Latest Odisha News

ବାତ୍ୟା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନ’ହୋଇ ସରକାରଙ୍କ ସହ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ଅମ୍ଫାନ’ର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଭାବିତ ହେବାକୁ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ।

ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ କହିଲେ, “ପ୍ରତିଟି ଜୀବନ ଆମପାଇଁ ମୂଲ୍ୟବାନ । ଏହାକୁ ଦୃଷ୍ଟିରେ ରଖି ମୁକାବିଲା ଯୋଜନା ପ୍ରସ୍ତୁତ କରାଯିବା ଉଚିତ । ଓଡ଼ିଶାବାସୀ ମହାବାତ୍ୟାଠାରୁ ଆରମ୍ଭ କରି ଫନି, ତିତଲି, ବୁଲବୁଲ, ଫାଇଲିନ, ହୁଡ଼ହୁଡ଼ ଆଦି ଅନେକ ବାତ୍ୟାର ସଫଳତାର ସହିତ ମୁକାବିଲା କରିଆସିଛନ୍ତି । ତେଣୁ ଆତଙ୍କିତ ନହୋଇ ‘ଅମ୍ଫାନ’ର ମୁକାବିଲା କରିବା ପାଇଁ ସରକାରଙ୍କ ସହ ସହଯୋଗ କରିବାକୁ” ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ – ବାତ୍ୟା ଅମ୍ଫାନ: ଗଭୀର ଅବପାତରେ ପରିଣତ ହେଲା, ସାମୁଦ୍ରିକ ଝଡ଼ର ରୂପ ନେବ

ବାତ୍ୟା ଅମ୍ଫାନର ମୁକାବିଲା ଲାଗି ୧୧ ଲକ୍ଷ ଲୋକ ରହିପାରିବା ଭଳି ୫୬୭ ବାତ୍ୟା ଅସ୍ଥାୟୀସ୍ଥଳ ଏବଂ ୭୦୦୦ ପକ୍କା ଘର ପ୍ରସ୍ତୁତ ରଖାଯାଇଛି । ଏହାସହିତ ୩ଟି ଏନଡ଼ିଆରଏଫ ଓ ୧୨ଟି ଓଡ୍ରାଫ ଟିମ୍ ଏବଂ ୩୫୫ଟି ୟୁନିଟ୍ ଅଗ୍ନିଶମ ସେବା ବାହିନୀ ମୂତୟନ କରାଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ – ଓଡ଼ିଶାରେ ରହିବ ସମ୍ଭାବ୍ୟ ବାତ୍ୟାର ପ୍ରଭାବ, ୧୨ ଜିିଲ୍ଲାକୁ ସତର୍କଘଂଟି: ଏସଆରସି

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସତର୍କ ସୂଚନା ସମ୍ପର୍କରେ ଏହି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା । ବାତ୍ୟା ଅମ୍ଫାନ ପ୍ରଭାବରେ ମେ ୧୮ ରୁ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବା ସହିତ ୧୯ ଓ ୨୦ ଦୁଇ ଦିନ ଧରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ବେଗ ଘଣ୍ଟାକୁ ୯୫ କି.ମି ଏବଂ ସ୍ଥଳ ବିଶେଷରେ ଏହାଠାରୁ ଅଧିକ ହୋଇପାରେ ବୋଲି ସୂଚନା ଦିଆଯାଇଥିଲା ।

ଏହି ବାତ୍ୟାରେ ଯେଉଁ ୧୨ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି ସେହି ଜିଲ୍ଲାଗୁଡ଼ିକ ହେଲା – ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କଟକ, ଖୋର୍ଦ୍ଧା, ନୟାଗଡ଼ ଏବଂ ଗଜପତି ଜିଲ୍ଲା ।

 

Leave A Reply

Your email address will not be published.