Latest Odisha News

BREAKING NEWS

ପହଞ୍ଚିଲେ ଆମିକସ୍ କ୍ୟୁରି, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନ ସହ ଆଜି ଆଲୋଚନା

ପୁରୀ: ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସଲିସିଟର ଜେନେରାଲ୍ ରଞ୍ଜିତ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିର ସଂସ୍କାର ଲାଗି ଆମିକସ୍ କ୍ୟୁରି ଭାବେ ନିଯୁକ୍ତ ହେବା ପରେ ଶୁକ୍ରବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଶନିବାର ଦିନ ପୁରୀରେ ପହଞ୍ଚି ଗଜପତି ମହାରାଜା, ସେବାୟତ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ବୈଠକରେ ଆଲୋଚନା କରିବେ ଆମିକସ୍ କ୍ୟୁରି ।

ଶୁକ୍ରବାର ଦିନ ଭୁବନେଶ୍ୱରରେ ପହଞ୍ଚିଲା ପରେ ଶନିବାର ଦିନ ପୁରୀରେ ପହଞ୍ଚିଛନ୍ତି ଆମିକସ୍ କ୍ୟୁରି । ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆମିକସ୍ କ୍ୟୁରି ଶନିବାର ଦିନ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ସହିତ ୧୦ଟା ୩୦ରେ ସାକ୍ଷାତ ଆଲୋଚନା କରି ଜିଲ୍ଲା ଜଜ ମାନଙ୍କ ସହିତ ୧୧ଟା ୩୦ ମିନିଟରେ ସାକ୍ଷାତ କରିବେ ।

ଦିନ ପ୍ରାୟ ୩ଟା ବେଳକୁ ଆମିକସ୍ କ୍ୟୁରି ବିଭିନ୍ନ ପ୍ରଶାସନିକ ମୁଖ୍ୟ ତଥା ଛତିଶା ନିଯୋଗର ବରିଷ୍ଠ କର୍ମକର୍ତ୍ତାଙ୍କ ସହିତ ସାକ୍ଷାତ ଆଲୋଚନା କରିବେ । “ଆମେ ଜଗନ୍ନାଥମ ମନ୍ଦିର ପରିଚାଳନା କମିଟି ସହିତ ମଧ୍ୟ ଆଲୋଚନା କରିବାକୁ ଆମିକସ୍ କ୍ୟୁରିଙ୍କୁ ନିବେଦନ କରିଛୁ,” ବୋଲି କହିଛନ୍ତି ପ୍ରଦୀପ୍ତ ମହାପାତ୍ର ।

ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ଆମିକସ୍ କ୍ୟୁରି ଶ୍ରୀମନ୍ଦିର ସଂସ୍କାର ସମ୍ପର୍କରେ ଏକ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ଏହି ରିପୋର୍ଟକୁ ଖଣ୍ଡପୀଠକୁ ପ୍ରଦାନ କରିବେ ।

ଆମିକସ୍ କ୍ୟୁରି ପୁରି ଆସିବା ପୂର୍ବରୁ ତାଙ୍କର ସହଯୋଗୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ପ୍ରିୟ ଅଗ୍ନିହୋତ୍ରୀ ଫେବୃଆରୀ ୨୦ ତାରିଖରେ ପୁରୀ ପହଞ୍ଚି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ତଥା ଛତିଶା ନିଯୋଗ ସହିତ ବିଶଦ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.