Latest Odisha News

BREAKING NEWS

ଝାରସୁଗୁଡ଼ା ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି। ଏପ୍ରିଲ ୧୩ ତାରିଖରେ ଗେଜେଟ୍‌ ନୋଟିଫିକେସନ୍‌ ପ୍ରକାଶ ପାଇବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

ଏପ୍ରିଲ ୨୦ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ, ୨୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ମେ ୧୦ ତାରିଖରେ ଭୋଟ ଗ୍ରହଣ ହେବା ସହ ୧୩ ତାରିଖରେ ଭୋଟ ଗଣନା କରାଯିବ। ମେ ମାସ ୧୫ ତାରିଖ ସୁଦ୍ଧା ଉପନିର୍ବାଚନ ସଂପର୍କିତ ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ଅବଗତ କରାଇଛନ୍ତି।

ଉପନିର୍ବାଚନ ଘୋଷଣା ଦିନଠାରୁ ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣବିଧି ଲାଗୁ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଉପନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନଙ୍କ ଦ୍ୱାରା କୌଣସି ଲୋଭନୀୟ ପ୍ରସ୍ତାବ କିମ୍ବା ଆର୍ଥିକ ସହାୟତା ଭୋଟରଙ୍କୁ ଯଚାଯାଇ ପାରିବ ନାହିଁ ବୋଲି ଅବଗତ କରାଯାଇଛି।

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀମାନେ କିମ୍ବା ରାଜନୈତିକ ଦଳ ପ୍ରଚାର ଗାଡ଼ିରେ ମାଇକ୍‌ ବାନ୍ଧି ରାତି ୧୦ ଟାରୁ ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ପ୍ରଚାର କରିପାରିବେ ନାହିଁ । ଆଦର୍ଶ ଆଚରଣ ବିଧି ଜିଲ୍ଲାରେ ବଳବତ୍ତର ଥିବାବେଳେ କୌଣସି ପ୍ରକାରର ଅନୁଦାନ ଯଥା ବିଧାୟକ କିମ୍ବା ସାଂସଦ ପାଣ୍ଠିରୁ ଅନୁଦାନ ଅର୍ଥ ପ୍ରଦାନ କରାଯାଇପାରିବ ନାହିଁ ଓ ପୂର୍ବରୁ ଚାଲୁ ରହିଥିବା ସମସ୍ତ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ଚାଲୁରହିବ।

ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇପାରିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଏଥର ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା ସବୁ ବୁଥ୍‌ରେ ଶତ ପ୍ରତିଶତ ୱେବ୍‌ କାଷ୍ଟିଙ୍ଗର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଉପନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀ ଓ ବିଭିନ୍ନ ରାଜନୈତିକ ଦଳର ତାରକା ପ୍ରଚାରକମାନେ ଯେଉଁସବୁ ଗାଡ଼ି ବ୍ୟବହାର କରିବେ ପୂର୍ବରୁ ସେମାନେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରୁ ଅନୁମତି ନେଇ ନିର୍ବାଚନ ପ୍ରଚାରରେ ଗାଡ଼ି ବ୍ୟବହାର କରିପାରିବେ। ଉପନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଶେଷ ପାଇଁ ନିର୍ବାଚନ କାର୍ଯ୍ୟ ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ରାଜନୈତିକ ଦଳର କର୍ମକର୍ତ୍ତାମାନେ ସହଯୋଗ କରିବା ପାଇଁ ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିବେଦନ କରିଛନ୍ତି ।

ଅପରାଧପ୍ରବଣ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ନିର୍ବାଚନ ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସେମାନଙ୍କ ଅପରାଧ ପୃଷ୍ଠଭୂମି ସଂପର୍କରେ ଅତିକମ୍‌ରେ ତିନିଥର ଗଣମାଧ୍ୟମ ଜରିଆରେ ପ୍ରଚାରପ୍ରସାର କରିବେ ଏବଂ ସଂପୃକ୍ତ ରାଜନୈତିକ ଦଳମାନେ ମଧ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସେମାନଙ୍କ ପ୍ରାର୍ଥୀମାନଙ୍କ ଅପରାଧ ସଂପର୍କରେ ଗଣମାଧ୍ୟମରେ ଅତିକମ୍‌ରେ ତିନିଥର ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପ୍ରଚାରପ୍ରସାର କରାଇ ଜନସାଧାରଣଙ୍କୁ ଅବଗତ କରାଇବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ବୈଠକରେ ଏନ୍‌ସିପି, ବହୁଜନ ସମାଜ ପାର୍ଟି ସମେତ ସିପିଆଇ (ଏମ୍‌), କଂଗ୍ରେସ, ବିଜେପି ଓ ବିଜେଡି ର ପ୍ରତିନିଧି ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.