Latest Odisha News

ଲୋକସଭା ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଲେ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବ

ଲକ୍ଷ୍ନୌ: ବାଜିସାରିଛି ବିଗୁଲ । ଘୋଷଣା ସରିଛି ଲୋକସଭା ନିର୍ବାଚନ ୨୦୨୪ର ତାରିଖ । ତାରିଖ ଘୋଷଣା ପରେ ସବୁ ରାଜନୈତୀକ ଦଳ ଏବେ ତାଙ୍କର ପ୍ରଚାର ପ୍ରସାର ଜୋର କରିଛନ୍ତି । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ପତ୍ନୀ ଡିମ୍ପଲ୍ ଯାଦବ ମଧ୍ୟ ମେନପୁରୀରେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି । ତେବେ ଏହାରି ଭିତରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତାଙ୍କ ଝିଅ ଅଦିତି ଯାଦବ । ଡିମ୍ପଲ ଯାଦବଙ୍କୁ ସମାଜବାଦୀ ପାର୍ଟି ମେନପୁରୀରୁ ଟିକେଟ୍ ଦେଇଛି ।

୧୯୯୬ ମସିହାରୁ ମେନପୁରୀ ଆସନ ସମାଜବାଦୀ ପାର୍ଟିର ଗଡ଼ ହୋଇ ରହିଛି । ଗତକାଲି ମେନପୁରୀରେ ପ୍ରଚାର ସମୟରେ ଡିମ୍ପଲଙ୍କ ସହ ମଇଦାନରେ ଅଖିଳେଶ ଯାଦବଙ୍କ ଝିଅ ଅଦିତି ଯାଦବଙ୍କୁ ଦେଖିବାକୁ ମିଳିଥିଲା । ଡିମ୍ପଲ ଯାଦବ, ଅଦିତି ଯାଦବ କିଛି ମହିଳା କାର୍ଯ୍ୟକର୍ତ୍ତାଙ୍କ ସହ ବସିଥିବାର ନଜର ଆସିଥିଲେ। ଅଦିତି ପୂର୍ବରୁ ତାଙ୍କ ପିତାମାତାଙ୍କ ପୋଷ୍ଟ ସେୟାର କରିଆସୁଥିଲେ, ତେବେ ପ୍ରଥମ ଥର ପାଇଁ ସେ ନିର୍ବାଚନ ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲେ ।

ସମାଜବାଦୀ ପାର୍ଟି ଦ୍ୱିତୀୟ ଥର ପାଇଁ ମେନ୍ପୁରୀ ଆସନରୁ ଡିମ୍ପଲ୍ ଯାଦବଙ୍କୁ ଟିକେଟ ଦେଇଛି। ମୁଲାୟମ ସିଂଙ୍କ ମୃତ୍ୟୁ ପରେ ଡିମ୍ପଲ୍ ଏହି ଆସନରେ ଉପ-ନିର୍ବାଚନରେ ​​ଜିତିଥିଲେ ଏବଂ ବର୍ତ୍ତମାନର ମେନ୍ପୁରୀର ସେ ସାଂସଦ ଅଟନ୍ତି । ମେନପୁରୀର ଲୋକମାନେ ହିଁ ମୁଲାୟମଙ୍କୁ ପ୍ରଥମ ଥର ପାଇଁ ସଂସଦକୁ ପଠାଇଥିଲେ। ସେବେଠାରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀମାନେ ଏହି ଆସନରୁ କ୍ରମାଗତ ଭାବେ ଜିତିଆସୁଛନ୍ତି । ତେଜ ପ୍ରତାପ ଏବଂ ଧର୍ମେନ୍ଦ୍ର ଯାଦବ ମଧ୍ୟ ଏହି ଆସନରୁ ସାଂସଦ ହୋଇଛନ୍ତି ।

ମେନ୍ପୁରୀ ଲୋକସଭା ଆସନରେ ମୋଟ ୫ଟି ବିଧାନସଭା ଆସନ ଅଛି । ମେନପୁରୀ, କରହଲ, କିଶନି, ଭୋଗାଓନ୍ ଏବଂ ଜସୱନ୍ତ ନଗର । ୨୦୧୧ ଜନଗଣନା ଅନୁଯାୟୀ, ମେନପୁରୀ ଜିଲ୍ଲାର ହିନ୍ଦୁ ଜନସଂଖ୍ୟା ୯୩.୪୮ ପ୍ରତିଶତ ରହିଛି । ଏଠାରେ ଯାଦବ ଭୋଟ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ୨୦୧୯ ରେ ଏଠାରେ ୧୭.୨ ଲକ୍ଷ ଭୋଟର ଥିଲେ । ୟୁପିରେ ମୁସଲମାନ ଏବଂ ଯାଦବ ସମ୍ପ୍ରଦାୟ ସମାଜବାଦୀ ପାର୍ଟିର ପାରମ୍ପାରିକ ଭୋଟର ଭାବରେ ବିବେଚନା କରାଯାଏ । ଏହି ଆସନରେ ମୁସଲମାନ ଭୋଟରଙ୍କ ସଂଖ୍ୟା କମ୍ । ତେବେ ଯାଦବ ଭୋଟ୍ ବ୍ୟାଙ୍କ ଏବଂ ମୁଲାୟମ ସିଂଙ୍କ ପ୍ରଭାବ ଯୋଗୁଁ ସମାଜବାଦୀ ପାର୍ଟି ଏହି ଆସନକୁ ୨ ଦଶନ୍ଧି ଧରି ଅଧିକାର କରିଆସୁଛି।

 

Leave A Reply

Your email address will not be published.