ATM ସେବା ହୋଇପାରେ ମହଙ୍ଗା; କ୍ୟାସ୍ ଲଜିଷ୍ଟିକ୍ସ ସଂସ୍ଥାଙ୍କ ଫି’ ବୃଦ୍ଧି ଦାବି ପରେ ବଢ଼ିପାରେ ‘ଇଣ୍ଟରଚେଞ୍ଜ ଚାର୍ଜ’
ମୁମ୍ବାଇ: ଦେଶରେ ATM ମାଧ୍ୟମରେ ନଗଦ ଟଙ୍କା ଉଠାଣ ଆଗାମୀ ଦିନରେ ଅଧିକ ମହଙ୍ଗା ହେବାର ସମ୍ଭାବନା ଦେଖାଦେଇଛି। ATM ଗୁଡ଼ିକରେ ନଗଦ ଟଙ୍କା ପହଞ୍ଚାଉଥିବା ସଂସ୍ଥାଗୁଡ଼ିକ ସେମାନଙ୍କର କାର୍ଯ୍ୟକ୍ଷମ ଖର୍ଚ୍ଚ ବା ଅପରେସନ ଖର୍ଚ୍ଚ ଫି ବୃଦ୍ଧି ପାଇଥିବା ଦର୍ଶାଇ ବ୍ୟାଙ୍କମାନଙ୍କ ନିକଟରେ ଫି’ ବୃଦ୍ଧି ପାଇଁ ଦାବି କରିଛନ୍ତି।
କ୍ୟାସ୍ ଲଜିଷ୍ଟିକ୍ସ କମ୍ପାନୀଗୁଡ଼ିକର କହିବା ଅନୁଯାୟୀ, ଇନ୍ଧନ ମୂଲ୍ୟରେ ବୃଦ୍ଧି, କର୍ମଚାରୀଙ୍କ ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ଅପରେସନାଲ୍ ଖର୍ଚ୍ଚ ଯୋଗୁଁ ସେମାନଙ୍କ ଉପରେ ଆର୍ଥିକ ବୋଝ ପଡ଼ିଛି। ବିଶେଷଜ୍ଞଙ୍କ ମତରେ, ଏହି ସଂସ୍ଥାଗୁଡ଼ିକର କାର୍ଯ୍ୟକ୍ଷମ ଖର୍ଚ୍ଚ ପ୍ରାୟ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ ଖର୍ଚ୍ଚକୁ ଭରଣା କରିବା ପାଇଁ ବ୍ୟାଙ୍କମାନଙ୍କୁ ‘ATM ଇଣ୍ଟରଚେଞ୍ଜ ଚାର୍ଜ’ ବାଧ୍ୟତାମୂଳକ ଭାବେ ପୁନଃ ସମୀକ୍ଷା କରିବାକୁ ପଡ଼ିବ।
‘ଇଣ୍ଟରଚେଞ୍ଜ ଚାର୍ଜ’ ହେଉଛି ସେହି ଶୁଳ୍କ, ଯାହା ଗ୍ରାହକ ଅନ୍ୟ ବ୍ୟାଙ୍କର ATM ବ୍ୟବହାର କଲେ କାର୍ଡ ଜାରିକାରୀ ବ୍ୟାଙ୍କକୁ ପୈଠ କରିବାକୁ ପଡ଼ିଥାଏ। ଯଦି ଏହି ଚାର୍ଜ ବୃଦ୍ଧି ପାଏ, ତେବେ ବ୍ୟାଙ୍କଗୁଡ଼ିକ ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ଉପରେ ପକାଇପାରନ୍ତି। ଫଳରେ, ମାସିକ ମାଗଣା ନିର୍ଦ୍ଧାରିତ ସୀମା ପରେ ATMରୁ ଟଙ୍କା ଉଠାଇବା ଅଧିକ ବ୍ୟୟବହୁଳ ହୋଇପାରେ।
ଏହା ବ୍ୟତୀତ, ରିପୋର୍ଟ ଅନୁଯାୟୀ, କମ୍ ଟଙ୍କା ଉଠାଣ ହେଉଥିବା ଅଞ୍ଚଳରେ ATM ରିଫିଲ୍ ସଂଖ୍ୟା ମଧ୍ୟ ହ୍ରାସ ପାଇପାରେ। ଏବେ ଦୈନିକ ରିଫିଲ୍ ପରିବର୍ତ୍ତେ ସପ୍ତାହକୁ ୨-୩ ଥର ରିଫିଲ୍ କରିବାକୁ କମ୍ପାନୀଗୁଡ଼ିକ ଯୋଜନା କରୁଛନ୍ତି। ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ବଢ଼ୁଥିଲେ ମଧ୍ୟ, ସାଧାରଣ ଗ୍ରାହକଙ୍କ ପାଇଁ ନଗଦ ଟଙ୍କାର ଆବଶ୍ୟକତା ଏବେ ବି ଗୁରୁତ୍ୱପୂର୍ଣ୍ଣ ରହିଛି। ଏଭଳି ପରିସ୍ଥିତିରେ, ATM ଚାର୍ଜ ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ହୋଇଛି।

Comments are closed.