Latest Odisha News

BREAKING NEWS

ଏସିଆର ଉଇହୁଙ୍କାରେ ଓଁକାର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଏସିଆ… ଇତିହାସର ଅନ୍ଧାର ରାତିରୁ ଆଧୁନିକ ସମୟର ସଫେଦ୍ ସକାଳ ପର୍ଯ୍ୟନ୍ତ ବହୁ ବୈଦେଶିକ ଆକ୍ରମଣକାରୀଙ୍କ ଲୁଣ୍ଠନର କରୁଣ ଶିକାର ହୋଇଆସିଛି । ଖ୍ରୀଷ୍ଟପୂର୍ବ ୩୦୦ଅଦ୍ଦର ଗ୍ରୀକ୍ ଆଲେକ୍‌ଜାଣ୍ଡାରଙ୍କ ଠାରୁ ଆରମ୍ଭ କରି ଅଷ୍ଟାଦଶ ଶତାଦ୍ଦୀର ଆଫ୍‌ଗାନ୍ ଆକ୍ରମଣକାରୀ ଅହମଦ୍‌ଶାହ ଦୁରାନୀ ପ୍ରମୂଖ ପାହାଡପର୍ବତ ପାରିହୋଇ ଏସିଆର ଉପମହାଦେଶ ଭାରତ ଚଢାଉ କରିଛନ୍ତି । ମାତ୍ର ସାତ ସମୁଦ୍ର ପାରିହୋଇ ପର୍ତୁଗିଜ୍‌, ଫରାସୀ ଓ ବ୍ରିଟିଶ୍ ପ୍ରମୂଖ ପାଶ୍ଚାତ୍ୟ ଆକ୍ରମଣକାରୀବର୍ଗ ଭାରତମୂଖୀ ହୋଇଛନ୍ତି ଉନ୍ନବିଂଶ ଶତାଦ୍ଦୀର ଆଦ୍ୟପାଦ ପର୍ଯ୍ୟନ୍ତ । ହଁ, ଲକ୍ଷ୍ୟ କେବଳ ଲୁଣ୍ଠନ, ଅପର୍ଯ୍ୟାପ୍ତ ସମ୍ପଦ ଅପହରଣ । ଏବେ କିନ୍ତୁ ସେ ଧାରା ବଦଳିଛି । ଏବେ ଏଠାକୁ ନଆସି ମଧ୍ୟ ଆମେରିକା ଲୁଣ୍ଠନ ଓ ଶୋଷଣ କରିପାରୁଛି ଏସିଆ ମହାଦେଶର ବିଭିନ୍ନ ରାଷ୍ଟ୍ରକୁ ।

ଅଧିକ ପଢନ୍ତୁ: ଯୁଦ୍ଧୋନ୍ମାଦନାର ଉତ୍ପାତରେ ଅଶାନ୍ତ ଏସିଆ

ଆଫ୍ରିକାର ନିଗ୍ରୋମାନଙ୍କୁ ଯେମିତି ମଧ୍ୟଯୁଗରେ ଗୋରାଲୋକେ କ୍ରିତଦାସ କରିବା ଲୋଭରେ ନିଜ ଦେଶକୁ ବନ୍ଦୀ କରିନେଇଯାଉଥିଲେ, ଏବେ ଆମେରିକା ସେମିତି ଏସିଆରେ ପ୍ରତିଭାଚାଲାଣ କରିନେଉଛି ନିଜ ଇଲାକାକୁ – ଏସିଆର ବୁଦ୍ଧିକି ନିଜ ବିଜ୍ଞାନରେ ବ୍ୟବହାର କରି ବ୍ୟବସାୟ କରୁଛି – ନିଜ ଜ୍ଞାନର ଗୋଲାମି କରି ଶିଳ୍ପସଭ୍ୟତାର ସୌଖୀନସୌଧ ଗଢୁଛି । ଏଠାକୁ ଆସିବାର ବାଟଖର୍ଚ୍ଚ ନାହିଁ – ବଂର ସେଇ ବାଟଖର୍ଚ୍ଚକୁ ବଟିଖର୍ଚ୍ଚରେ ପରିଣତ କରି ଏସିଆର ବିଭିନ୍ନ ରାଷ୍ଟ୍ରର ଶାସନ, ପ୍ରଶାସନ, ଦୁଃଶାସନ ଚରିତ୍ରମାନଙ୍କୁ କରାୟତ କରୁଛି । ଆମେରିକା ଦ୍ୱାରା ଆରମ୍ଭ ହୋଇସାରିଥିବା ଅର୍ଥନୈତିକ ଆତଙ୍କବାଦ ଏହି ମାରାତ୍ମକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାରେ କେତେଦୂର ସଫଳ ହୋଇପାରିଛି, ତାହାକୁ ଏବେ ଏସିଆର ଅନୁଚିନ୍ତକବର୍ଗ ଗୁରୁତ୍ୱ ଦେଇ ଅନୁଧ୍ୟାନ କରିବାର ସମୟ ଆସି ପହଂଚିଯାଇଛି । ଆଉ କାଳକ୍ଷେପଣ କଲେ ନେଡିଗୁଡ ବୋହିଯିବ କହୁଣୀକି ।

ଜଗତିକରଣ ଧ୍ୱନୀଦେଇ “ପୃଥିବୀ ଗୋଟିଏ ଗାଁ”ର ପ୍ରଚାର ଚାଲିଥିବାବେଳେ ପ୍ରକୃତରେ କିନ୍ତୁ ପୃଥିବୀର “ଗୈରିକ ଗ୍ରାମଶ୍ମସାନ” କରିଦିଆଯାଇଛି ଏସିଆ ମହାଦେଶର ଗ୍ରାମ ଧର୍ମଭିତିକ ସଭ୍ୟତାଗୁଡିକୁ । ଜଗତିକରଣ ଫଳରେ ଆମେରିକାର ଅର୍ଥନୈତିକ ଆତଙ୍କବାଦ ଏବେ ବେଶ୍ ଆରାମ୍‌ରେ ନିଜ ବିଶ୍ୱରୂପ ପ୍ରଦର୍ଶନ କରି ଏସିଆକୁ ରୂପାନ୍ତରିତ କରିବାକୁ ଯାଉଛି ଏକ ମନସ୍ତାତିକ ମରୁମଣ୍ଡଳରେ! ଆତ୍ମବିଶ୍ୱାସବର୍ଜିତ ଏକ ଅଧିନସ୍ତ ଅଧିତ୍ୟକାରେ ।

ଅଧିକ ପଢନ୍ତୁ: ଅର୍ଥନୀତିର ଅର୍ଥାନ୍ତର…

ଏସିଆ ଏକ ଭାବଭୂମି, ମହର୍ଷିର ମହାଦେଶ । ଏହାର ପ୍ରାଚୀନତମ ପ୍ରବାହରେ ଅଛି ମହାମାନବିକ ମୂଲ୍ୟବୋଧର ମାନବଧର୍ମ । ଏହି ମାନବଧର୍ମର ମୂଳମନ୍ତ୍ର ହେଲା – ଧନ ନୁହେଁ, ଧାନ… ତନ୍ତ୍ର ନୁହେଁ, ମନ୍ତ୍ର… ସ୍ୱତ୍ୱ ନୁହେଁ, ସତ୍ୟ… ସଂହାର ନୁହେଁ, ସଂହତି… ବିସ୍ଥାପନ ନୁହେଁ, ସଂସ୍ଥାପନ! ଗତିରୁ ପ୍ରଗତୀ – ଚରୈବତି ଚରୈବତି! ଏହି ମାନବଧର୍ମର ବିବର୍ତିତ ବିଶ୍ୱଧର୍ମ ହେଉଛି ବୌଦ୍ଧଧର୍ମ, ଯାହାର ମହାପ୍ରବକ୍ତା ଗୌତମବୁଦ୍ଧଙ୍କୁ କୁହାଯାଏ “ଏସିଆର ଆଲୋକ” । ବୌଦ୍ଧଧର୍ମର ବାଲ୍ୟଲୀଳା ଭାରତବର୍ଷରେ – ଚୈତନ୍ୟପ୍ରାପ୍ତି ଚିନ୍‌ରେ – ମାତ୍ର ଅମରତ୍ୱ ଲାଭ ଜାପାନ୍ ଦେଶରେ । ହିଂସା, ଆତଙ୍କବାଦ, ଯୁଦ୍ଧ ଓ ଅମାନୁଷିକତାର ଉପସଂହାରରେ ଯଦି ପ୍ରକୃତରେ କୌଣସି ପ୍ରାଚୀନ ଧର୍ମ ମଣିଷର ମର୍ଯ୍ୟାଦା ପ୍ରତି ଅଙ୍ଗିକାରବଦ୍ଧ, ତାହେଲେ ଏହି ବୌଦ୍ଧଧର୍ମ । ଏହି ବୌଦ୍ଧଧର୍ମ ହିଁ ସେଇ ବୀଜମନ୍ତ୍ରିତ ବିଶ୍ୱଧର୍ମ । ଯେଉଁ ଧର୍ମ ଧାରାରେ ମଣିଷ ହିଁ ଈଶ୍ୱର, ଜୀବ ହିଁ ଶିବ, କରୁଣା ହିଁ କିରଣ । ଏଇ ବୌଦ୍ଧଧର୍ମ ହିଁ ସେଇ ବିଶ୍ୟୈକପ୍ରାଣ ବୀଜଧର୍ମ, ଯାହା ମଧ୍ୟମମାର୍ଗର ମଧୁସାଁନ୍ତନାରେ ସାଧକକୁ ସାଧବ ଓ ସାଧାରଣ ପର୍ଯ୍ୟନ୍ତ ସମୂଦାୟର ସମବାୟ ସିଦ୍ଧିକୁ ସ୍ୱିକୃତୀ ପ୍ରଦାନ କରିଛି, ସଂସାରକୁ ଅସାର କହିନାହିଁ କଦାପି । ଏହା ସେଇ ପ୍ରାକୃତ ପ୍ରଜାଧର୍ମ, ଯାହା ଇତିହାସର ରାଜକୀୟ ସ୍ପର୍ଦ୍ଧାକୁ ପରିଣତ କରିପାରିଛି ମାନବୀୟ ସ୍ପର୍ଦ୍ଧାର ପରମ ପ୍ରଶାଁନ୍ତିରେ ।

ଅଧିକ ପଢନ୍ତୁ: ବିଷାଦ ବ୍ୟାଧିର ବଳୟରେ ବିଶ୍ୱ

ବୌଦ୍ଧଧର୍ମକୁ ଇତିହାସ ଚିହ୍ନଟ କରିଛି ଭାରତବର୍ଷର ପ୍ରସ୍ଥାନ ପର୍ବରେ । ମାତ୍ର ସମୟ ସୂଚାଇ ଦେଇଛି ଚିନ୍ ଓ ଜାପାନ୍‌ରେ ତା’ର ସଂସ୍ଥାନ ଓ ସଂସ୍ଥାପନ । ସମ୍ପ୍ରତି ଏହି ମାନବଧର୍ମ ଜାପାନ୍ ଆନୁକୂଲ୍ୟରେ ଭାରତବର୍ଷରେ ପୁନରାୟ କେବଳ ଗୃହପ୍ରବେଶର ସ୍ୱପ୍ନ ଦେଖୁନାହିଁ, ଏହି ସ୍ୱପ୍ନର ବାସ୍ତବତାରେ ବଂର ଚିନ୍ ସହିତ ଭାରତର ସାମରିକ ବୈରତାର ବିଲୁପ୍ତି ଲାଗି ମଧ୍ୟ ସୁଯୋଗ ଓ ସମ୍ଭାବନା ସୃଷ୍ଟିକରୁଛି । ଭାରତ-ଚିନ୍‌-ଜାପାନ୍ ଯଦି କେବେ ନା କେବେ ପୁର୍ନଜାଗରଣର ମନ୍ତ୍ରଶକ୍ତି ଦ୍ୱାରା ଏକତ୍ରରେ ଉଦବୁଧ ହୋଇପାରିବେ, ତା’ହେଲେ ଏସିଆ ହୋଇଉଠିବ ଏକ ଅଦ୍‌ଭୁତ ପରାଜୟ ମହାଶକ୍ତି । ସାହା ସ୍ୱର୍ଗମର୍ତ୍ୟପାତାଳକାମୀ ମାର୍କିନ୍ ଅପଶକ୍ତି ପାଇଁ ଅଦୂର ଭବିଷ୍ୟତରେ କେବଳ ଶକ୍ତଧକ୍କାର ଧମକ । ଆମେରିକାର ଅର୍ଥନୈତିକ ଆତଙ୍କବାଦ ଜନ୍ମନେଇଛି ଉପରୋକ୍ତ ମନସ୍ତାତିକ ବିପନ୍ନତା ବୋଧରୁ । ଏହି କାରଣରୁ ଏସିଆ, ଯାହାର ଉଇହୁଙ୍କାରୁ ଏକଦା ଉଚ୍ଚାରିତ ହୋଇଉଠିଥିଲା ମହର୍ଷିର ଓଁକାର, ଆଜି ଆମେରିକାର ମହାବିଲୟ ଯୋଜନାରେ ଏକ ଚିରଚିହ୍ନିତ କ୍ଷେତ୍ର ।

ଏସିଆର ସମାଜ, ସଭ୍ୟତା ଓ ସଂସ୍କୃତି ବିଲୁପ୍ତ ହେଲେ ଭାବ ଉପରେ ସାବ୍ୟସ୍ତ ହେବ ବସ୍ତୁର ବିଜୟ – ଯାହା ଆତଙ୍କବାଦର ଅହିରାଜ ଆମେରିକା ହିଁ ଦିଗ୍‌ବିଜୟ । ଏସିଆର କୃଷିକ୍ଷେତ୍ରର କବର ଉପରେ ନଗର ଗଢିବ ସୌଦାଗର । ସଇତାନି ଶକ୍ତିଶାଳୀ ହେବ ମୁନାଫାର ମୁଖଶାଳା – କୃଷିଭିତିକ ଗ୍ରାମସଂଗଠନର କଙ୍କାଳ କେବଳ ସ୍ମାରକିତ କରୁଥିବ ଏକ ମୃତ ସଭ୍ୟତାର ସମାଧି! ପ୍ରଜ୍ଞା, ପ୍ରଶାନ୍ତି ଧନଶକ୍ତି ପରିବର୍ତେ ମାର୍କିନ୍ ମାର୍କେଟରୁ ମିଳୁଥିବ ଏସିଆର ଅସ୍ଥି, ଅଙ୍ଗାର, ଚିତାଭସ୍ମ!
ବହୁଦିନରୁ ଭାରତ-ଚିନ୍‌-ଜାପାନ୍ ସରକାରମାନେ କୃଷିରୁ ମୁହଁ ଫେରାଇ ଶିଳ୍ପସାମ୍ରାଜ୍ୟରେ ମସଗୁଲ ଥିଲେ । ଏବେ ଗାଁକୁ ଫେର, କୃଷି ହିଁ ଜୀବନ ବଂଚାଇବ । ଗାଁ, ମା, ମାଟି, ମଣିଷ ସବୁ ଏକାଠି ହୁଅ । ପୁଞ୍ଜିପତିମାନେ କେବେବି ଗାଁ, ମା, ମାଟି, ମଣିଷକୁ ଅନାଇ ନାହାଁନ୍ତି । ସବୁବେଳେ ଗାଁରେ ରହୁଥିବା ମଣିଷ, କୃଷି ଉପରେ ନିର୍ଭର କରୁଥିବା ଲୋକେ ଖାଦ୍ୟବସ୍ତ୍ର, ବାସଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଦରକାର ମୁତାବକ ପାଉନାହାଁନ୍ତି । ଯେଉଁମାନେ ସାରା ବିଶ୍ୱବାସୀଙ୍କ ମୁହଁରେ ଖାଦ୍ୟ ଦେଉଛନ୍ତି, ସେମାନେ ଅର୍ଦ୍ଧାହାର ଅନାହାରରେ ଦିନ ଦିନ ବିତାଇଦେଉଛନ୍ତି । ଅଭାବ, ଅସୁବିଧା, ଦୁଃଖ, କଷ୍ଟ ଏମାନଙ୍କର ଦେହସୁହା ହୋଇଯାଇଛି । ଏବେ ‘ଭାବ’ ଲୋକଙ୍କୁ ଦୁଃଖ ପଡିଛି । ସୁଧଖୋର ସାହୁକାର ପରି ସରକାର କୃଷକମାନଙ୍କୁ କେବଳ ଖାତକ କରିଚାଲିଛନ୍ତି । ଏସିଆର ଚାଷୀ ଆତ୍ମହତ୍ୟା କରି ମରୁଛି, ରାଷ୍ଟ୍ର ଶାସକମାନେ ଶିଳ୍ପପତିମାନଙ୍କ ସହିତ ସାମିଲ୍ ହୋଇ ମୁନାଫାର ମିନାର୍ ଗଢୁଛନ୍ତି – ନିରନ୍ନ ଜନତାର ଅସ୍ଥିଗଦା ଉପରେ ।

ସମୟ ଥିଲା, କଳକାରଖାନା ଶିଳ୍ପ ନଥିଲା । ଲୋକେ ସେତେବେଳେ ମଣିଷ ଥିଲେ । ମାଟିକୁ ‘ମା’ ମଣି ଚାଷ କରି ଖାଦ୍ୟ ଉତ୍ପାଦନ କରି ବଂଚିଥିଲେ । ଶିଳ୍ପ ବିପ୍ଳବ ପରେ କୃଷି ଧିରେ ଧିରେ ଧ୍ୱଂସମୁଖୀ ହେଲା । ଯନ୍ତ୍ର ସାହାଯ୍ୟରେ କୁତ୍ରିମ ଉପାୟରେ ଖାଦ୍ୟ ଉତ୍ପାଦନ ହେଲା । କୃଷିକ୍ଷେତ୍ରରେ ନିଯୁକ୍ତ ଶ୍ରମଜୀବିମାନେ ବାଧ୍ୟହୋଇ ଶିଳ୍ପରେ ନିଯୁକ୍ତି ପାଇଁ ସହରାଭିମୁଖୀ ହେଲେ । ଗାଁ ହେଲା ଖାଁ ଖାଁ । ହୁଡା, ହିଡ, ହାଡର ହାହାକାର ଆଉ ହା’ଅନ୍ନର ହତାଶରେ ହଜିଗଲା ସରଳସବୁଜ ସ୍ୱପ୍ନ…ଜୀବନ । ଏବେ କଳକାରଖାନା ଶିଳ୍ପରେ ମାନ୍ଦାବସ୍ଥା ଭୟଙ୍କର ଭାବେ ଦେଖାଦେଇଥିବାରୁ ପୁଣି ସହରାଭିମୁଖୀ ଶ୍ରମଜୀବି କୃଷି କାର୍ଯ୍ୟକୁ ଆପଣେଇ ନେବା ହଠାତ୍ ସମ୍ଭବ ନୁହେଁ । ତେବେ ବଂଚିବା ପାଇଁ ପରିସ୍ଥିତକୁ ଆପଣେଇ ନେଇ ସରକାରଙ୍କୁ ବାଧ୍ୟ କରିବାକୁ ହେବ ରାଜକୋଷରୁ ଆଖିବୁଜି ଅର୍ଥ ମୁକୁଳାଇ କୃଷି ଜଳସେଚନରେ ଖର୍ଚ୍ଚ କର । ନୁଆ କେନାଲ ଖୋଳ, ପୁରୁଣା କେନାଲ, ପୁର୍ତି ହୋଇଯାଇଥିବା ନଦୀନାଳକୁ ସଜାଡ । ବ୍ୟାପକ ଜଳସେଚନ ପାଇଁ କେନାଲ ଓ ନଦୀର ସଂଯୋଗିକରଣ କର । ଜଳସେଚନ ହେଲେ ଟାଙ୍ଗରା ଭୂଇଁ ସବୁଜ ହୋଇଉଠିବ ପୁଣି । ପର୍ଯ୍ୟାପ୍ତ ଖାଦ୍ୟ ଉତ୍ପାଦନ ହୋଇ ଅନ୍ତତଃ ଲୋକେ ଦି’ଓଳି ଦୁ’ମୁଠା ଖାଇବାକୁ ପାଇବେ । ପୃଥିବୀର ଆତ୍ମା, ହୃଦୟ ଓ ବିବେକର ବାର୍ତାରେ ଉଦ୍ଦିପିତ କରିବାପାଇଁ ଏସିଆର ଐକ୍ୟ ଆଜି ସମୟର ଆହ୍ୱାନ । ଆଜି ଭ୍ରଷ୍ଟ ଭାରତର ନଷ୍ଟନଥିରୁ ନିଶ୍ଚିହ୍ନ କରିଦେବାକୁ ପଡିବ ଆମେରିକାର ସୃଷ୍ଟ ସ୍ୱାକ୍ଷର । ଚିନ୍‌ର ଚିତ୍ରରୁ ଉଠାଇଦେବାକୁ ହେବ ମାର୍କିନ୍ ମାୟାଜାଲ । ଏସିଆର ମହାମଂଚରେ ଯୋଗଦେବାକୁ ହେବ ବୌଦ୍ଧ ଜାପାନକୁ । ଏସିଆକୁ ଆଉଥରେ ଉଇହୁଙ୍କା ନକରିବାର ବଜ୍ର ସଂକଳ୍ପରେ ।

ଯାଜପୁର ରୋଡ, ଯାଜପୁର, ମୋ : ୯୮୬୧୦୩୪୧୬୩
(ଲେଖକ ଜଣେ ବରିଷ୍ଠ ଶ୍ରମିକ ନେତା ଓ ସ୍ତମ୍ଭକାର)
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି www.odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.