Latest Odisha News

BREAKING NEWS

ତୃତୀୟ ଥର ପାଇଁ ବଦଳିଲା ଅକ୍ଷୟ କୁମାରଙ୍କ ଫିଲ୍ମର ନାଁ: ଜନ୍ମଦିନରେ ରିଲିଜ ହୋଇପାରେ ଟିଜର୍ 

ଭୁବନେଶ୍ୱର: ଓଃ ମାଇଁ ଗଡ୍-୨ଚଳଚ୍ଚିତ୍ରର ସଫଳତାକୁ ନେଇ ଅକ୍ଷୟ କୁମାର ବେଶ୍ ଖୁସି ଅଛନ୍ତି । କିନ୍ତୁ ଏହାକୁ ନେଇ ଉତ୍ସବ ପାଳିବା ପରିବର୍ତ୍ତେ ସେ ତୁରନ୍ତ ଏକ ନୂଆ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିଥିଲେ । ଆଜିକାଲି ସେ ଲକ୍ଷ୍ନୌରେ ‘ସ୍କାଏ ଫୋର୍ସ’ ପାଇଁ ସୁଟିଂ କରୁଛନ୍ତି । ଏହି ସମୟରେ ତାଙ୍କ ଆଗାମୀ ସିନେମାକୁ ନେଇ ସାମ୍ନାକୁ ଆସିଛି ଏକ ନୂଆ ଖବର । ଫିଲ୍ମ ‘ଦି ଗ୍ରେଟ୍ ଇଣ୍ଡିଆନ୍ ରେସ୍କ୍ୟୁ’ର ଟାଇଟଲ୍ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ସୁଚନା ଥାଉକି, ଅକ୍ଷୟ କୁମାର ଖୁବ୍ ଶୀଘ୍ର ଏକ ବାୟୋପିକ୍ ଫିଲ୍ମରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଜସୱନ୍ତ ସିଂ ଗିଲଙ୍କ ଜୀବନୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରର ପ୍ରଥମ ଟାଇଟଲ୍ ରଖାଯାଇଥିଲା ‘କ୍ୟାପସୁଲ୍ ଗିଲ୍’ । ଏହା ପରେ ଟାଇଟଲ୍ ପରିବର୍ତ୍ତିତ କରି ‘ଦି ଗ୍ରେଟ୍ ଇଣ୍ଡିଆନ୍ ରେସ୍କ୍ୟୁ’ ରଖାଯାଇଥଇବା ବେଳେ, ବର୍ତ୍ତମାନ ନିର୍ମାତାମାନେ ଏହାକୁ ପୁଣି ଥରେ ପରିବର୍ତ୍ତନ କରିଛନ୍ତି । ଫିଲ୍ମର ନୂଆ ଟାଇଟଲ୍ ରଖାଯାଇଛି ‘ମିଶନ୍ ରାନିଗଞ୍ଜ୍’ ।

ଏହି ଚଳଚ୍ଚିତ୍ର ଜସୱନ୍ତ୍ ସିଂ ଗିଲଙ୍କ ଜୀବନୀ ଉପରେ ଆଧାରିତ, ଯିଏ ନିଜ ଜୀବନକୁ ବାଜି ଲଗାଇ ୬୫ ଜଣଙ୍କ ଜୀବନ ରକ୍ଷା କରିଥିଲେ । ୧୯୮୯ ମସିହାରେ ଓ୍ୱେଷ୍ଟ୍ ବେଙ୍ଗଲର ରାନିଗଞ୍ଜରେ ଏକ କୋଇଲା ଖଣିରେ ଦୁର୍ଘଟଣା ଘଟିଥିଲା । ହଠାତ୍ ଖଣିରେ ପାଣି ଭରିବାକୁ ଲାଗିଲା । ଏହି ସମୟରେ ଜସୱନ୍ତ୍ ସିଂ ନିଜ ଜୀବନକୁ ଖାତିର୍ ନକରି ୬୫ଜଣ ଶ୍ରମିକଙ୍କ ଜୀବନ ବଞ୍ଚାଇଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁ ଥିଲେ । ଏଥି ପାଇଁ ଜସୱନ୍ତ୍ ସିଂ ଗିଲଙ୍କୁ ରାଷ୍ଟ୍ରପତି ରାମାସ୍ୱାମୀ ଭେଙ୍କଟରମଣଙ୍କ ଦ୍ୱାରା ସର୍ବୋତ୍ତମ୍ ଜୀବନ ରକ୍ଷା ପଦକ ମଧ୍ୟ ପ୍ରଦାନ କରାଯାଇଥିଲା । ୨୦୧୯ ମସିହା ନଭେମ୍ବର ୨୬ ତାରଖରେ ଗିଲ୍ ଦୁନିଆରୁ ବିଦାୟ ନେଇଥିଲେ ।

ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ପରିନୀତି ଚୋପ୍ରାଙ୍କ ସହିତ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବ। ଏହାପୂର୍ବରୁ ଉଭୟ ‘କେସାରୀ’ ଫିଲ୍ମରେ ଏକାଠି ନଜର ଆସିଥିଲେ । ଏହି ସିନେମା ୫ ଅକ୍ଟୋବରରେ ବଡ ପରଦାରେ ମୁକ୍ତିଲାଭ କରିବ ବୋଲି ସୁଚନା ମିଳିଛି । ଟିନୁ ସୁରେଶ ଦେଶାଇଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର୍ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ତେବେ ଅକ୍ଷୟ କୁମାରଙ୍କ ଜନ୍ମଦିନ ସେପ୍ଟେମ୍ବର ୯ ତାରିଖରେ ମିଶନ୍ ରାନିଗଞ୍ଜର ଟିଜର ରିଲିଜ୍ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ସୁଚନା ଥାଉକି, ଆଜିକାଲି ଅକ୍ଷୟ କୁମାର ‘ସ୍କାଏ ଫୋର୍ସ’ର ସୁଟିଂ କରୁଛନ୍ତି, ଯେଉଁଥିରେ ସାରା ଅଲି ଖାନ୍ ଏବଂ ନିମ୍ରତ୍ କୌର୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥି ସହିତ ବୀର୍ ପହାଡ଼ିଆ ଏହି ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଅଭିଷେକ କପୁର୍ ଏବଂ ସନ୍ଦୀପ କେଲୱାନୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଆଗାମୀ ଦିନରେ ଅକ୍ଷୟଙ୍କୁ ଅନ୍ୟାନ୍ୟ ଅନେକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ଯେମିତିକି ‘ବଡେ ମିଆଁ ଛୋଟେ ମିଆଁ’, ‘ସୋରାରଇ ପୋଟ୍ରୁ’ର ରିମେକ୍, ‘ଓ୍ୱେଲକମ୍-୩ ’ ଏବଂ‘ ହେରା ଫେରି-୩ ’ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ ।

 

Leave A Reply

Your email address will not be published.