ଭୁବନେଶ୍ୱର: ରାଜଧାନୀର ଆଜାଦ ନଗରରେ ଘଟିଥିବା ଚର୍ଚ୍ଚିତ ବୋମା ବିସ୍ଫୋରଣ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (NIA)। ବୁଧବାର ଦିନ NIA ର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱରସ୍ଥିତ ଏୟାରଫିଲ୍ଡ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ମାମଲାରେ ପୂର୍ବରୁ ଜବତ ହୋଇଥିବା ଏକ ସ୍କୁଟିକୁ NIA ଅଧିକାରୀମାନେ ଅନୁଧ୍ୟାନ କରୁଛନ୍ତି।
ସୂଚନା ଅନୁଯାୟୀ, NIA ଟିମ୍ ସ୍କୁଟିରୁ କୌଣସି ବୋମା ତିଆରି ସାମଗ୍ରୀ କିମ୍ବା ବିସ୍ଫୋରକ ସାମଗ୍ରୀ ଆସିଥିଲା କି ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି। ଏହି ସ୍କୁଟିଟି ବୋମା ବିସ୍ଫୋରଣ ଘଟଣାରେ କିଭଳି ବ୍ୟବହାର କରାଯାଇଥିଲା, ତାହାର ପ୍ରମାଣ ସଂଗ୍ରହ ପାଇଁ ଫରେନସିକ୍ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ଗତ ଜାନୁଆରୀ ୨୭ ତାରିଖରେ ଭୁବନେଶ୍ୱର ଆଜାଦ ନଗର ସ୍ଥିତ ଏକ ଭଡ଼ା ଘରର ଛାତ ଉପରେ ବୋମା ପ୍ରସ୍ତୁତ କରାଯାଉଥିବା ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ଏହି ଭୟଙ୍କର ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ମଲ୍ଲିକ ଏବଂ ତାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସେହେନବାଜଙ୍କ ସାଙ୍ଗ ଅମିୟ ମଲ୍ଲିକ ଏବଂ ତାଙ୍କର ଜଣେ ବାନ୍ଧବୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏୟାରଫିଲ୍ଡ ଥାନା ପୋଲିସ ଏହି ମାମଲାର ତଦନ୍ତ କରୁଥିଲା। ତେବେ ଘଟଣାର ଗମ୍ଭୀରତା ଏବଂ ଆତଙ୍କବାଦୀ ଲିଙ୍କ୍ ରହିଥିବା ସନ୍ଦେହରେ ପରବର୍ତ୍ତୀ ସମୟରେ NIA ଏହି ମାମଲାକୁ ନିଜ ହାତକୁ ନେଇଛି।