ଯୋଗ ଏବଂ ଶିବ ଅଭିନ୍ନ । ତେଣୁ ଶିବ ହେଉଛନ୍ତି ଯୋଗେଶ୍ବର। ଶ୍ରୀକୃଷ୍ଣ ହେଲେ ମହାଯୋଗେଶ୍ବର । ହରି ଓ ହର ଉପାସନା ଆମ ସସ୍କୃତିର ଏକ ବୈଶିଷ୍ଟ୍ୟ। କବି ବ୍ରଜନାଥ ବଡ଼ଜେନା “ଅମ୍ବିକା ବିଳାସ “ରେ ଲେଖିଛନ୍ତି:
“ଅଚ୍ୟୁତ ଶିବ ଏ ଅଭିନ୍ନ
ଅମ୍ବିକା ରାଧିକା ତେସନ
ଅନ୍ତର ଏଥି କିଛି ନାହିଁ
ଅଜ୍ଞାନୀ ଭେଦ କରୁଥାଇ ।”
ଇଶ୍ଵର ଏକ ଓ ଅଦ୍ବିତୀୟ ।ବେଦରେ ଅଛି “ଏକୋହଂ ବହୁସ୍ୟାମ ” ।ଯଦିଓ ଆମର ବହୁ ଦେବଦେବୀ ପୂଜା କରାଯାଏ, ପ୍ରକୃତରେ ଦେଖିବାକୁ ଗଲେ ଇଶ୍ଵରଙ୍କ ଦୁଇଟି ଗୁଣ ହିଁ ଶ୍ରେଷ୍ଠ। ପ୍ରଥମେ ସେ ଶିବରୂପୀ,ଅର୍ଥାତ ସେ ମଙ୍ଗଳମୟ ଏବଂ ଜୀବଜଗତକୁ ପାପତାପରୁ ଉଦ୍ଧାର କରି ଉପଯୁକ୍ତ ମାର୍ଗରେ ଗତି କରାଉଥିବାରୁ ସେ ହେଉଛନ୍ତି ଶିବରୂପୀ ପରମ କାରୁଣିକ।ଭଗବାନ ଶିବଙ୍କର ଅନ୍ୟ ରୂପ ହେଉଛି ରୁଦ୍ର।ଅର୍ଥାତ ସେ ଯେପରି ଭାବରେ ଶାନ୍ତ, କାରୁଣିକ ତଥା ମଙ୍ଗଳମୟ ସେପରି ଭାବରେ ସେ ଦୃଢ଼ ଗମ୍ଭୀର ଏବଂ କଠୋରତାରେ ପରିପୂର୍ଣ୍ଣ। ତାଙ୍କ ପରିପ୍ରକାଶରେ ହିଁ ରହିଛି ଦିବାରାତ୍ରର ମିଳନ ସଦୃଶ କଠୋରତା ଏବଂ କରୁଣାବସ୍ଥାର ସମାହାର। ସେ ହିଁ ଏକମାତ୍ର ସ୍ବୟଂଭୂ ,ଅଜନ୍ମା,ନିରାକାର, ନିର୍ଗୁଣ ଭଗବାନ । ସେ ହିଁ ଶିବ, ହର,ମହାଦେବ, ଯୋଗୀରାଜ, ନୀଳକଣ୍ଠ, ଭୋଳାନାଥ, ଲିଙ୍ଗରାଜ, ମହେଶ୍ବର, ଶଙ୍କର, ଭୋଳେଶ୍ବର ଇତ୍ୟାଦି ବିଭିନ୍ନ ନାମରେ ଜନମାନସରେ ପ୍ରତିଷ୍ଠିତ ।
ଯୋଗୀରାଜ ଶିବ ଏ ମହାଜଗତ,ଅନ୍ତର୍ଜଗତ ଓ ପ୍ରକୃତିରେ କେଡେ ଅଭିନବ ନୃତ୍ୟ ଠାଣିରେ ଉଭା ହୋଇଛନ୍ତି ନୃତ୍ୟରାଜ ଓ ନଟରାଜ ରୂପେ ! ଏ ସୃଷ୍ଟି ନିତ୍ୟ ନୃତ୍ୟରତ ।ଏଠାରେ ସବୁକିଛି ଉଭା ନୃତ୍ୟ ଠାଣିରେ।ଭଗବାନ ଶିବ ହିଁ ସ୍ବୟଂ ନର୍ତ୍ତକ,ତାଙ୍କ ନୃତ୍ୟଭାବ ହିଁ ଆଲୋକ ଓ ଆଧ୍ୟାତ୍ମିକ ଜଗତକୁ ପ୍ରଥମ ପ୍ରବେଶ ପଥ। ନୃତ୍ୟ ହିଁ ସୃଜନ। ତାଙ୍କ ନୃତ୍ୟ ହେଉଛି ଜୀବନ, ଧର୍ମ, ଆନନ୍ଦ ଓ ନିର୍ବାଣ ।ନୃତ୍ୟ ଚେତନାର ଜଗତରେ କେବଳ ଶିବ ହିଁ ଏକମାତ୍ର ଅଧିଶ୍ବର। ତାଙ୍କ ବିନା ଜଗତ ନାହିଁ ଓ ଜଗତର ପରିପ୍ରକାଶ ନାହିଁ। ନଦୀ,ଆକାଶ, ଅଗ୍ନି, ବାୟୁ , ଜୀବନ ଓ ପ୍ରକୃତି -ଉଭୟ ସଜୀବ ଓ ନିର୍ଜୀବ ,ସବୁ ଅହରହ ନୃତ୍ୟରତ। କେହି ସ୍ଥିର, କେହି ଚଳମାନ,ଭିନ୍ନ ଭିନ୍ନ ନୃତ୍ୟ ମୁଦ୍ରାର ସ୍ବୟଂପ୍ରକାଶ । ପ୍ରବହମାନ ଜଳବାୟୁ ,ପ୍ରଶାନ୍ତ ଆକାଶ, ନିଥର ପାହାଡ ନୃତ୍ୟର ଗୋଟିଏ ଗୋଟିଏ ସ୍ଥିର ମୁଦ୍ରା। ଅଣୁ ପରମାଣୁ ଓ ସେ ସବୁ ମଧ୍ୟରେ ସୂକ୍ଷ୍ମାତିସୂକ୍ଷ୍ମ କଣିକା ମାନଙ୍କର ଘୂର୍ଣ୍ଣନ ହିଁ ନୃତ୍ୟ।ପଂଚମହାଭୂତ ଓ ମହାଜଗତ ସବୁ ସେହି ନୃତ୍ୟରାଜ ଶିବଙ୍କର ନୃତ୍ୟ।ସେ ଅହରହ ନୃତ୍ୟରତ ବୋଲି ଏ ବିଶାଳ ପ୍ରକୃତି ଓ ବ୍ରହ୍ମାଣ୍ଡ ଆଜି ସ୍ପନ୍ଦିତ ।ତାଙ୍କ ନୃତ୍ୟ ଛନ୍ଦ, ତାଳ ,ଲୟ ଏକାନ୍ତ ଭାବେ ନିଜ ପାଇଁ ,ନିଜେ ସୃଷ୍ଟି ହୋଇଯିବା ପାଇଁ ,ଜୀବନ୍ତ -ଜୀବନ -ଜୀବନିକାର ସମାହାର। ବାରମ୍ବାର ଜଗତର ସୃଷ୍ଟି -ସ୍ଥିତି ଓ ପ୍ରଳୟର ବା ପୁନଃସୃଜନ ଆସୁ ନୃତ୍ୟରାଜ ଶିବଙ୍କ ପଂଚଭୂତର ନୃତ୍ୟ କେବେ ବି ବନ୍ଦ ହୁଏନା। ନୃତ୍ୟ ଓ ନର୍ତ୍ତକ ପରି ସୃଷ୍ଟି ଓ ସ୍ରଷ୍ଟା ଏକ।
ଶିବ-ଚେତନାର ଚାରୋଟି ମୁଖ୍ୟ ଅଂଶ ହେଲା ନୀରବତା, ଜ୍ୟୋତି, ଶକ୍ତି ଓ ଆନନ୍ଦ। ଅମୃତର ସନ୍ତାନ ଭାବରେ ମଣିଷ ସେହି ଦିବ୍ୟ ଓ ସ୍ବର୍ଗୀୟ ଶିବ-ଚେତନାକୁ ହୃଦୟରେ ଗ୍ରହଣ କରି ତା’ ଜୀବନକୁ ମଧୁମୟ ଓ ଆନନ୍ଦମୟ କରୁ ଓ ସମଗ୍ର ଜୀବନ ହୋଇଉଠୁ ଏକ ଶିବରାତ୍ରୀ। ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଲେଖନୀରେ :
” ସମସ୍ତ ଜୀବନ କର ଏକ ଶିବ ରାତ୍ରି
ଅନ୍ଧାରେ ନହୁଡ଼ ପଥ ହେ ସ୍ବରଗଯାତ୍ରୀ !” (ଶିବରାତ୍ରି).
ପୁରୀ
Comments are closed.