Latest Odisha News

ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ

କଟକ: ସଡ଼କ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେଇଛନ୍ତି ସରକାର । ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶରେ ସମସ୍ତ ଉପ ପରିବହନ ଆୟୁକ୍ତ (ଡିସିଟି), ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏଆରଟିଓ)ଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି ପରିବହନ କମିସନର । ରାଜ୍ୟ ପରିବହନ ପ୍ରାଧିକରଣ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିବା ବେଳେ ଆଭାସୀ ଜରିଆରେ ଆରଟିଓମାନେ ଉପସ୍ଥିତ ଥିଲେ । ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ନିଜ ନିଜ ଜିଲ୍ଲା ଅନୁଯାୟୀ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ବ୍ୟାପକ ଭାବରେ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପରିବହନ କମିସନର ଅମିତାଭ ଠାକୁର କହିଥିଲେ, ପ୍ରତିଦିନ ଯେଉଁଭଳି ସଡ଼କ ଦୁର୍ଘଟଣା ଘଟୁଛି, ଏହା ଏକ ଚିନ୍ତାଜନକ ସ୍ଥିତି ସୃଷ୍ଟି କରୁଛି । ଏହାକୁ ହ୍ରାସ କରିବା ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେଣୁ ସମସ୍ତ ଆରଟିଓଙ୍କୁ ଗ୍ରାଉଣ୍ଡ ଜିରୋରରେ ଏ ଦିଗରେ ବ୍ୟାପକ କାର୍ଯ୍ୟ କରିବାକୁ ହେବ । ଅନେକ ଗାଡ଼ି ଚାଳକ ସଡ଼କ ସୁରକ୍ଷା ନିୟମ ମାନୁନାହାନ୍ତି । ମନଇଚ୍ଛା ଗାଡ଼ି ଚଲାଉଛନ୍ତି । ଆଉ ନିଜ ସହ ଅନ୍ୟମାନଙ୍କ ଜୀବନ ମଧ୍ୟ ନେଇଯାଉଛନ୍ତି । ଏହାକୁ ରୋକିବାକୁ ହେଲେ ଯୋଜନା ଭିତ୍ତିରେ ଏନଫୋର୍ସମେଣ୍ଟ କରିବାକୁ ହେବ ବୋଲି ଶ୍ରୀ ଠାକୁର କହିଛନ୍ତି ।

ବିଶେଷକରି, ମଦ୍ୟପାନ କରି ଗାଡ଼ି ଚଲାଇବା, ମାଲବାହୀ ଗାଡ଼ିରେ ଯାତ୍ରୀ ନେବା, ରାଜପଥରେ ଅବୈଧ ପାର୍କିଂ କରିବା, ମନଇଚ୍ଛା ଗାଡ଼ିର ଆକାରରେ ପରିବର୍ତ୍ତନ କରି ଭାରସାମ୍ୟ ହରାଇବା, ଗାଡ଼ି ଚଲାଇବା ବେଳେ ମୋବାଇଲ ବ୍ୟବହାର କରିବା ଭଳି ନିୟମ ଉଲ୍ଲଙ୍ଘନକୁ ରୋକିବାକୁ ହେବ । ଏହା ବ୍ୟତୀତ ପ୍ରତି ଜିଲ୍ଲାସ୍ତରରେ ସଡ଼କ ସୁରକ୍ଷା ପାଇଁ ଯେଉଁ ଯେଉଁ ଆହ୍ୱାନ ରହିଛି, ପ୍ରତି ବିଭାଗର ସମନ୍ୱୟ ତଥା ଜିଲ୍ଲା ପ୍ରଶାସନର ସହଯୋଗରେ ଏହାର ସମାଧାନ କରିବାକୁ ହେବ ।

ତେବେ କେବଳ ରେଗୁଲେଟର୍ ବା ନିୟନ୍ତ୍ରକ ଭୂମିକା ନିର୍ବାହ ନୁହେଁ, ଏଜୁକେଟର୍ ଭାବରେ ମଧ୍ୟ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଦାୟିତ୍ୱ ନେବାକୁ ହେବ । ଜନସାଧାରଣଙ୍କ ମଧ୍ୟରେ ନିୟମ ଉଲ୍ଲଙ୍ଘନ ଓ ଏହାର ଭୟାବହତା ସଂପର୍କରେ ସଚେତନତା ସୃଷ୍ଟି କରିବାକୁ ହେବ । ଏଥିପାଇଁ ଅଧିକରୁ ଅଧିକ ସଚେତନ ନାଗରିକଙ୍କ ସହଯୋଗ ନେଇ ସଡ଼କ ସୁରକ୍ଷାକୁ ଏକ ଅଭିଯାନ ଭାବରେ ଗ୍ରହଣ କରିବାକୁ ସେ କହିଛନ୍ତି ।

ସେହିଭଳି ଆରଟିଓମାନଙ୍କ ଦକ୍ଷତା ରିପୋର୍ଟରେ ଆଗକୁ ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟର ମଧ୍ୟ ଏକ ବିଶେଷ ଭୂମିକା ରହିବ ବୋଲି ସେ ସୂଚାଇ ଦେଇଛନ୍ତି । ଏହାସହ ପରିବହନ ସମ୍ୱନ୍ଧୀୟ ସେବା ପ୍ରଦାନରେ ଗତବର୍ଷ କେଉଁ ଆରଟିଓଙ୍କ ପ୍ରଦର୍ଶନ କ’ଣ ରହିଥିଲା, ତାହାର ମଧ୍ୟ ସମୀକ୍ଷା କରାଯାଇଥିଲା ।

ଏହି ଅବସରରେ ସଡ଼କ ସୁରକ୍ଷା କ୍ଷେତ୍ରରେ ବିଭାଗ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଓ ପରବହନ କ୍ଷେତ୍ରରେ ସଂସ୍କାର ସଂପର୍କରେ ମଧ୍ୟ ପରିବହନ ଆୟୁକ୍ତ ସୂଚନା ପ୍ରଦାନ କରିଥିଲେ । ବିଶେଷକରି, ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ସଂସ୍କାର, ଗାଡ଼ିର ଫିଟନେସରେ ସ୍ୱଚ୍ଛତା ଓ ବେପରୁଆ ଗାଡ଼ି ଚାଳକଙ୍କୁ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ନିୟନ୍ତ୍ରଣ କରିବା ଦିଗରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ଯାତ୍ରୀବାହି ଯାନ ଗୁଡ଼ିକ ଯେପରି ଯାତ୍ରୀ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବେ ଏ କ୍ଷେତ୍ରରେ ଆରଟିଓମାନେ କଡ଼ା ନଜର ରଖିବେ । ଏହାସହ, ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନର ଉଚିତ୍ ସମୀକ୍ଷା କରି ସୁଧାର ଦିଗରେ ପ୍ରୟାସ କରିବାକୁ କୁହାଯାଇଛି ।

Leave A Reply

Your email address will not be published.