Latest Odisha News

ରାହୁଲଙ୍କ ବୟାନବାଜିକୁ ଶାହଙ୍କ କଡା କାଉଣ୍ଟର

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ ବୟାନକୁ ନେଇ ଚର୍ଚ୍ଚା। ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ବିଜେପି ଖଡ୍ଗହସ୍ତ। ଭାରତରେ ଶିଖ୍ ଅଧିକାର ସଂପର୍କିତ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧିଙ୍କୁ ଘେରିଛି ବିଜେପି। ଏବେ ଲୋକସଭାରେ ବିରୋଧୀ ଦଳ ନେତାଙ୍କ ସଂରକ୍ଷଣ ସଂପର୍କିତ ବୟାନ ରାଜନୈତିକ ବୋବାଲ୍ ମଚାଇଛି। ରାହୁଲ ଗାନ୍ଧିଙ୍କ ଟିପ୍ପଣୀର ଜବାବ ରଖୁଛି ବିଜେପି । ଏବେ ରାହୁଲ ସଂରକ୍ଷଣ ପ୍ରସଙ୍ଗରେ ଏମିତି କିଛି କହିଛନ୍ତି, ଯାହାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ରାହୁଲ ଓ କଂଗ୍ରେସକୁ କରିଛନ୍ତି ଶାଣିତ ଆକ୍ରମଣ । ଅନ୍ୟ ପ୍ରସଙ୍ଗରେ ମଧ୍ୟ ରାହୁଲଙ୍କ ଟିକାଟିପ୍ପଣୀରେ କଡା ଜବାବ ଦେଇଛନ୍ତି ଅମିତ ଶାହ ।

ସଂରକ୍ଷଣ ପ୍ରସଙ୍ଗରେ କ’ଣ କହିଥିଲେ ରାହୁଲ ?
ଆମେରିକାରେ ରାହୁଲ ଗାନ୍ଧି କିଛି ନା କିଛି କହୁଛନ୍ତି, ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ବିଜେପି । ଏବେ ସଂରକ୍ଷଣ ପ୍ରସଙ୍ଗରେ ରାହୁଲ ଗାନ୍ଧି ଦେଇଥିବା ଟିପ୍ପଣୀରେ ଖପ୍ପା ହୋଇଛି ବିଜେପି । ଏଥର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାହୁଲଙ୍କୁ ଦେଇଛନ୍ତି ଜବାବ । ୱାସିଂଟନ ଡିସିର ଜର୍ଜଟାଉନ ବିଶ୍ୱବିଦ୍ୟାଳୟର ଛାତ୍ର ଓ ଶିକ୍ଷକଙ୍କ ସହ ଆଲୋଚନା ବେଳେ ରାହୁଲ ସଂରକ୍ଷଣ ପ୍ରସଙ୍ଗରେ ମତ ରଖିଥିଲେ । ଜାତି ଭିତ୍ତିକ ସଂରକ୍ଷଣ ଛଡା ତୃଣମୂଳସ୍ତରରେ ସଂସ୍ଥାଗୁଡିକୁ ମଜବୁତ୍ କରିବା ପାଇଁ ଅନ୍ୟ କୌଣସି ଭଲ ଉପାୟ ଅଛି କି ବୋଲି ରାହୁଲଙ୍କୁ ପଚରାଯାଇଥିଲା । ପ୍ରଶ୍ନର ଉତ୍ତର ରଖିଥିଲେ ରାହୁଲ । ଯେବେ ଭାରତ ଏକ ନିରପେକ୍ଷ ସ୍ଥାନ ହେବ , ସେତେବେଳେ ଆମେ ସଂରକ୍ଷଣ ଶେଷ କରିବା ବିଷୟ ଚିନ୍ତା କରିବୁ । ଏବେ ଭାରତ ନିରପେକ୍ଷ ସ୍ଥାନ ନୁହେଁ । ତେଣୁ ସମସ୍ୟା ରହିଛି ବୋଲି ରାହୁଲ କହିଥିଲେ । ରାହୁଲ ଗାନ୍ଧିଙ୍କ ଏହି ଟିପ୍ପଣୀ ବିଜେପିକୁ ଖୋରାକ ଯୋଗାଇଛି।

ରାହୁଲଙ୍କୁ ଅମିତ ଶାହଙ୍କ ଶାଣିତ ଆକ୍ରମଣ
ରାହୁଲ ଗାନ୍ଧିଙ୍କ ସଂରକ୍ଷଣ ସଂପର୍କିତ ଟିପ୍ପଣୀ ନେଇ ରାଜନୀତି ସରଗରମ । କଂଗ୍ରେସ ଓ ରାହୁଲଙ୍କ ଉପରେ ଦାଉ ସାଧିବାକୁ ବିଜେପିକୁ ମିଳିଯାଇଛି ମୌକା । ଏଥର ରାହୁଲଙ୍କୁ କାଉଂଟର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଯେତେଦିନ ଯାଏଁ ବିଜେପି ଥିବ, କେହି ବି ସଂରକ୍ଷଣ ଶେଷ କରିପାରିବେ ନାହିଁ । ରାହୁଲ ଗାନ୍ଧିଙ୍କୁ ଏ କଥା ସ୍ପଷ୍ଟ ଭାବେ କହିବାକୁ ଚାହେଁ ବୋଲି ଅମିତ ଶାହ କହିଛନ୍ତି । ବିଜେପି ଥିବା ଯାଏଁ ଦେଶର ସୁରକ୍ଷା ସହ ସାଲିସ କରିବାକୁ ଦିଆଯିବ ନାହିଁ ବୋଲି ମଧ୍ୟ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କଂଗ୍ରେସର ସଂରକ୍ଷଣ ବିରୋଧୀ ଅସଲ ଚେହେରା ପଦାରେ ପଡିଯାଇଛି । ରାହୁଲଙ୍କ ବୟାନ ଦ୍ୱାରା କଂଗ୍ରେସର ଆଂଚଳିକବାଦ, ଧର୍ମ ଓ ଭାଷା ନେଇ ବିଭାଜନ ସୃଷ୍ଟି କରିବା ରାଜନୀତି ଉଜାଗର ହୋଇଛି । ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଜରିଆରେ କଂଗ୍ରେସ ଓ ରାହୁଲ ଉପରେ ବର୍ଷିଛନ୍ତି ଅମିତ ଶାହ ।

ରାହୁଲଙ୍କ ବୟାନ ଦେଶର ସୁରକ୍ଷା ପ୍ରତି ବିପଦ’
ଆମେରିକାରେ ଅନ୍ୟ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ ବୟାନର କଟୁ ସମାଲୋଚନା କରିଛନ୍ତି ଅମିତ ଶାହ । ବିଦେଶର ରାହୁଲ ଗାନ୍ଧି ଭାରତ ବିରୋଧୀ ବୟାନ ଦେଇ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛନ୍ତି । ଦେଶବାସୀଙ୍କ ଭାବନାକୁ ଆଘାତ ଦେଇଛନ୍ତି । ଭାରତକୁ ଭାଗ ଭାଗ କରିବାକୁ ଷଡଯନ୍ତ୍ର କରୁଥିବା ଲୋକଙ୍କ ରାହୁଲ ଗାନ୍ଧି ସର୍ବଦା ସମର୍ଥନ କରି ଆସୁଛନ୍ତି ବୋଲି ଏକ୍ସ ଜରିଆରେ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ।
ରାହୁଲ ଗାନ୍ଧି ବିଜେପି ଓ ଆରଏଏସକୁ ଆକ୍ରମଣ କରିବା ସହ ପ୍ରଧାନମନ୍ତ୍ରୀ ସମ୍ବିଧାନ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଥିଲେ ।

ରୋଜଗାର ପ୍ରସଙ୍ଗରେ ଚୀନ୍‌କୁ ପ୍ରଶଂସା ଓ ଶିଖ୍ ଅଧିକାର ସଂପର୍କିତ ରାହୁଲଙ୍କ ଟିପ୍ପଣୀ ଜାତୀୟ ରାଜନୀତିକୁ ସରଗରମ କରିଛି । ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ଆକ୍ରମଣାତ୍ମକ ପ୍ରତିକ୍ରିୟା ରଖିଛି ବିଜେପି । ଅମିତ ଶାହ ମୁହଁ ଖୋଲିଛନ୍ତି । ରାହୁଲଙ୍କ ବୟାନର ଜବାବ ପ୍ରଧାନମନ୍ତ୍ରୀ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

 

Comments are closed.