ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।
ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାତି ପାହିଲେ ଛତିଶଗଡ଼ ଆସିବେ। ସେଥିପାଇଁ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଉଠିଛି। ଅମିତ ଶାହା ୨୨ ତାରିଖ ଅର୍ଥାତ ଆସନ୍ତାକାଲି ଦୁର୍ଗ ଆସିବା ସହ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ତେଣୁ ଏହି ସଭାକୁ ସଫଳ କରିବାକୁ ବିଜେପି ଜୋରଦାର ଉଦ୍ୟମ କରୁଛି। ସେପଟେ ନିର୍ବାଚନ ପୂର୍ବରୁ ଛତିଶଗଡ଼ରେ ପ୍ରମୁଖ ଦଳ ନିଜ ନିଜର ସର୍ଭେ ଆରମ୍ଭ କରିଦେଇଛନ୍ତି। କାହାକୁ ପ୍ରାର୍ଥୀ କରାଯିବ କେଉଁ ଭିତ୍ତିରେ କରାଯିବ ତାକୁ ନେଇ ସର୍ଭେ ହେଉଛି।
ଶାସକ କଂଗ୍ରେସର ପିସିସି, ଏଆଇସିସି, ସରକାର ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଟିମ ଅଲଗା ଅଲଗା ସର୍ଭେ କରିବା ସହ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀ ଖୋଜୁଛନ୍ତି।
ସେପଟେ ବିଜେପିର ରାଷ୍ଟ୍ରୀୟ ସଂଗଠନ, ପ୍ରଦେଶ ସଂଗଠନ ଏବଂ କେନ୍ଦ୍ର ପକ୍ଷରୁ ସର୍ଭେ କରାଯାଉଥିବା ଆଲୋଚନା ହେଉଛି। ଏପରିକି କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ପକ୍ଷରୁ ଆସିଥିବା ଗୁଜୁରାଟ ଟିମ ଓ ସଂଘ ପକ୍ଷରୁ ମଧ୍ୟ ଗୁପ୍ତ ସର୍ଭେ କରାଯାଉଛି।
ସର୍ଭେ ଅନୁଯାୟୀ ବହୁ ବିଧାୟକଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟରେ କଂଗ୍ରେସର ଅଧିକ ବିଧାୟକ ଥିବା ବେଳେ ସେମାନଙ୍କ ପ୍ରଦର୍ଶନ ଭଲ ନ ଥିବାରୁ ସେମାନଙ୍କ ଟିକେଟ କଟିପାରେ।
୨୦୧୮ ମସିହାରେ ବିରୋଧୀ ଦଳରେ ଥିଲେ ମଧ୍ୟ ଦଳ ଆଠ ଜଣ ବିଧାୟକଙ୍କ ଟିକେଟ କାଟିଥିଲା। ସେହିପରି ସେତେବେଳେ ସରକାରରେ ଥାଇ ମଧ୍ୟ ବିଜେପି ୧୫ ଜଣ ବିଧାୟକଙ୍କ ଟିକେଟ କାଟିଥିଲା।
ତେଣୁ ଉଭୟ ଦଳର ନିର୍ବାଚିତ ବିଧାୟକ ମାନେ କିଭଳି ଟିକେଟ ବଞ୍ଚାଇବେ ସେଥିପାଇଁ ତତ୍ପର ହୋଇ ଉଠିଛନ୍ତି। ସେପଟେ ନିର୍ବାଚନରେ ଜିତିବା ଉଭୟ କଂଗ୍ରେସ ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ଉଭୟ ଦଳ ସବୁ ପ୍ରକାର ରଣନୀତି ଆପଣାଉଥିବା ଦେଖିବାକୁ ମିଳିଛି।
Comments are closed.