Latest Odisha News

BREAKING NEWS

ଅନୁବାଦକ ଗଣେଶ୍ୱର ମିଶ୍ର : ଜାହାନାରା ଆତ୍ମକାହାଣୀରୁ ହେଲେନ୍ କେଲର୍

ଏବେ ଅନୁବାଦ, ଗଳ୍ପ, କବିତା, ନାଟକ ଓ ଉପନ୍ୟାସ ଭଳି ସର୍ଜନଶୀଳ ସାହିତ୍ୟର ମର୍ଯ୍ୟାଦା ଲାଭ କରିବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ବିଭାଗ ରୂପେ ଗୃହୀତ ହୋଇ ସାରିଲାଣି । ସମାଲୋଚକମାନଙ୍କ ମତରେ ଅନୁବାଦ ହେଉଛି ଝରକା ସଦୃଶ ଯଦ୍ଦ୍ୱାରା ବାହାରଜଗତର ଦୃଶ୍ୟ-ଜୀବନ ଓ ସାହିତ୍ୟକୁ ଦେଖିହୁଏ, ପରଖି ହୁଏ ଓ ଗ୍ରହଣ କରିହୁଏ । ଅନୁରୂପ ଭାବରେ ଏହା ଘର ଭିତରର ଅର୍ଥାତ୍ ଭିତର ଜଗତର ଦୃଶ୍ୟକୁ ମଧ୍ୟ ବାହାର ଜଗତ ପାଖରେ ପ୍ରଦର୍ଶିତ କରିବାର ସାମର୍ଥ୍ୟ ରଖେ । ଓଡ଼ିଆ ସାହିତ୍ୟର ସବୁ ବିଭାଗରେ ଲେଖନୀ ଚାଳନା କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିବା ଗଣେଶ୍ୱର ମିଶ୍ର ଜଣେ ସଫଳ ଅନୁବାଦକ ମଧ୍ୟ ।

ତାଙ୍କ ପ୍ରଥମ ଅନୁଦିତ ପୁସ୍ତକ ‘ଜାହାନାରା ଆତ୍ମକାହାଣୀ’ ୧୯୭୦ରେ ପ୍ରକାଶ ପାଇଥିଲା । ଏଇ ଜାହାନାରା ହେଉଛନ୍ତି ମୋଗଲ ସମ୍ରାଟ ଶାହାଜାହାନଙ୍କ କନ୍ୟା । ମାତ୍ର ଛବିଶ ବର୍ଷ ବୟସରେ ପ୍ରସିଦ୍ଧ ସାଧକ ଖ୍ୱାଜା ମୁଇନୁଦ୍ଦିନ୍ ଚିସ୍‌ତିଙ୍କ ଜୀବନୀ ଓ ବାଣୀ ସମ୍ବଳିତ ପୃଥିବୀ ବିଖ୍ୟାତ ପୁସ୍ତକ ‘ମୁନିସ୍‌-ଉଲା-ଆରୱା’ ପୁସ୍ତକ ସେ ଲେଖି ପାରିଥିଲେ । କଲିକତା ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ଡକ୍ଟର ମାଖନଲାଲ ରାୟ ଚୌଧୁରୀଙ୍କ ଦ୍ୱାରା ମୂଲ୍ୟବାନ ଟିପ୍‌ପଣୀମାନ ସହ ବଙ୍ଗଳାରେ ଅନୁଦିତ ଜାହାନାରାଙ୍କ ଆତ୍ମଜୀବନୀ ଆଧାରରେ ଗଣେଶ୍ୱରଙ୍କର ଏହି ପୁସ୍ତକଟି ରଚିତ । ପିତା ଶାହାଜାହାନ ତାଙ୍କ ଜୀବନର ଅନ୍ତିମ କାଳରେ ବନ୍ଦୀ ଜୀବନ କଟାଉଥିବାବେଳେ ତାଙ୍କର ସାଥୀ ରୂପେ ଥିବା, ପୁଣି ପିତାଙ୍କ ମୃତ୍ୟୁ ପରେ ଚଉଦବର୍ଷ କାଳ ଜଣେ ହିନ୍ଦୁ ସନ୍ନ୍ୟାସିନୀର ଜୀବନଧାରା ଅବଲମ୍ବନ କରିଥିବା ଏହି କ୍ଷମାମୟୀ ସକାରାତ୍ମକ ଚିନ୍ତାଧାରାର ପ୍ରତୀକ, ବିଦୁଷୀ ନାରୀ ଜାହାନାରାଙ୍କ ଗଭୀର ପ୍ରେମ, ପିତୃଭକ୍ତି, ଜୀବନଦୃଷ୍ଟି ଏବଂ ଆଉରଙ୍ଗଜେବଙ୍କ ଶଠାଚାର ତଥା ଅତ୍ୟାଚାରର କାହାଣୀରେ ଋଦ୍ଧିମନ୍ତ ହୋଇଛି ଏହି ଆତ୍ମଜୀବନୀ । ଐତିହାସିକ ଦୃଷ୍ଟିକୋଣରୁ ଏହା କେତେ ଗୁରୁ୍‌ତ୍ୱପୂର୍ଣ୍ଣ ତାହା ଅଲଗା କଥା କିନ୍ତୁ ଆତ୍ମଜୀବନୀଟି ଯେ ଏକ ଉଚ୍ଚମାନର ସାହିତ୍ୟକୃତି ତାହା ସାହିତ୍ୟ ସମାଲୋଚକମାନଙ୍କ ଦ୍ୱାରା ନିର୍ଣ୍ଣିତ ।

ଅନ୍ୟ ଜଣେ ଖ୍ୟାତନାମା ଅସାମାନ୍ୟା ମହିଳା ହେଉଛନ୍ତି ହେଲେନ୍ କେଲର୍ । ସେ ଥିଲେ ଦୃଷ୍ଟିଶକ୍ତିହୀନା ତଥା ବଧିରା । ତେବେ ନିଜର ଅଦମ୍ୟ ଇଚ୍ଛା ଶକ୍ତି ଏବଂ ଚେଷ୍ଟା ବଳରେ ସେ ଭାଷା ଶିଖି ପାରିଥିଲେ ଓ କହିଥିଲେ । ବହୁ ପୁସ୍ତକର ରଚୟିତା ହେଲେନ୍ କେଲରଙ୍କ ଆତ୍ମଜୀବନୀ ‘ଦି ଷ୍ଟୋରି ଅଫ୍ ମାଇଁ ଲାଇଫ୍‌’ର ସଂକ୍ଷିପ୍ତ ଅନୁବାଦ ପୁସ୍ତକ ‘ମୋ ଜୀବନ କାହାଣୀ’ ଗଣେଶ୍ୱରଙ୍କ ଦ୍ୱାରା ଲିଖିତ । ଏହି ଆତ୍ମ ଜୀବନୀଟିରେ ହେଲେନ ନିଜ ସଂଗ୍ରାମଭରା ଜୀବନ ଯାତ୍ରା, ତାଙ୍କ ବୌଦ୍ଧିକ ବିକାଶ ନିମିତ୍ତ ପୁସ୍ତକର ଅବଦାନ ବିଶେଷ କରି ସାହିତ୍ୟ ଅଧ୍ୟୟନର ଗୁରୁତ୍ୱ ଏବଂ ଜ୍ଞାନର ଶକ୍ତି ସଂପର୍କରେ ଲିପିବଦ୍ଧ କରିଯାଇଛନ୍ତି । ଏହା ଭିନ୍ନକ୍ଷମମାନଙ୍କୁ ଚିରକାଳ ଉଦ୍‌ବୁଦ୍ଧ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଚଲାପଥକୁ ଆଲୋକିତ କରିବାର ସାମର୍ଥ୍ୟ ରଖେ ।

ଓଡ଼ିଆ ଜୀବନ ଓ ସଂସ୍କୃତି ପ୍ରେମରେ ବାନ୍ଧି ହୋଇ ଯାଇଥିବା ଇଟାଲିରେ ଜନ୍ମିତା ଇଲେଆନା ଚିତାରିସ୍ତି ଜଣେ ଖ୍ୟାତନାମା ଓଡ଼ିଶୀ ନୃତ୍ୟ ଶିଳ୍ପୀ । ସେ ବହୁଶ୍ରମ ସ୍ୱୀକାର କରି ତାଙ୍କ ନୃତ୍ୟଗୁରୁ ତଥା ଓଡ଼ିଶୀ ନୃତ୍ୟର ଅନ୍ୟତମ ଉଦ୍‌ଗାତା କେଳୁ ଚରଣ ମହାପାତ୍ରଙ୍କ ଜୀବନୀ ଓ କୃତି ସମ୍ବଳିତ ପୁସ୍ତକ “The Making of Guru Kelucharan Mohapatra, His Life and Times” ରଚନା କରିଛନ୍ତି । ଏହାର ଓଡ଼ିଆ ଅନୁବାଦ ଜୟଦେବ ଓ ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ପ୍ରଶାସକ ସୁବାସ ପାଣିଙ୍କ ସହ ମିଶି ଗଣେଶ୍ୱର କରିଛନ୍ତି ।

ଏହି ପୁସ୍ତକଟି ଓଡ଼ିଶୀ ନୃତ୍ୟର ଇତିହାସକୁ ଦର୍ଶାଇବାର ସାମର୍ଥ୍ୟ ରଖେ । କେଳୁ ଚରଣଙ୍କ ଜୀବନୀ ସହ ତାଙ୍କ କାର୍ଯ୍ୟଧାରା ଯାହା ଓଡ଼ିଶୀ ନୃତ୍ୟର ବିକାଶଧାରା ସହିତ ଓତଃପ୍ରୋତଃ ଭାବରେ ସଂଶ୍ଳିଷ୍ଟ ତାହା ବହୁ ତଥ୍ୟ ମାଧ୍ୟମରେ ଉପସ୍ଥାପିତ ହୋଇଛି । ଗ୍ରହଣଶୀଳତା ଏବଂ ସହନଶୀଳତା କିପରି କେଳୁଚରଣଙ୍କ ସୃଜନ ପ୍ରତିଭା ତଥା ସାଧନାକୁ ପ୍ରଭାବିତ କରିଥିଲା ତାର ସବିଶେଷ ବିବରଣୀ ପୁସ୍ତକଟିରେ ରହିଛି । ଏପରି ଏକ ପୁସ୍ତକ ରଚନା କରି ଇଲିଆନା ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ନିବେଦନ କରିବା ସଙ୍ଗେ ସଙ୍ଗେ ଓଡ଼ିଶାବାସୀଙ୍କ ପାଇଁ ବହୁମୂଲ୍ୟ ଅବଦାନ ରଖିଛନ୍ତି । ତାହାକୁ ଓଡ଼ିଆରେ ଅନୁବାଦ କରିଥିବାରୁ ଅନୁବାଦକ ଦ୍ୱୟଙ୍କ ଅବଦାନ ମଧ୍ୟ ପ୍ରଣିଧାନ ଯୋଗ୍ୟ ।

ଆଧୁନିକ ବିଶ୍ୱ ସାହିତ୍ୟରେ ଚିନିଆ ଆଚିବି ଏକ ପରିଚିତ ନାମ । ଆଫ୍ରିକାର ମୂଳ ଅଧିବାସୀମାନଙ୍କର ଜୀବନଚର୍ଯ୍ୟା ତାଙ୍କ ସୃଷ୍ଟିରେ ଚମତ୍‌କାର ରୂପ ନେଇଛି । ତାଙ୍କ ରଚିତ ବାସ୍ତବଧର୍ମୀ ଉପନ୍ୟାସ, କ୍ଷୁଦ୍ରଗଳ୍ପ ଓ କବିତା ଆଦି ବେଶ୍ ହୃଦୟସ୍ପର୍ଶୀ । ଇଂରେଜମାନେ ନାଇଜେରିଆରେ ଉପନିବେଶ ସ୍ଥାପନ କଲାବେଳେ ସେଠାକାର ମୂଳ ଅଧିବାସୀମାନେ ନିଜର ପାରମ୍ପରିକ ଚଳଣି, ରୀତି, ନୀତି, ଧର୍ମବିଶ୍ୱାସ ଆଦି ପ୍ରତିବଦଳରେ ଔପନିବେଶକମାନଙ୍କ ଦ୍ୱାରା ପ୍ରସାରିତ ଧର୍ମବିଶ୍ୱାସ ଆଦିକୁ ପ୍ରଥମେ ଗ୍ରହଣ କରି ପାରିନଥିଲେ । ସେହି ଅଧିବାସୀମାନଙ୍କର ତାତ୍‌କାଳିକ ମାନସିକ ସଂଘାତ ଏବଂ ଔପନିବେଶିକମାନଙ୍କ ସହିତ ସଂଘର୍ଷଜନିତ ଭଙ୍ଗାଗଢ଼ାକୁ ନେଇ ଗତିଶୀଳ ଚିନୁଆ ଆଚିବିଙ୍କ ଉପନ୍ୟାସ ‘Things Fall Apart’ । ଗଣେଶ୍ୱରଙ୍କ ରଚିତ ‘ଭାଙ୍ଗିଯାଉଥିବା ଅତୀତ’ ଏହି ଉପନ୍ୟାସର ସଂକ୍ଷିପ୍ତରୂପ । ତିନୋଟିଭାଗରେ ଛୋଟ ଛୋଟ ପଚିଶଟି ପରିଚ୍ଛେଦରେ ଏହି ସଂକ୍ଷିପ୍ତରୂପ ପରିବେଷିତ ।

ଜଣେ ସ୍ୱନାମଧନ୍ୟା ଲେଖିକା ହେଉଛନ୍ତି ଇଂରାଜୀ ଓ କନ୍ନଡ଼ ଭାଷାରେ ଲେଖାଲେଖି କରୁଥିବା ସୁଧା ମୂର୍ତ୍ତି । ନଅଟି ଉପନ୍ୟାସ, ତିନୋଟି ଭ୍ରମଣ କାହାଣୀ ଗୋଟିଏ ଗଳ୍ପ ସଂକଳନ ଏବଂ ଚାରୋଟି ପ୍ରଯୁକ୍ତି ବିଦ୍ୟା ସଂପର୍କୀୟ ପୁସ୍ତକର ସେ ରଚୟିତା । ତାଙ୍କ ଲିଖିତ ପୁସ୍ତକ ‘The Oldman and his God.(Discovering the spirit of India)’ ଗଣେଶ୍ୱରଙ୍କ ଦ୍ୱାରା ‘ବୁଢ଼ା ଓ ତାଙ୍କ ଠାକୁର (ଭାରତର ଆତ୍ମାର ଆବିଷ୍କାର)’ । ଶୀର୍ଷକରେ ଓଡ଼ିଆରେ ଅନୁଦିତ ହୋଇ ପ୍ରକାଶିତ । ସ୍ୱଜୀବନାନୁଭୂତି ଆଧାରରେ ରଚିତ ସୁଧା ମୂର୍ତ୍ତିଙ୍କର ଏହି ଗଳ୍ପଗୁଡ଼ିକ ଭାବୋଦ୍ଦୀପକ ଏବଂ ଅନୁଶୀଳନଧର୍ମୀ । ସେ ଭେଟିଥିବା ମଣିଷମାନଙ୍କର ବୈଚିତ୍ର‌୍ୟଭରା ଆଚରଣ ଓ ସମସ୍ୟାକୁ ଭିତ୍ତିକରି ଗଳ୍ପର କାହାଣୀ ଭାଗ ଗତିଶୀଳ । ବିଶେଷକରି ସେମାନଙ୍କ ଗୁଣବତ୍ତାକୁ ଚିହ୍ନାଇବା ହୋଇଛି ଧ୍ୟେୟ । ତେବେ ବେଳେବେଳେ ମଣିଷର ଶଠାଚାର ମଧ୍ୟ ଉନ୍ମୋଚିତ ହୋଇଛି ।

ସନ୍ଥକବି କବୀରଙ୍କ ଦ୍ୱାରା ରଚିତ ସତେଇଶଟି ‘ଦୋହା’ ଓ ଅଣପଚାଶଟି ‘ଭଜନ’ ମଧ୍ୟ ସେ ଅନୁବାଦ କରିଛନ୍ତି । ସେଗୁଡ଼ିକ ‘ଶୁଣଭାଇ ସାଧୁ’ ପୁସ୍ତକରେ ସଂକଳିତ । ଉଲ୍ଲେଖ କରାଯାଇଥିବା ପୁସ୍ତକଗୁଡ଼ିକ ବ୍ୟତୀତ ପିଲାଙ୍କ ଉପଯୋଗୀ ବିଭିନ୍ନ ଭାଷାର ବହୁ କାହାଣୀ ଓ ଲୋକକଥା ତାଙ୍କ ଦ୍ୱାରା ଅନୁଦିତ ଏବଂ ସଙ୍କଳିତ । କେତୋଟି ଓଡ଼ିଆକୃତି ମଧ୍ୟ ତାଙ୍କ ଦ୍ୱାରା ଇଂରାଜୀକୁ ଅନୁଦିତ ହୋଇଛି । ମୂଳକୃତିର ଭାବଗତ ଓ ଭାଷାଗତ ବୈଶିଷ୍ଟ୍ୟକୁ ଅକ୍ଷୁଣ୍ଣ ରଖି ଉଭୟ ଭାଷାର ମୌଳିକତାକୁ ଗୁରୁତ୍ୱ ପ୍ରଦାନ କରି ଗଣେଶ୍ୱର କରିଥିବା ଏହି ଅନୁବାଦ ଗୁଡ଼ିକ ଓଡ଼ିଆ ଅନୁବାଦ ସାହିତ୍ୟକୁ ଯେ ଋଦ୍ଧିମନ୍ତ କରିଛି ଏହା ସ୍ୱୀକାର୍ଯ୍ୟ ।

(ଗଣେଶ୍ୱର ମିଶ୍ରଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇବା ଅବସରରେ )

Leave A Reply

Your email address will not be published.