Latest Odisha News

BREAKING NEWS

ଉଦବୋଧନ ବେଳେ ଅଟକିଲେ ଶାହ… ଲୋକେ ସମର୍ଥନରେ ଦେଲେ ସ୍ଲୋଗାନ

ଶ୍ରୀନଗର: ତିନି ଦିନିଆ ଜମ୍ମୁ କଶ୍ମୀର ଗସ୍ତର ଅନ୍ତିମ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଉତ୍ତର କଶ୍ମୀରର ବାରମୁଲ୍ଲାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ଏହି ରାଲିରେ ନିକଟସ୍ଥ ମସଜିଦରେ ଆଜାନ ଚାଲିଥିବା ଥିବାବେଳେ ଅମିତ ଶାହା କିଛି ସମୟ ପାଇଁ ତାଙ୍କ ଭାଷଣ ବନ୍ଦ କରିଦେଇଥିଲେ। ଆଜାନ ଶେଷ ହେବା ପରେ ଅମିତ ଶାହା ପୁଣିଥରେ ଭାଷଣ ଆରମ୍ଭ କରିଥିଲେ।

ଉତ୍ତର କଶ୍ମୀରର ବାରମୁଲ୍ଲା ଜିଲ୍ଲାର ଶୌକତ ଅଲି ଷ୍ଟାଡିୟମରେ ସେ ଭାଷଣ ଦେବା ଆରମ୍ଭ କରିବାର ପାଞ୍ଚ ମିନିଟ ପରେ ଅମିତ ଶାହା ମଞ୍ଚରେ ଛିଡା ହୋଇ ଉପସ୍ଥିତ ଥିବା ଅନ୍ୟ ଜଣଙ୍କୁ ପଚାରିଥିଲେ ମସଜିଦରେ କିଛି ଚାଲିଛି କି? ମଞ୍ଚରେ କେହି ଜଣେ ତାଙ୍କୁ କହିଥିଲେ ଯେ ‘ଆଜାନ୍’ ଚାଲିଛି, ଶାହ ସଙ୍ଗେସଙ୍ଗେ ତାଙ୍କ ଭାଷଣ ବନ୍ଦ କରିଦେଇଥିଲେ।

ପରେ ଲୋକମାନେ ତାଙ୍କ ସମର୍ଥନରେ ସ୍ଲୋଗାନ ଦେଇଥିଲେ। କିଛି ସମୟ ପରେ, ସେ ପଚାରିଥିଲେ ଯେ ଆଜାନ୍ ଶେଷ ହୋଇଛି କି ନାହିଁ । ଉତ୍ତର ହଁ ବୋଲି ଆସିବା ପରେ ସେ ଅଭିଭାଷଣ ରଖିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଜମ୍ମୁ କଶ୍ମୀର  ପୂର୍ବରୁ ଆତଙ୍କବାଦୀ ହଟସ୍ପଟ୍ ଥିଲା, ବର୍ତ୍ତମାନ ଏହା ଏକ ପର୍ଯ୍ୟଟନ ହଟସ୍ପଟ୍। ଜମ୍ମୁ କଶ୍ମୀରରେ ପର୍ଯ୍ୟଟନ ବୃଦ୍ଧି ଏଠାରେ ଅନେକ ଯୁବକଙ୍କୁ ନିଯୁକ୍ତି ଦେଇଛି। ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ମାତ୍ରେ ଜମ୍ମୁ କଶ୍ମୀରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ନିର୍ବାଚନ ହେବ।

ବିରୋଧୀଦଳର ନେତାଙ୍କ ଉପରେ ଜୋରଦାର ବର୍ଷିଛନ୍ତି ଏହି ଅବସରରେ ଶାହ। ସେ କହିଛନ୍ତି ଯେ ଗତ ୭୦ ବର୍ଷ ଧରି ମୁଫତି ଆଣ୍ଡ କୋ ଅବଦୁଲ୍ଲାଙ୍କ ପୁଅ ଏଠାରେ କ୍ଷମତାରେ ଥିଲେ କିନ୍ତୁ ୧ ଲକ୍ଷ ଭୂମିହୀନ ଲୋକଙ୍କୁ ଘର ଯୋଗାଇ ନଥିଲେ। ୨୦୧୪-୨୦୨୨ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୧ ଲକ୍ଷ ଲୋକଙ୍କୁ ଘର ଦେଇଥିଲେ। ମୋଦୀଙ୍କ ଶାସନ ମଡେଲ ବିକାଶ ଏବଂ ରୋଜଗାର ଆଣିଥିବାବେଳେ ଗୁପ୍ତକର ମଡେଲ ଯୁବକମାନଙ୍କ ହାତରେ ପଥର ଓ ବନ୍ଧୁକ ରଖିଛନ୍ତି।

ଏହି ସମୟରେ ପାକିସ୍ତାନ ପ୍ରସଙ୍ଗରେ ଶାହ କହିଛନ୍ତି ଯେ ପାକିସ୍ତାନ ସହ କୌଣସି ପ୍ରକାରର ଆଲୋଚନା କରାଯିବ ନାହିଁ। ଏହା ପୂର୍ବରୁ ବୁଧବାର ସକାଳେ ଶ୍ରୀନଗରର ରାଜ ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଆତଙ୍କବାଦୀ ପ୍ରସଙ୍ଗରେ ପ୍ରଶାସନ କଣ ପଦକ୍ଷେପ ନେଇଛି ସେ ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରାଯାଇଥିଲା। ଶାହ ଏହି ଅବସରରେ ଜମ୍ନୁ କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବାକୁ ଆହ୍ୱାନ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି।

Leave A Reply

Your email address will not be published.