Latest Odisha News

BREAKING NEWS

ନାଳ ପାଖେ ଅଟକି ଯାଇଛି ସ୍ୱାସ୍ଥ୍ୟସେବା, ଷ୍ଟ୍ରେଚରରେ ବୁହା ହେଉଛନ୍ତି ଗର୍ଭବତୀ

ଢେଙ୍କାନାଳ: ଢେଙ୍କାନାଳର ଏଇ ନାଳ ନିକଟରେ ଅଟକି ଯାଉଛି ସରକାରଙ୍କର ସବୁ ସ୍ୱାସ୍ଥ୍ୟ ଯୋଜନା । ଗୁରୁତର ରୋଗୀ ହୁଅନ୍ତୁ ବା ଗର୍ଭବତୀ, ଏଇଠି ସମସ୍ତଙ୍କ ବାଟ ଅଟକାଇ ଦିଏ ,  ବିକାଶର ପଥରୋଧ କରେ ଏଇ ନାଳ। ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧୁଷିତ ଏଇ ଅଞ୍ଚଳ ଆଜି ଏଇ ନାଳ ପାଇଁ ଅପହଞ୍ଚ ଇଲାକାର ନାଁ ନେଇଛି ।   ଏଇ ଅପହଞ୍ଚ ଇଲାକାରେ ଜନନୀ ଯନ୍ତ୍ରଣାର ଦୃଶ୍ୟ ଏକ ନିିତିଦିନିଆ ଘଟଣା ହେଲେ ବି ସମାଧାନର ବାଟ ପାଉନାହାନ୍ତି ଲୋକେ ।

ଏଇ ନାଳ ହେଉଛି ପିଛୁଳି ନାଳ । ରହିଛି  କଙ୍କଡାହାଡ଼ ବ୍ଲକ କାନ୍ତୋୁଲ ପଞ୍ଚାୟତର  ଏକୁଲ ଗ୍ରାମରେ ।ଏହି ଗ୍ରାମ ଉପରେ ନିର୍ଭର କରୁଛନ୍ତି ଅନ୍ୟ ତିନୋଟି ଗ୍ରାମ ସେକୁଲ, କୋଟ ଓ ପୁଟିପାଳ l ଗାଁରେ ରୁହନ୍ତି  ୧୦୦ ପରିବାର ।  ଏକୁଲ ଗାଁ ପାଇଁ ଗମନାଗମନର ସୁବିଧା ନାହିଁ । ଖରା ଦିନ ଯାହା ଯେମିତି କଟେ,  ବର୍ଷା ଦିନରେ ଅବସ୍ଥା ଆହୁରି ସାଂଘାତିକ । ପିଛୁଳି ନାଳ ଉପରେ ସେତୁ ନ ଥିବାରୁ ନାଳ ଉପରେ ବର୍ଷା ଜଳ ପ୍ରଭାହିତ ହୁଏ ଯାହା ଫଳରେ  ଗ୍ରାମଟି ବର୍ଷା ୪ ମାସ ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ନିଛିନ୍ନ ହେଇଯାଇଥାଏ ।

ଆଜି ଏକୁଲ ଗ୍ରାମର ସୁଷ୍ମନ୍ତ ଦେହୁରୀଙ୍କ ପତ୍ନୀ ପିଙ୍କି ଗର୍ଭବତୀ ଥିବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ପିଙ୍କିଙ୍କୁ  ଡାକ୍ତରଖାନା ନେବା ପାଇଁ  ପରିବାର ଲୋକେ ଆଶା ଦିଦିଙ୍କ ସହାୟତାରେ ଆମ୍ବୁଲାନ୍ସ ଡାକାଇଥିଲେ ।
ଏକୁଲ ଗାଁ ଯିବା ବାଟରେ ପିଛୁଳି ନାଳ ପଡେ  । ଭରା ନାଳ ଯୋଗୁ ଆମ୍ବୁଲାନ୍ସ ଗାଁ ରେ ପହଁଚି ପାରିଲା ନାହିଁ ।ଗ୍ରାମ ଲୋକ ମାନଙ୍କ ସହାୟତାରେ ଭରା ନାଳରେ ଷ୍ଟ୍ରେଚରରେ ଗର୍ଭବତୀ  ମହିଳାଙ୍କୁ ବୋହି ନାଳ ପାରକରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଆମ୍ବୁଲାନ୍ସ ଦ୍ୱାରା ଗର୍ଭବତୀ ପିଙ୍କିଙ୍କୁ   କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ ଚିକିତ୍ସା ପାଇଁ ଆଣିଥିଲେ । ପରେ ପିଙ୍କି  କାମାକ୍ଷାନଗର ଉପଖଣ୍ଡ ମେଡ଼ିକାରେ ପୁତ୍ର ସନ୍ତାନ ଜନ୍ମ ହେଇଅଛି । ବର୍ତ୍ତମାନ ମା‘ ଓ ଶିଶୁ ଦୁଇ ଜଣ ସୁସ୍ଥ ଅଛନ୍ତି ।

ଯାହା ବି ହେଉ, ଗତ ୮ ତାରିଖ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସହିତ ଜିଲ୍ଲାର ସମସ୍ତ ଅଧିକାରୀ ପୁଟିପାଳ ଗାଁକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ତୁରନ୍ତ ସମାଧାନର ପ୍ରତିଶ୍ରତି ଦେଇଥିଲେ । ସେତିକି ନୁହେଁ, ଏହି ଗାଁକୁ ପୋଷ୍ୟ ଗାଁ ଭାବେ ମଧ୍ୟ ଗ୍ରହଣ କରିଥିଲେ ।  ଏହି ନାଳ ଉପରେ ସେତୁ ନିର୍ମାଣ କରାଯିବା ପାଁଇ ପ୍ରସ୍ତାବ ଦିଆଯାଇଛି । ତେବେ କେତେଦିନ ପରେ ଏହି ପୋଲ ନିର୍ମାଣ କାମ ଶେଷ ହେବ ଦେଖାଯାଉ ।

Leave A Reply

Your email address will not be published.