Latest Odisha News

ଆସନ୍ତାକାଲି ପୁରୀରେ ସ୍ଥିତି ସମୀକ୍ଷା କରିବେ ଆମିକସକ୍ୟୁରୀ ଓ ସିଲିସିଟର ଜେନେରାଲ

ପୁରୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ଏବଂ ସିଲିସିଟର ଜେନେରାଲ ଶୁକ୍ରବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହେଉଥିବା ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା କରିବେ ।

ଏହାବ୍ୟତିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଦିନ କାକୁଡିଖାଇ ମନ୍ଦିରର ନିକଟସ୍ଥ ବନିଆ ପଟିରେ ଥିବା ଏମାର ମଠ ଓ ୧୧ଟି ଅଳଙ୍କାର ଦୋକାନର ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।

ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାସ କହିଛନ୍ତି ଯେ, ଆମିକସକ୍ୟୁରୀ ରଣଜୀତ କୁମାର ଏବଂ ସିଲିସିଟର ଜେନେରାଲ ତୁଷାର ମେହତା ଶୁକ୍ରବାର ଦିନ ସକାଳେ ପୁରୀରେ ପହଞ୍ଚିବେ ।

ଏହି ୨ ଜଣ ପ୍ରଥମେ ଜଗନ୍ନାଥ ମନ୍ଦିରର ଦର୍ଶନ ଲାଗି ଯିବେ ଏବଂ ପରେ ମନ୍ଦିର ପରିସରରେ ଉଚ୍ଛେଦ ପ୍ରକ୍ରିୟା ଏବଂ ମଠ ଓ ଗାଦି ଆଦିର ସ୍ଥିତି ଅନୁଧ୍ୟାନ କରିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୭ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାଶ୍ୱର୍ରୁ ତଥା ମେଘନାଦ ପାଚେରୀରୁ ପ୍ରାୟ ୭୫ମି. ଯାଏଁ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଇଣ୍ଟର କଣ୍ଟିନେଣ୍ଟାଲ୍ ଲୟର୍ସ ଆସୋସିଏସନ ଏବଂ ଚେନ୍ନାଇର ଜଣେ ସାଧାରଣ ବ୍ୟକ୍ତିଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ଦାଏର ୨ଟି ମାମଲାକୁ କୋର୍ଟ ଖାରଜ କରିଦେଇଥିଲେ ।

ମାମଲା ଖାରଜ ଲାଗି ଯୁକ୍ତି କରିଥିଲେ ଆଡଭୋକେଟ୍ ଜେନେରାଲ୍ (ଏଜି) ଅଶୋକ ପରିଜା । ଏଜି ଆହୁରି ମଧ୍ୟ କହିଥିଲେ ଯେ, ଯାହା ହେଉଛି ବିପି ଦାସ କମିଶନଙ୍କ ସୁପାରିଶ କ୍ରମେ । ତାଙ୍କ ରିପୋର୍ଟକୁ ଆଧାରା କରି ସରକାର ଜବର ଦଖଲ ଉଚ୍ଛେଦ କରୁଛନ୍ତି ।

ଏଜିଙ୍କ ଅନୁରୋଧକ୍ରମେ ଆପେକ୍ସ କୋର୍ଟ ଆସନ୍ତା ୯ ଓ ୧୦ରେ ଆମିକସକ୍ୟୁରୀ ରଣଜୀତ କୁମାର ଏବଂ ସିଲିସିଟର ଜେନେରାଲ ତୁଷାର ମେହତାଙ୍କୁ ପୁରୀ ଆସି ପରିସ୍ଥିତି ଦେଖିବାକୁ ଆମନ୍ତ୍ରଣ କରି ନିର୍ଦ୍ଦେଶ ଦେଇଥିଲେ । ପରେ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ କୋର୍ଟ ଧାର୍ଯ୍ୟ କରିଛନ୍ତି ।

Comments are closed.