Latest Odisha News

BREAKING NEWS

‘ଫାଶୀ’ ହଟାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଉତ୍ତର ରଖିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ମୃତ୍ୟୁ ଦଣ୍ଡ ପାଇଁ ଫାଶୀ ବଦଳରେ ଅନ୍ୟ କୌଣସି ଉପାୟ ପାଇଁ ଲାଗୁ କରିବା ପାଇଁ ହୋଇଥିବା ଦାବି ଉପରେ ସୁପ୍ରିମ କୋର୍ଟଙ୍କୁ କେନ୍ଦ୍ର ସରକାର କହିଛନ୍ତି, ଏହି ମାମଲାରେ ଏକ ଏକ୍ସପର୍ଟ କମିଟି ଗଠନ ଉପରେ ବିଚାର କରାଯାଉଛି  । କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ପ୍ରତ୍ୟେକ ଦିଗକୁ ନେଇ ଯାଞ୍ଚ କରିବା ଲାଗି ଏକ ବିଶେଷଜ୍ଞ କମିଟି ନିଯୁକ୍ତି ପାଇଁ ବିଚାର ବିମର୍ଷ ଚାଲିଛି ।

ଆଇନ ବଳୟ ଭିତରେ ଫାଶୀ ସଜା ପାଇବାକୁ ଥିବା କଏଦୀମାନଙ୍କୁ କମ ଯନ୍ତ୍ରଣା ଦାୟକ ମୃତ୍ୟୁ କିପରି ଦିଆ ଯାଇ ପାରିବ ସେ ଉପରେ ଏହି କମିଟି ବିଭିନ୍ନ ଦିଗକୁ ନେଇ ବିଚାର କରୁଛି । ଏହା ପରେ ସୁପ୍ରମକୋର୍ଟ ଏହି ପ୍ରସଙ୍ଗ ଉପରେ ଆଗତ ଏକ ମାମଲାର ଶୁଣାଣିକୁ ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି ।

ଯେ ପର୍ଯ୍ୟନ୍ତ ମୃତ୍ୟୁ ନ ହୋଇଛି ସେ ପର୍ଯ୍ୟନ୍ତ କଏଦୀଙ୍କୁ ଫାଶୀରେ ଝୁଲାଇ ରଖିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥାନ୍ତି। ଋଷି ମାଲହୋତ୍ରା ନାମକ ଜଣେ ଆଇନଜୀବୀ ଏହାକୁ ଅତି କ୍ରୁର ଏବଂ ଅମାନବୀୟ ଉପାୟ ବୋଲି କହି ଏ ପ୍ରସଙ୍ଗରେ ଏକ ଆବେଦନ କରିଥିଲେ ।

ଆବେଦନରେ କୁହାଯାଇଥିଲା, ଫାଶୀର ପୂରା ପ୍ରକ୍ରିୟା ବହୁତ ଲମ୍ବା । ମୃତ୍ୟୁ ସୁନିଶ୍ଚିତ କରିବା ପାଇଁ ଫାଶୀ ପରେ ବି ଦଣ୍ଡ ପାଉଥିବା ବ୍ୟକ୍ତିଙ୍କୁ ଆାହୁରି ଅଧଘଣ୍ଟାଏ ଲେଖାଏ ଝୁଲାଇ ରଖାଯାଇଥାଏ । ଆବେଦନରେ ଏକଥା ମଧ୍ୟ କୁହାଯାଇଛି ଯେ, ଅନେକ ଦେଶ ଏହି ପ୍ରଥାକୁ ଉଠାଇ ଦେଲେଣି ।

ଋଷି ମାଲହୋତ୍ରା ଏକଥା ମଧ୍ୟ କହିଛନ୍ତି ଯେ, ଭାରତରେ ଏହାକୁ ବନ୍ଦ କରାଯିବା ଉଚିତ । ଫାଶୀ ବଦଳରେ ଇଞ୍ଜେକ୍ସନ, ଗୁଳି ମାରିବା କିମ୍ବା ଇଲେକ୍ଟ୍ରିକ ଚେୟାର ବ୍ୟବହାର  ପରି ଉପାୟ ଲାଗୁ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

ମୁଖ୍ୟ ବିଚାରପତି ୱାଇ ଚନ୍ଦ୍ରଚୂଡ ଏବଂ ବିଚାରପତି ପିଏସ ନରସିଂହାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାର୍ଚ୍ଚ ୨୧ ତାରିଖରେ ଏହି ଆବେଦନ ଉପରେ ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଏ ନେଇ ତଥ୍ୟ ଦେବାକୁ କହିଥିଲେ ।

Leave A Reply

Your email address will not be published.