Latest Odisha News

ଇଡିରେ ହାଜର ହେଲେ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସ

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାରେ ତଦନ୍ତକୁ ଆହୁରି ଜୋରଦାର କରିଛି ଇଡି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଓ ବ୍ୟବସାୟୀ ଅମୀୟକାନ୍ତ ଦାସ । ଅକ୍ଷୟଙ୍କୁ ହନିଟ୍ରାପ୍, ବ୍ଲାକମେଲ୍ ପରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ଏବେ ଅକ୍ଷୟ ପରିଜା ଇଡିରେ ହାଜର ହୋଇଛନ୍ତି ।

କିଭଳି ଭାବେ ଅର୍ଚ୍ଚନା ହନିଟ୍ରାପରେ ଫସାଇ ବ୍ଲାକମେଲ୍ କରୁଥିଲେ । କେମିତି, କାହା ଜରିଆରେ ନେଉଥିଲେ ଟଙ୍କା ? ଏସବୁ ଇଡି ଆଗରେ କହିବେ ଅକ୍ଷୟ ପରିଜା । ଅନ୍ୟପଟେ ବ୍ୟବସାୟୀ ଅମୀୟକାନ୍ତ ଦାସ ମଧ୍ୟ ଇଡିରେ ହାଜର ହୋଇଛନ୍ତି । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ଅମୀୟକାନ୍ତ ୧୦ ଲକ୍ଷ ଟଙ୍କା ୨୦୨୧-୨୨ରେ ପଠାଇଥିଲେ । ତେବେ କାହିଁକି ଅମୀୟକାନ୍ତ ଟଙ୍କା ଦେଇଥିଲେ । ସେନେଇ ଇଡି ଖୋଳତାଡ଼ କରୁଛି ।

ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ପାଇଁ ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରିଥିଲେ । ଅକ୍ଷୟ ପରିଜାଙ୍କ ନାଁରେ ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିଲେ । ଏପରିକି ୩ କୋଟି ଟଙ୍କା ଅର୍ଚ୍ଚନା ମାଗିଥିବା ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ ଅକ୍ଷୟ ପରିଜା । ଅକ୍ଷୟଙ୍କ ଅଭିଯୋଗର କିଛିଦିନ ପରେ ଶ୍ରଦ୍ଧାଞ୍ଜଳି ଖଣ୍ଡଗିରି ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।

ଉକ୍ତ ଅଭିଯୋଗର ତଦନ୍ତ କରି କମିଶନରେଟ ପୋଲିସ ଅର୍ଚ୍ଚନା ନାଗଙ୍କୁ ପ୍ରଥମେ ଗିରଫ କରିଥିଲା । ପରେ ବନ୍ଧା ହୋଇଥିଲେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । କମିଶନରେଟ୍ ପୋଲିସ ଠାରୁ ଇଡି ଏତଲା କପି ନେବା ପରେ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଶ୍ରଦ୍ଧାଞ୍ଜଳିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି । ଏବେ ଜେଲରେ ଅର୍ଚ୍ଚନା ଓ ଜଗବନ୍ଧୁ ଥିବାବେଳେ ଇଡି ରିମାଣ୍ଡରେ ଅଛି ଖଗେଶ୍ୱର ।

Leave A Reply

Your email address will not be published.