙ୍କ ମାଧ୍ୟମରେ ଏକ ବଡ ଅଫର ଦେଇଛି ଶରତଙ୍କୁ  ।

ଯଦିଓ ଶରଦ ପାୱାର ସିଧା ସିଧା ସ୍ପଷ୍ଟ କରି ଦେଇଛନ୍ତି ଯେ, ବିଜେପିକୁ ଯାଇଥିବା ନେତାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ  କିମ୍ବା ମହାବିକାଶ ଅଘାଡିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ତେବେ ଅଘାଡିର ସହଯୋଗୀ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚହ୍ୱାନ ଅଭିଯୋଗ କରିଛନ୍ତି ଯେ, ବିଜେପି ଅଜିତ ପାୱାରଙ୍କ ଜରିଆରେ ଶରତଙ୍କୁ ବଡ ଅଫର ଦେବାର ଯୋଜନା କରିଛି ।

ସେହିପରି ସ୍ଥାନୀୟ ଏକ ଖବରକାଗଜରେ ପୃ୍ଥ୍ୱୀରାଜ ଚୌହାନ ଦାବି କରିଛନ୍ତି ଯେ, ବିଜେପି ଶରଦ ପାୱାରଙ୍କୁ କେନ୍ଦ୍ର କୃଷିମନ୍ତ୍ରୀ କରିବା ତଥା ନୀତି ଆୟୋଗ ଅଧ୍ୟକ୍ଷ ପଦର ଅଫର ଦେଇଛି । ଏଥିସହିତ ସାଂସଦ ସୁପ୍ରିୟା ସୁଲେ ଏବଂ ବିଧାୟକ ଜୟନ୍ତ ପାଟିଲଙ୍କୁ ବି ମନ୍ତ୍ରୀ କରିବା ପାଇଁ ଲୋଭ ଦେଖା ଯାଇଛି ।

କଥା ହେଉଛି, ମହାରାଷ୍ଟ୍ରର ଡେପୁଟି ସିଏମ ଅଜିତ ପାୱାର ତାଙ୍କ ଚାଚା ଶରଦ ପାୱାରଙ୍କୁ ସାକ୍ଷାତ କରିଥିଲେ । ଏହି ଲୁଚାଛପା ସାକ୍ଷାତକାର ପୁଣେର ଜଣେ ଉଦ୍ୟୋଗପତିଙ୍କ ଘରେ ହୋଇଥିଲା । ଅଜିତ ଚଳିତବର୍ଷ ଜୁଲାଇରେ ଶରଦ ପାୱାରଙ୍କୁ ଛାଡି ମହାରାଷ୍ଟ୍ରର ସିନ୍ଦେ ସରକାରରେ ସାମିଲ ହୋଇଥିଲେ । ଶରଦଙ୍କୁ ଛାଡିବା ପରେ ଅଜିତ ତାଙ୍କୁ ଦେଢମାସ ଭିତରେ ୪ ଥର ସାକ୍ଷାତ କଲେଣି ।

ଏପଟେ ଉଦ୍ଧବଙ୍କ ଶିବସେନା ଅଜିତଙ୍କ ବାରମ୍ବାର ସାକ୍ଷାତକୁ ନେଇ ଶରଦଙ୍କ ଉପରେ ବର୍ଷିଛନ୍ତି । ଶରଦ ପାୱାରଙ୍କୁ ଟାର୍ଗେଟ କରି ଶିବସେନା ତାର ସମ୍ପାଦକୀୟରେ ଲେଖିଛି, ଡେପୁଟି ସିଏମ ଅଜିତ ପାୱାର ବାରମ୍ବାର ଶରଦ ପାୱାରଙ୍କୁ ଦେଖା କରିବାକୁ ଯାଉଛନ୍ତି । ସବୁଠାରୁ ମଜା କଥା ହେଉଛି, ଶରଦ କୌଣସି ସାକ୍ଷାତକୁ ଟାଳି ପାରୁନାହାନ୍ତି । କିଛି ସାକ୍ଷାତ ଲୁଚାଛପରେ ହେଉଛି ତ କିଛି ଖୋଲାଖୋଲି ହେଉଛି । ଏଥିପାଇଁ ଲୋକଙ୍କ ମନରେ ଭ୍ରମ ସୃଷ୍ଟି ହେଉଛି ।

ତେବେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ଅଜିତ ପାୱାର ଏତେ ବଡ ନେତା ନୁହଁନ୍ତି ଯେ ସେ ଶରଦଙ୍କୁ ଅଫର ଦେଇପାରିବେ । ଅଜିତଙ୍କୁ ଶରଦ ସାହେବ ତିଆରି କରିଛନ୍ତି ।

Leave A Reply

Your email address will not be published.