Latest Odisha News

ନୂଆଁ ଅନ୍ନ ଖାଇ ନୂଆଖାଇ ପର୍ବ ପାଳିଲେ ମହିମା ଧର୍ମାବଲମ୍ବୀ

ନୂଆପଡା: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଧୁମଧାମର ସହ ପଶ୍ଚିମ ଓଡିଶା ବାସୀ ନୂଆଖାଇ ପାଳନ କରୁଥିବା ବେଳେ ଏହା ପୂର୍ବରୁ ଅର୍ଥାତ ଗହ୍ମା ପୂର୍ଣ୍ଣିମା ଦିନ ଅଲେଖ ଧର୍ମାବଲମ୍ବୀ ଲୋକେ ନୂଆଖାଇଥାନ୍ତି । ସାରା ପଶ୍ଚିମ ଓଡିଶା ନୂଆଖାଇ ପାଇଁ ସଜବାଜ ହେଉଥିବା ବେଳେ ରାକ୍ଷୀ ପୂର୍ଣ୍ଣିମା ଦିନ ମହିମା ଧର୍ମାବଲମ୍ବୀ ଲୋକେ ପ୍ରଥମ ନୂଆଖାଇ ପର୍ବ ପାଳି ବିଶ୍ୱ କଲ୍ୟାଣ ନିମିତ୍ତ ପ୍ରାର୍ଥନା କରିଛନ୍ତି । ନୂଆଖାଇ ର ପରମ୍ପରା ଗୋଟିଏ ହୋଇଥିଲେ ହେଁ ଅଲେଖ ମହିମା ସାଧୁସନ୍ଥ ଆଗତୁରା ଏହି ପର୍ବ ପାଳିବା ଯୁଗଯୁଗର ।

ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବିଭିନ୍ନ ଅଲେଖ ମହିମା ପୀଠରେ ଏହି ଉତ୍ସବ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏହାକୁ ପ୍ରଥମ ନୂଆଖାଇ ମଧ୍ୟ କୁହାଯାଏ । ତୁକୁଲା ଯୋଗୀ ମଠ ମହିମା ଆଶ୍ରମ ଠାରେ ପୀଠର ମୁଖ୍ୟ ପରିଚାଳକ ଲଛମନ ଅନ୍ଧମଣି ବାବାଙ୍କ ବଳିଷ୍ଠ ଉଦ୍ୟମରେ ନୂଆଖାଇ ଯଥା ରୀତିନୀତି ରେ ପାଳିତ ହୋଇଯାଇଛି । ସେହି ଭଳି ସରଧାପୁର, ନିଲଜି, ବୋଡେ଼ନ ପାତାଳଗଙ୍ଗା ଠାରେ ସାଧୁସନ୍ଥ ତ୍ୟାଗୀ ଯୋଗୀ ଋଷି ପ୍ରାତଃ ରୁ ନିତ୍ୟକର୍ମ ସାରି ସ୍ଵାଦିଷ୍ଟ ପିଠାପଣା, ଖିରିଖିଚିଡି ଖାଦ୍ୟ ପ୍ରସ୍ତୁତ କରି ବର୍ଷର ନୂତନ ଅମଳ ଧାନରୁ ଚୁଡା ପ୍ରସ୍ତୁତ କରି ସମୂହ ଏକାଠି ବସି ନୂଆଖାଇ ଥିଲେ ।

ନବାନ୍ନ ଭକ୍ଷଣ ପରେ ବାବା ମାନେ ଏକତ୍ରିତ ହୋଇ ପାରମ୍ପରିକ ଖଞ୍ଜଣି ବାଦ୍ୟ ବଜାଇ ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ । ଚଉଷଠି ସିଦ୍ଧ ଅନନ୍ତ କୋଟି ସାଧୁସନ୍ଥ ମାନଙ୍କ ଆଜ୍ଞା ପାଳନ କରି ପ୍ରତିବର୍ଷ ଗହ୍ମା ପୂର୍ଣ୍ଣିମାରେ ନୂଆଖାଇ ବା ନବାନ୍ନ ଭକ୍ଷଣ କରି ବିଶ୍ୱ ଶାନ୍ତି ପାଇଁ ପ୍ରାର୍ଥନା କରି ଆସୁଥିବା ସାଧୁସନ୍ଥ ମାନେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.