Latest Odisha News

BREAKING NEWS

ଶ୍ୟାମଳ କ୍ଷେତରେ ସୁବର୍ଣ୍ଣର ହସ

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ଫାଲଗୁନର ଫଲ୍‌ଗୁରେ କ୍ଷେତକୁ କର୍ଷଣରେ କର୍ଷିତ କରେ କୃଷକ । ହଳକର୍ଷିତ ଭୂମିରେ ଦେଖାଦିଏ ବର୍ଷିତ ଜଳର ସମାହାର । ମାଟିରେ ଆସେ ବାସ୍ନା । କୃଷକର ମନରେ ଆନନ୍ଦର ଉନ୍ମେଷ । ବିପିତ ବିହନ ସବୁ ଗଜା ମେଲେ, ଆଉ କୃଷକ ମନରେ ଆଶା ସଂଚାର କରି ଆରମ୍ଭ ହୋଇଯାଏ ବୁଣା ବେଉଷଣ ପରବ । ସବୁ ଆବେଗ ଓ ଉତ୍ତରଣକୁ ଆଧାର କରି ଶେଷରେ ଖେଳିଯାଏ ସବୁଜିମାର ରଙ୍ଗବିଭା । ଭାରତୀୟ ସଭ୍ୟତାର ମାନଦଣ୍ଡ କୃଷି । ‘ଅନ୍ନାଦ୍ ଭବନ୍ତି ଭୂତାନି’ର ବାର୍ତ୍ତା- କୃଷିର ଆଦ୍ୟ ଓଁକାର, ଜୀବନର ଷଠିଘର….. କର୍ଷଣରୁ କୃଷି । ‘କୃଷି’ ମୌସୁମୀ ବାୟୁର ଜୁଆଖେଳ…. ଭାରତ ପରି କୃଷି ପ୍ରଧାନ ଦେଶରେ ‘ଜୟ କିଶାନ’ ଏବେ ଅତ୍ୟନ୍ତ ଅବହେଳିତ, ବାରଦୁଆର ଶୁଣ୍ଡିପିଣ୍ଡା ହୋଇ ପେଟର ଭୋକ ମେଣ୍ଟାଇବା ପାଇଁ ଋଣ କରେ……. ଶୁଝି ନପାରିଲେ ଆତ୍ମହତ୍ୟା….!! ଆଜି ସବୁଜ ବିପ୍ଳବର କାଣ୍ଡାରିମାନେ ରାଜପଥ ଉପରେ ବିପ୍ଳବର ଚକ୍ରବାଳରେ । ତିନିଥର କୃଷିକର୍ମଣ ପୁରସ୍କାରରେ ପୁରସ୍କୃତ ଆମ ଓଡ଼ିଶା । ଓଡ଼ିଶାର ୭୦ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ । ଏହାରି ଭିତରେ ଶସ୍ୟଜାତୀୟ ଫସଲ ଉତ୍ପାଦନର ଚାହିଦା ଟିକେ ବେଶୀ । ସ୍ୱାବଲମ୍ବୀ ହେବାର ନୂଆ ପରିଚୟ ଆମକୁ ଶସ୍ୟଜାତୀୟ ଫସଲରୁ ହିଁ ମିଳେ । ଏହି ପରିପ୍ରେକ୍ଷୀରେ ଧାନ ଚାଷର ଗୁରୁତ୍ୱ ଢ଼େର ଅଧିକ । ଜମିରେ ପାଚିଲା କେଣ୍ଡା ସାଙ୍ଗକୁ ସବୁଜିମାର ସ୍ପର୍ଶ ସତରେ ନିଆରା ।

ଧାନ – ଓଡ଼ିଶାର ମୁଖ୍ୟ ଫସଲ ଭାବେ ବେଶ ଜଣାଶୁଣା । ଖରିଫ ଋତୁର ପ୍ରମୁଖ ଫସଲ ଭାବେ ଏହାକୁ ଚାଷ କରାଯାଇଥାଏ । ଏବେ ଧାନ ଚାଷ କରିବାର ସମୟ ଆସିଗଲେଣି । ଚାଷୀ ବି ପ୍ରସ୍ତୁତ ବେଶ କିଛି ଅମଳ କରିବା ପାଇଁ । ଏସବୁ ଭିତରେ ଧାନ ଚାଷ ପାଇଁ ପ୍ରମୁଖ ଉପାଦାନ ଜମି କିସମ ଅଟେ । କେଉଁ ଜମିରେ ଏହା ବେଶ୍ ଉନ୍ନତ ମାନରେ ହୋଇପାରିବ, କେଉଁଥିରେ ନୁହଁ ସେସବୁ ଜାଣିବା ନିହାତି ଆବଶ୍ୟକ । ତେବେ ଧାନ ଫସଲ ସାଧାରଣତଃ ମଟାଳ ମାଟିଠୁ ଆରମ୍ଭ କରି କାଦୁଆ ମାଟିରେ ବି ଚାଷ କରାଯାଇଥାଏ । ଫସଲ ଯେମିତି ମାଟିରୁ ପାଣି ଓ ଖାଦ୍ୟ ପଦାର୍ଥ ସଂଗ୍ରହ କରିଥାଏ , ସେମିତି ଧାନ ବି ମାଟିରୁ ସେଇ ଉପାଦାନ ସଂଗ୍ରହ କରେ । ଇତି ମଧ୍ୟରେ ମାଟିର ଉର୍ବରତା ଉପରେ ଗୁରୁତ୍ୱ ଦେବା ବିଧେୟ । ଧାନ ଚାଷ ପାଇଁ କାଦୁଆ ମାଟି ବିଶେଷ ଉପଯୋଗୀ କାରଣ କାଦୁଆ ମାଟିର ଉର୍ବରତା ଅଧିକ । ଏତଦଭିନ୍ନ ଯେଉଁ କାଦୁଆ ମାଟିରେ ଜୈବ ପଦାର୍ଥ ଅଧିକ ପରିମାଣରେ ଥାଏ , ସେ ମାଟିରେ ଭଲ ଧାନ ଚାଷ ହୋଇଥାଏ । କାରଣ ଏହାର ଜଳଧାରଣ କରିବାର କ୍ଷମତା ଅଧିକ ଥାଏ ।

ମୃର୍ତ୍ତିକାର ଅମ୍ଳତା ବା କ୍ଷାରତା ଦୃଷ୍ଟିକୋଣରୁ ବିଚାର କଲେ ଅମ୍ଳୀୟ ମାଟିରେ ଧାନ ଫସଲ ବେଶ ଭଲ ଭାବେ ହୋଇଥାଏ । ଆମ ରାଜ୍ୟରେ ଢ଼ିପ ଜମିମାନ ବହୁ ପରିମାଣରେ ଅଛି । ଓଡ଼ିଶାର ଚାଷୀମାନେ ଏହି ଜମିମାନଙ୍କରେ ମଧ୍ୟ ଧାନ ଚାଷ କରିଥାନ୍ତି । କିନ୍ତୁ ଏହା ଦେଖାଯାଇଛି ଯେ ଢ଼ିପ ଜମିରେ ଧାନ ଚାଷ କଲେ ଅମଳ ଠିକ ଭାବେ ମିଳି ନଥାଏ । ବରଂ ସେ ଜମିରେ ଧାନ ଛଡ଼ା ମୁଗ,ବିରି ଆଦି ଫସଲ ଚାଷ କଲେ ଅଧିକ ଅମଳ ମିଳେ । ଏହା ଛଡ଼ା ଖାଲ ଜମି ମାନଙ୍କରେ ମଧ୍ୟ ଧାନ ଚାଷ କରାଯାଏ । ତେବେ ଉପଯୁକ୍ତ ସାର , ଖତର ପ୍ରୟୋଗ ହେଲେ ଅମଳର ମାତ୍ରା ବୃଦ୍ଧି ପାଏ ।

ଏହି ଜମିରେ ଧାନ କିସମ ଯଥା – ସୁଫଳା , ପାରିଜାତ ପ୍ରଭୃତି ଚାଷ କଲେ ୧୦୦ ରୁ ୧୧୦ ଦିନ ଭିତରେ ଅମଳ ହୋଇଥାଏ । ତେବେ ଢ଼ିପ ଜମି ଅପେକ୍ଷା ଖାଲ ଜମିରେ ଚାଷ କଲେ ଭଲ ସୁଫଳ ମିଳିଥାଏ । କାରଣ ଯଦିଓ ମରୁଡ଼ି ହୁଏ, ଖାଲ ଜମିମାନଙ୍କରେ ପାଣି ଶାଘ୍ର ଶୁଖୁ ନଥିବାରୁ ଫସଲ ନଷ୍ଟ ସହଜରେ ହୁଏ ନାହିଁ ।

ଧାନ ଫସଲରେ ଅନ୍ତଃଚାଷ ଓ ଧାନ ରୁଆ-
ଧାନ ଚାଷ ଏକ ମୁଖ୍ୟ ଖରିଫ ଫସଲ ଭାବେ ଚାଷ କରାଯାଇଥାଏ । ଓଡ଼ିଶାର ପ୍ରାୟ ୭୦ଭାଗ ଚାଷୀ ଧାନ ଚାଷ ଉପରେ ନିର୍ଭରଶୀଳ । ପୂର୍ବ ସ୍ତମ୍ଭ ମାନଙ୍କରେ ଧାନ ଚାଷର ଜମି ପ୍ରସ୍ତୁତି, ତଳିଘେରା ପ୍ରସ୍ତୁତି ଓ ପରିଚାଳନା ଏବଂ ଏହାର ଉପଯୁକ୍ତ ଯତ୍ନ ସମ୍ପର୍କରେ ଆଲୋକପାତ କରାଯାଇଥିଲା । ଏବେ ତ ପ୍ରାୟ ସବୁ ସ୍ଥାନମାନଙ୍କରେ ଧାନର ତଳିପଟି ପଡ଼ିସାରିଲାଣି । ଏହାପରେ ପ୍ରମୁଖ କାର୍ଯ୍ୟ ହେଉଛି ଧାନରୁଆ । କଥାରେ ଅଛି ରୁଆ ଧାନ ଥୁଆ । ରୁଆ ଧାନ ପାଇଁ ମୁଖ୍ୟତଃ ଜୁନ କିମ୍ବା ଜୁଲାଇ ମାସ ଆରମ୍ଭରୁ ନଈ , ନାଳ , ପୋଖରୀ ଇତ୍ୟାଦିରୁ ଅଥବା ଉଠା ଜଳସେଚନ ପ୍ରକଳ୍ପରୁ ପାଣି ବ୍ୟବହାର କରି ତଳି ପକାଯାଇଥାଏ । କେତେକ ସମୟରେ ପାଣି ଅଭାବରୁ ରୁଆ କାମରେ ବିଳମ୍ବ ହୋଇଥାଏ । ଯଦିଓ ଏହା ଡ଼େରି ହୋଇଯାଏ ତାହେଲେ ୨୫-୩୦ ଦିନିଆ ତଳି ରୋଇବା ଭଲ । କିନ୍ତୁ ଡ଼େରି ହେଲେ ବର୍ଗମିଟର ପ୍ରତି ଗଛ ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ଅମଳ ବେଶୀ ବାଧାପ୍ରାପ୍ତ ହୁଏନାହିଁ । ଏଥିପାଇଁ ଯବକ୍ଷାରଜାନ ସାର ୨୫ଭାଗ ଅଧିକ ଦେବାକୁ ପଡ଼ିଥାଏ ।

ଅନ୍ତଃଚାଷ- ଢ଼ିପ ଜମିରେ ଧାନବୁଣିବାର ପ୍ରାୟ ୧୫ରୁ ୨୦ ଦିନ ପରେ ଦ୍ୱିତୀୟ ଭାଗ ଜବକ୍ଷାରଜାନ ସାର ପ୍ରୟୋଗ କରିବା ଆବଶ୍ୟକ । ଧାଡ଼ିକୁ ଧାଡ଼ି ଧାନ ବୁଣିବା ପରେ ଘାସ ଉପାଡ଼ିବା ପାଇଁ ଏହା ମଝିରେ ଖୁସୁଣୀ କିମ୍ବା ଘାସବଛା ଯନ୍ତ୍ର ଚଲାଇଦେଲେ ଘାସସବୁ ଉପାଡ଼ିମରିଯାଏ । ଏହା ଛଡ଼ା କୋଦାଳରେ ଦୁଇଧାଡ଼ି ମଝିରେ ମାଟି ହାଣି ଓଲଟାଇଦେଲେ ମଧ୍ୟ ଘାସ ଦମନ କରାଯାଇଥାଏ । ମାଟିର ବତର ପରିମାଣ ପ୍ରତି ଆମକୁ ଯତ୍ନବାନ ହେବାକୁ ପଡ଼ିବ । ଖାଲ ଜମିରେ ଛଟା ବୁଣା କରିଥିଲେ ଘାସ ଅଧିକ ହୋଇଥାଏ । ତେଣୁ ଗଜା ହେବାର ୩୦ ଦିନ ପରେ ଯଥାଶୀଘ୍ର ବେଉଷଣ କରି ଘାସବଛା କରିଦେବା ଆବଶ୍ୟକ । ଏହି ସମୟରେ ସାର ପରିଚାଳନା କରିବା ଆବଶ୍ୟକ । ପ୍ରାୟ ଅର୍ଦ୍ଧେକ ଯବକ୍ଷାରଜାନ ସାର ଓ ପୁରା ଭାଗ ଫସଫରସ ଓ ପଟାସ ସାରକୁ ମୂଳ ସାର ହସାବରେ ବ୍ୟବହାର କରିଦେବା ଦରକାର । ପତ୍ର ଓଦାଥିଲା ବେଳେ ଜମିରେ ସାର ପକାନ୍ତୁ ନାହିଁ । ଏହା ଫଳରେ ପତ୍ରରେ ସାର ଲାଗି ପତ୍ର ପୋଡ଼ିଯାଇଥାଲ । ଅଧିକ ଖରା ସମୟରେ ବି ପତ୍ର ପୋଡ଼ିଯାଇଥାଏ । ତେଣୁ ଅଧିକ ଖରା ସମୟରେ ସାର ପକାଇବା ଅନୁଚିତ । ଏହି ସବୁ ଦିଗ ପ୍ରତି ଆମକୁ ଯତ୍ନବାନ ହେବାକୁ ପଡ଼ିବ ।

(ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ , ବାସୁଦେବପୁର , ଭଦ୍ରକ ,ମୋ-୯୪୩୮୪୬୭୦୭୯)

Leave A Reply

Your email address will not be published.