Latest Odisha News

ଫ୍ରଡ୍ ୱେବସାଇଟରେ ୪ ମାସରେ ୩୯ କୋଟିର କାରବାର, ସତର୍କ କଲା ଇଓଡବ୍ଲୁ

ଭୁବନେଶ୍ୱର: ରାଜ୍ୟରେ ସାଇବର କ୍ରାଇମ୍ ବଢ଼ୁଥିବା ବେଳେ ଇଓଡବ୍ଲୁ ଲୋକଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଠକ୍ ଫ୍ରଡ୍ ୱେବସାଇଟ୍ ଜରିଆରେ ଲୋକଙ୍କୁ ଠକୁଛନ୍ତି । www.smsmvip.com ୱେବସାଇଟ୍ ଜରିଆରେ ପ୍ରାୟ ୩୭୦୦ ଜଣ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି ।

ଆମେରିକାରେ ତିଆରି ହୋଇଥିବା ଏହି ୱେବସାଇଟ୍ ଚୀନର ହଂକଂରୁ ପରିଚାଳିତ ହେଉଥିବା ବେଳେ ଠକେଇର ଚେର ଦୁବାଇ ଯାଏ ଲମ୍ବିଛି । ଇଓଡବ୍ଲୁର ସୂଚନା ଅନୁସାରେ ଠକେଇ ପାଇଁ ବ୍ୟବହୃତ ୱେବସାଇଟରେ ମାରାଥନ୍ ଡିଜିଟାଲ୍ ହୋଲ୍ଡିଂ ନାଁରେ ଆକାଉଣ୍ଟ ଖୋଲିବାକୁ ଲୋକଙ୍କୁ ପ୍ରବର୍ତ୍ତାଉ ଯାଉଥିଲା । ଯେଉଁଥିରେ ଦୈନିକ ୧ ହଜାରରୁ ୨ ଲକ୍ଷ ପର୍ଯ୍ୟନ୍ତ ନିବେଶ କଲେ ହଜାରେ ଟଙ୍କାରେ ୧୫୦୦ ଟଙ୍କା ଅଧିକ ଫେରସ୍ତ ମିଳିବ ବୋଲି ଉଲ୍ଲେଖ ରହିଛି ।

ଜମାକାରୀଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଅର୍ଥ ଜମା ପରେ ୱେବସାଇଟରେ ବିଭିନ୍ନ ପ୍ରକାପ ଟାସ୍କ କରିବାକୁ ଦିଆଯାଏ । ଟାସ୍କ ଶେଷ କରିବା ପରେ ଟେଲିଗ୍ରାମରେ ସ୍କ୍ରିନସଟ୍ ସେୟାର କରନ୍ତି ଜମାକାରୀ । ଏହା ପରେ ଜମାକାରୀଙ୍କୁ ଆଉ ଗୋଟିଏ ଟାସ୍କ ଦିଆଯାଇଥାଏ । ପ୍ରତିଟି ଟାସ୍କରେ ସର୍ବନିମ୍ନ ୧ ହଜାର ଟଙ୍କା ଜମା କରିବାକୁ ପଡ଼େ । ଆଉ ପେମେଣ୍ଟ କେବଳ ୟୁପିଆଇ ଆଇଡିରେ ନିଆ ଯାଉଥିବା ବେଳେ କିଛି ମିନିଟରେ ୟୁପିଆଇ ଆଇଡି ବଦଳି ଯାଏ ।

ତଦନ୍ତ ବେଳେ ଅର୍ଥନୈତିକ ଅପରାଧ ଶାଖା ଜାଣିବାକୁ ପାଇଛି, ଏକାଧିକ ସେଲ୍ କମ୍ପାନୀ ଓ ବ୍ୟକ୍ତିବିଶେଷଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଛି ଉକ୍ତ ୟୁପିଆଇ ଆଇଡି । ଏଭଳି ୧୧ଟି ଆକାଉଣ୍ଟରେ ଟଙ୍କା ଜମା ହେଉଥିବା ବେଳେ ସେଠାରୁ ଟଙ୍କାକୁ ଏକ ଘରୋଇ ବ୍ୟାଙ୍କର ୩ଟି ଆକାଉଣ୍ଟରେ ଜମା କରାଯାଉଥିଲା । ୩ରୁ ୪ ମାସ ମଧ୍ୟରେ ପ୍ରାୟ ୩୯.୧୧ କୋଟିର ନେଣଦେଣ ହୋଇଥିବା ବେଳେ ଏବେ ଜମା ଥିବା ୧୧.୯୧ ଲକ୍ଷ ଟଙ୍କାକୁ ଫ୍ରିଜ୍ କରିଛି ଇଓଡବ୍ଲୁ ।

ତେବେ ଦୁବାଇରେ ଏହି ଆକାଉଣ୍ଟରୁ ୪୧.୨୬ ଲକ୍ଷ ଟଙ୍କା ଉଠାଯାଇଛି । ଏବେ ବି ଏହି ୱେବସାଇଟ୍ ସକ୍ରିୟ ଥିବା ବେଳେ ଏଥିରେ ସାରା ଦେଶରୁ ପ୍ରାୟ ୩୭୦୦ ନିବେଶକ ଟଙ୍କା ଜମା କରି ଠକେଇର ଶିକାର ହୋଇଥିବା ଜଣାପଡ଼ିଛି ।

ଏଭଳି ଠକେଇରୁ ରକ୍ଷା ପାଇବା ଲାଗି ଅର୍ଥନୈତିକ ଅପରାଧ ଶାଖା ଆଡଭାଇଜରି ଜାରି କରିଛି । ହ୍ୱାଟ୍ସଆପରେ ଆସୁଥିବା ଅତିରିକ୍ତ ରୋଜଗାର ମେସେଜକୁ ସେୟାର କରିବେ ନାହିଁ । ବିଶେଷ କରି ଦେଶ ବାହାର ନମ୍ବରକୁ ଗୁରୁତ୍ୱ ଦେବେନି । ହ୍ୱାଟ୍ସଆପ୍ ଓ ଟେଲିଗ୍ରାମରେ ଆସୁଥିବା ପ୍ରତିଟି ମେସେଜ୍ ସତ ନୁହେଁ ।

ଏଭଳି ୱେବସାଇଟରେ ଟଙ୍କା ଦେଣନେଣ ପୂର୍ବରୁ ସତର୍କ ରୁହନ୍ତୁ । ୟୁପିଆଇ ଆଇଡିରେ ଟଙ୍କା ଦେବା ବେଳେ କମ୍ପାନୀର ନାଁ ଯାଞ୍ଚ କରନ୍ତୁ । ଅନେକ ୱେବସାଇଟ୍ ଓ କମ୍ପାନୀ ବିଶ୍ୱାସ ଜିତିବା ଲାଗି ୨ରୁ ୩ ମାସ କମିଶନ ଟଙ୍କା ଦେବା ପରେ ଟଙ୍କା ଉଠାଣ ବନ୍ଦ କରି ଦେଇଥାନ୍ତି ।

Leave A Reply

Your email address will not be published.