Latest Odisha News

BREAKING NEWS

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍  

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । କେନ୍ଦ୍ରର ମୋଦି ସରକାର ସମସ୍ତଙ୍କ ଲାଗି ବୁଷ୍ଟର ଡୋଜ୍ ମାଗଣାରେ ଯୋଗାଇ ଦେବେ । ୧୮ ବର୍ଷରୁ ଅଧିକ ବୟସ୍କ ମାଗଣାରେ ନେଇ ପାରିବେ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ । ଏନେଇ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ।

ଦେଶରେ ଏବେ ଦୈନିକ ୧୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ପୁଣି ସଂକ୍ରମଣ ବଢ଼ୁଥିବା ବେଳେ ସମସ୍ତଙ୍କୁ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଆସନ୍ତା ୧୫ ତାରିଖରୁ ବୁଷ୍ଟର ଡୋଜ୍ ଅଭିଯାନ ଆରମ୍ଭ ହେବ । ଏହି ଅଭିଯାନ ୭୫ ଦିନ ଯାଏ ଚାଲିବ । ଏବେ ସୁଦ୍ଧା ଦେଶରେ ୧୯୯ କୋଟି ଭ୍ୟାକ୍ସିନ୍ ଡୋଜ୍ ଦିଆଯାଇ ସାରିଲାଣି ।

ସଂକ୍ରମଣ ବଢ଼ୁଥିବା ବେଳେ ଦେଶର ଅଧିକାଂଶ ଲୋକ କୋଭିଡ୍ ଟିକାର ୨ଟି ଯାକ ଡୋଜ୍ ନେଇ ସାରିଛନ୍ତି । କିନ୍ତୁ ବୁଷ୍ଟର ଡୋଜ୍ ଅନେକ ଲୋକ ନେଇ ନାହାନ୍ତି । ଲୋକେ ଆଉ ଟିକା ନେବାକୁ ଆଗ୍ରହ ଦେଖାଉ ନଥିବା ବେଳେ ଲୋକଙ୍କୁ ଟିକାକରଣ ପ୍ରତି ଆକର୍ଷିତ କରିବାକୁ ସରକାର ବୁଷ୍ଟର ଡୋଜକୁ ମାଗଣା କରିଛନ୍ତି । ଜୁଲାଇ ୧୫ରୁ ୭୫ ଦିନ ଯାଏ କେନ୍ଦ୍ର ସରକାର ମାଗଣାରେ ଲୋକଙ୍କୁ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ଯୋଗାଇ ଦେବେ ।

କିଛିଦିନ ତଳେ ସରକାର ଦ୍ୱିତୀୟ ଡୋଜ୍ ପରେ ବୁଷ୍ଟର ଡୋଜ୍ ନେବାର ସମୟ ସୀମାକୁ ହ୍ରାସ କରିଥିଲେ । ପୂର୍ବରୁ କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍ ଦିଆ ଯାଉଥିଲା । ଏବେ ଏହାକୁ ୬ ମାସକୁ ହ୍ରାସ କରାଯାଇଛି । ଏବେ ସୁଦ୍ଧା ୧୮ରୁ ୫୯ ବୟସ୍କ ୭୭ କୋଟି ଲୋକ ବୁଷ୍ଟର ଡୋଜ୍ ନେଇଥିବା ବେଳେ ସଂଖ୍ୟା ବଢ଼ାଇବାକୁ ସରକାର ଆରମ୍ଭ କରିଛନ୍ତି ମାଗଣା ଅଭିଯାନ ।

Leave A Reply

Your email address will not be published.