Latest Odisha News

BREAKING NEWS

ନୂଆ ସଦସ୍ୟଙ୍କୁ ନେଇ ଭୁବନେଶ୍ଵର କ୍ଲବରେ ବିବାଦ

ଭୁବନେଶ୍ଵର: ଭୁବନେଶ୍ଵର କ୍ଲବରେ ସବୁ କିଛି ଠିକ୍ ଚାଲିନାହିଁ। ବଡ଼ବଡ଼ିଆ ଓ ପ୍ରଭାବାଶାଳୀଙ୍କ ମନୋରଞ୍ଜନ ପାଇଁ ପ୍ରତିଷ୍ଠା ପାଇଥିବା ଏହି ଉଚ୍ଚଶ୍ରେଣୀର କ୍ଲବରେ ନୂଆ ସଦସ୍ୟଙ୍କ ପ୍ରବେଶକୁ ନେଇ ବିବାଦ ଦେଖାଦେଇଛି। ବିବାଦ ଏତେ ତୀବ୍ର ହୋଇଛି ଯେ କ୍ଲବର କାର୍ଯ୍ୟନିର୍ବାହୀ କମିଟି ସେହି ୨୭୪ ନୂଆ ସଦସ୍ୟଙ୍କୁ ନିଲମ୍ବନ କରିବା ସହ କ୍ଲବରେ ପ୍ରବେଶ ଉପରେ ରୋକ୍ ଲଗାଇଦେଇଛି । ତେବେ ଏମିତି କାହିଁକି ହୋଇଛି ରାଜ୍ୟର ସବୁଠାରୁ ସମ୍ଭ୍ରାନ୍ତ କ୍ଲବରେ? ପୁଣି ବିବାଦ ଏମିତି ସମୟରେ ହୋଇଛି ଯେତେବେଳେ କ୍ଲବ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କ୍ଲବ ସୂତ୍ର ଅନୁସାରେ କ୍ଲବର ଭାରପ୍ରାପ୍ତ  ସଭାପତି ସୁଦୀପ୍ତ ଦାସ ଓ ଭାରପ୍ରାପ୍ତ ସମ୍ପାଦକ ଅଶୋକ ଚିଞ୍ଚେଲା କ୍ଲବର ନିୟମ ନ ମାନି ଏହି ନୂଆ ସଦସ୍ୟମାନଙ୍କୁ କ୍ଲବର ସଦସ୍ୟତା ପ୍ରଦାନ କରିଛନ୍ତି । କିନ୍ତୁ ଏହି ନୂଆ ସଦସ୍ୟମାନଙ୍କୁ ଚିଠି ଲେଖି ତାଙ୍କ ସଦସ୍ୟତା ଉପରେ ରୋକ ନିଲମ୍ବନ ସମ୍ପର୍କିତ ନିଷ୍ପତ୍ତି ଜଣାଇଦେଇଛନ୍ତି କ୍ଲବର ଜେନେରାଲ ମ୍ୟାନେଜର ପି.ସି ମିଶ୍ର। ଏ ଚିଠିରେ ଉଲ୍ଲେଖ ରହିଛି, ‘ କ୍ଲବର ନିୟମକୁ ଉଲ୍ଲଂଘନ କରାଯାଇ ଆପଣମାନଙ୍କୁ କ୍ଲବର ସଦସ୍ୟତା ପ୍ରଦାନ କରାଯାଇଛି । କ୍ଲବର କାର୍ଯ୍ୟନିର୍ବାହୀ କମଟି ଆପଣମାନଙ୍କ ସଦସ୍ୟତାକୁ ପରବର୍ତ୍ତୀ  ନିର୍ଦ୍ଦେଶ ଯାଏ ସ୍ଥଗିତ ରଖୁଛି’।

କ୍ଲବ ସୂତ୍ର ଅନୁସାରେ କାର୍ଯ୍ୟ ନିର୍ବାହୀ କମିଟି ନିର୍ଦ୍ଦେଶ ଅନୁସାରେ  ସୁଦୀପ୍ତ ଦାସ  ଓ ଅଶୋକ ଚିଞ୍ଚେଲା ଚିଠି ନ ଲେଖିବାରୁ ଜେନେରାଲ ମ୍ୟାନେଜର ପିସି ମିଶ୍ରଙ୍କୁ ଏ ଚିଠି ଲେଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କାର୍ଯ୍ୟନିର୍ବାହୀ କମିଟିର ଅଗୋଚରରେ ଶ୍ରୀ ଦାସ ଓ ଶ୍ରୀ ଚିଞ୍ଚେଲା ସେହି ୨୭୪ ନୂଆ ମେମ୍ବରଙ୍କୁ ୨୦୨୧ ଆରମ୍ଭରେ ସଦସ୍ୟତା ପ୍ରଦାନ କରିଥିଲେ। କ୍ଲବର ଇତିହାସରେ ଏତେ ସଂଖ୍ୟାରେ ନୂଆ ସଦସ୍ୟଙ୍କୁ କେବେ ନିଆଯାଇ ନାହିଁ ବୋଲି କ୍ଲବର ଜଣେ ସଦସ୍ୟ ଓଡ଼ିଶା ସମ୍ବାଦକୁ ସୂଚନା ଦେଇ କହିଛନ୍ତି। ଏପରି ଏତେ ସଂଖ୍ୟାରେ ନୂଆ ମେମ୍ବରଙ୍କୁ ନେବା ପଛରେ ଆର୍ଥିକ ଲାଭ କିମ୍ବା ଭୋଟ୍ ବ୍ୟାଙ୍କ ତିଆରି କରିବା ଉଦ୍ଦେଶ୍ୟ ଥାଇପାରେ ବୋଲି ଅନ୍ୟ ଜଣେ ସଦସ୍ୟ କହିଛନ୍ତି।

ଶ୍ରୀ ଦାସ ଓ ଶ୍ରୀ ଚିଞ୍ଚେଲାଙ୍କୁ ସେମାନଙ୍କ ନିଷ୍ପତ୍ତି ଅଡୁଆରେ ପକାଇବାର ଆଶଙ୍କା ରହିଛି। ସେମାନେ କେବଳ ମନୁମଖୀ ନିଷ୍ପତ୍ତି ନେଇଛନ୍ତି ତାହା ନୂହେ, ମନଇଛା ସଦସ୍ୟତା ବାବଦକୁ ଅର୍ଥ ଆଦାଯ କରିଛନ୍ତି। ଜଣଙ୍କ ଠାରୁ ଆଜୀବନ ସଦସ୍ୟତା ବାବଦକୁ ୫.୯୦ ଲକ୍ଷ ଓ ଜିଏସଟି ନେବା କଥା। କିନ୍ତୁ ଶ୍ରୀ ଦାସ ଓ ଶ୍ରୀ ଚିଞ୍ଚେଲା ଏହାକୁ କମାଇ ଦେଇ ଜିଏସଟି ସହ ମାତ୍ର ୩.୫୦ ଲକ୍ଷ ଆଦାୟ କରିଛନ୍ତି। ଏହା ସହିତ ଅନ୍ୟ ଅନିୟିତତା ରହିଛି ବୋଲି ଜଣେ ପୁରୁଣା ସଦସ୍ୟ କହିଛନ୍ତି।

ତେବେ ଏ ଅନିୟମିତତାକୁ ଶ୍ରୀ ଦାସ ଖଣ୍ଡନ କରିବା ସହ କହିଛନ୍ତି, ‘ ଆମେ କିଛି ଅନିମିୟତତା କରିନାହୁଁ’। ସେହି ପରି ଚିଞ୍ଚେଲା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ‘ ଅନେକ ଗୁଡ଼ିଏ ଆବେଦନ  ପଡ଼ିରହିଥିଲା। ସେମାନଙ୍କୁ ନିୟମ ଅନୁସାରେ ସଦସ୍ୟତା ପ୍ରଦାନ କରାଯାଇଛି’। କାହାକୁ କିଛି ରିହାତି ପ୍ରଦାନ କରାଯାଇନାହିଁ। କ୍ଲବ ନିୟମ ଅନୁସାରେ ନୂଆ ସଦସ୍ୟମାନେ ୨ ବର୍ଷ ପର୍ଯ୍ୟନ୍ତ ଭୋଟ୍ ଦେଇପାରିବେନି ବୋଲି ଶ୍ରୀ ଚିଞ୍ଚେଲା କହିଛନ୍ତି। ତେବେ ଏହି ନୂଆ ସଦସ୍ୟଙ୍କୁ ନେଇ କାର୍ଯ୍ୟନିର୍ବାହୀ କମିଟି ସମେତ ଅନେକ ପୁରୁଣା ସଦସ୍ୟ ଅସନ୍ତୁଷ୍ଟ ଅଛନ୍ତି ବୋଲି କ୍ଲବର ଜଣେ ସଦସ୍ୟ କହିଛନ୍ତି।

କ୍ଲବର ନୂଆ ସଦସ୍ୟମାନଙ୍କ ଯୋଗ୍ୟତା ପୁନଃ ନିର୍ଧାରଣ ପାଇଁ କାର୍ଯ୍ୟନିର୍ବାହୀ କମିଟି ଏକ ୩ ଜଣିଆ ସବକମିଟି ଗଠନ କରିଛି। ଏହି କମିଟିରେ ବରିଷ୍ଠ ଆଇଏଏସ ମଧୁସୂଦନ ପାଢ଼ୀ, ଆଇପିଏସ୍ ଅଧିକାରୀ ଲଳିତ ଦାସ ଓ ଆଇଆରଏସ୍ ଅଧିକାରୀ ଅସିତ ମହାପାତ୍ର ଏହି କମିଟିରେ ଅଛନ୍ତି। ଆମେ ଜଣେ ଜଣେ କରି ସମସ୍ତ ନୂଆ ସଦସ୍ୟଙ୍କ ସଦସ୍ୟତା ଯାଞ୍ଚ  କରିବା ସହ ଆମର ମତାମତ ଓ ସୁପାରିସ ଜଣାଇଦେବୁ ବୋଲି ସବ କମିଟିର ଜଣେ ସଦସ୍ୟ ନିଜ ପରିଚୟ ଗୋପନ ରଖିବା ସର୍ତ୍ତରେ କହିଛନ୍ତି।

ସୁଦୀପ୍ତ ଦାସ ରିଜିଓନାଲ ରିସର୍ଚ ଲାବୋରେଟୋରୀ(ବର୍ତ୍ତମାନ ଆଇଆଇଏମଟି)ର ପୂର୍ବତନ ବୈଜ୍ଞାନିକ ଓ ଅଶୋକ ଚିଞ୍ଚେଲା ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ। ଦୀର୍ଘ ଦିନ ହେଲା ଉଭୟ କ୍ଲବର ପଦାଧିକାରୀ ରହିଆସିବା ସହ  ପୂର୍ବତନ ସଭାପତି ସ୍ଵର୍ଗତ ପ୍ରିୟବ୍ରତ ପଟ୍ଟନାୟକଙ୍କ ଘନିଷ୍ଟ ଅନୁଗତ ଥିଲେ। ପ୍ରିୟବ୍ରତ ପଟ୍ଟନାୟକ ୧୯୮୯ରୁ ତାଙ୍କ ମୃତ୍ୟୁ ୨୦୨୦ ଜୁଲାଇ ପର୍ଯ୍ୟନ୍ତ କ୍ଲବର ମଙ୍ଗ ଧରିଥିଲେ । ଅନ୍ୟପଟେ କରୋନା ଆରମ୍ଭ ହେବା ଦିନଠାରୁ କ୍ଲବର ନିର୍ବାଚନ  ହୋଇପାରିନାହିଁ। ଗତ ମେ ୧ ଓ ୨ରେ ନିର୍ବାଚନ ହେବା ପାଇଁ ନିର୍ଧାରିତ ହୋଇଥିଲେ ମଧ୍ୟ କୋଭିଡର ଦ୍ଵିତୀୟ ଲହରୀ ପାଇଁ ନିର୍ବାଚନକୁ ଘୁଞ୍ଚାଇଦିଆଯାଇଛି।

ଭୁବନେଶ୍ଵର କ୍ଲବର ସ୍ଥାୟୀ ସଦସ୍ୟ, ସରକାରୀ, କର୍ପୋରେଟ ଓ ରାଜ୍ୟ ବାହାର ଭଳି ବର୍ଗରେ ୩୯ଶହ ମେମ୍ବର ରହିଛନ୍ତି। ତେବେ ସମସ୍ତ ସଦସ୍ୟଙ୍କ ଭୋଟିଂ ଅଧିକାର ନାହିଁ। କିଛି ବର୍ଷ ମଧ୍ୟରେ ଏହି ବଡ଼ ଧରଣର ସଦସ୍ୟତା ଗ୍ରହଣକୁ ଛାଡ଼ିଦେଲେ ସ୍ଥାନ ଅଭାବ ଦର୍ଶାଇ ନୂଆ ସଦସ୍ୟମାନଙ୍କୁ ନିଆଯାଇନାହିଁ। ତେବେ ଶ୍ରୀ ଦାସ ଓ ଶ୍ରୀ ଚିଞ୍ଚେଲା ଯୋଡ଼ି କେମିତି ଏତେ ସଂଖ୍ୟାରେ ଲୋକଙ୍କୁ ନୂଆ ସଦସ୍ୟତା ଦେଲେ ତାହା କ୍ଲବର ବହୁ ମେମ୍ବରଙ୍କୁ ଚିନ୍ତାରେ ପକାଇଦେଇଛି।

Leave A Reply

Your email address will not be published.