Latest Odisha News

ହଠାତ ପାଉଁଶ ପାଲଟି ଯାଇଥିବା ମନୋଜ କୁମାର ପଣ୍ଡାଙ୍କ ଗପକୁ ନେଇ କେତୋଟି ଛୋଟ ଛୋଟ କଥା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ

ଗପର କାରିଗରୀ
ବଲାଙ୍ଗୀର ଭଳି ଗୋଟେ ଉତ୍ତପ୍ତ ସହରରେ ସେ ନିଜ ଘରର ନାମ ରଖିଥିଲେ “ଇଗଲୁ”। ଇଟା ପଥରର ଏ ଘର ଭିତରେ ସେ ଥିଲେ ଏକ ବିଚିତ୍ରକର୍ମା ଏସ୍କିମୋ। ଏଇ ଇଗଲୁ ଭିତରେ ତାଙ୍କର ଶବ୍ଦର ଜଗତ। ମୋର ମନେ ଅଛି, ୧୯୯୨-୯୩ରେ ଯେତେବେଳେ ତାଙ୍କର ପ୍ରଥମ ଗଳ୍ପ ସଂକଳନ “ହାଡ ବଗିଚା” ବାହାରିଲା, ତାର ପଛ ପୃଷ୍ଠାରେ ଇତଃସ୍ତତଃ ହୋଇ ଗୁଡାଏ ଶବ୍ଦ ପଡି ରହିଥିଲେ। ସେ ବିକ୍ଷିପ୍ତ ଓ ଏକୁଟିଆ ଶବ୍ଦମାନେ ତାଙ୍କୁ ଗଢିଥିଲେ। ଏନ୍ତୁଡିଶାଳ, ଏରୁଣ୍ଡି, ସମୁଦ୍ର, ଯୂପକାଠ, ପକ୍ଷୀ, ନଈ, ବାନ୍ତି, ପ୍ରାହମ, ରୋକ୍ଵେନ୍ତିନ, ମୁଖା, ପିକାଶୋ, ଜୁଆର, ନାର୍ସିସସ, ଦରୋଟି, ନେରୁଦା……..ହାଡ ବଗିଚା-ଶ୍ମଶାନ। ଏ ଶବ୍ଦମାନେ କେହି କାହା ସହିତ ସଂଯୁକ୍ତ ନୁହନ୍ତି । ଜଣେ ଲେଖକ ଭାବରେ ଅସଂଯୁକ୍ତ ଓ ଅସମ୍ପୃକ୍ତ ଶବ୍ଦମାନଙ୍କୁ ନେଇ ସେ ଖେଳ ଖେଳନ୍ତି। ସେଥି ଲାଗି “ହାଡ ବଗିଚା” ବହିର ପ୍ରାରମ୍ଭରେ ସେ ଲେଖିଥିଲେ- “ଶବ୍ଦରୁ ଅର୍ଥ ପଖାଳିବା ପାଇଁ ଅଭିଧାନ ଦେଖନା, ଶବଦ ପାଖରେ ବସ, ତାକୁ ଛୁଅ, ଆଉଁସ, ଚାଖ, ଓଲଟ ପାଲଟ କର, ଘଷିମାଜି ଚିକଣିଆ କର, ରବର ପରି ଟାଣି-ସଙ୍କୁଚିତ କରି ଖେଳ, ବେଲୁନ ପରି ଫୁଲାଅ, ଗୁଡି ପରି ଉଡାଅ, ପୋଷ୍ଟର ପରି କାନ୍ଥରେ ଲଗାଅ ।“

ଲେଖକ ଭାବରେ ସେ ଶବ୍ଦ ସହିତ ଏମିତି ହିଁ ଥିଲେ। ସେଥିଲାଗି ତାଙ୍କ ପାଇଁ ଗପ ଲେଖିବା ଥିଲା ଏକ ପ୍ରକାର କାରିଗରୀ । ତାଙ୍କର ସବୁ ବହିର ଆରମ୍ଭରେ ପୃଥିବୀର ପ୍ରସିଦ୍ଧ କଥାକାର ଗାବ୍ରିଏଲ ଗାର୍ସିଆ ମାର୍କ୍ୱେଜଙ୍କର ଗୋଟେ ଊଦ୍ଧୃତି ରହୁଥିଲା- Ultimately literature is nothing but carpentry. ଚୂଡାନ୍ତ ଭାବେ କହିବାକୁ ଗଲେ ସାହିତ୍ୟ ହେଉଛି କାଠର କାରିଗରୀ। ମାର୍କ୍ୱେଜଙ୍କ ଏ ଉଦ୍ଧୃତି ୧୯୮୧ ମସିହାର ଏକ ସାକ୍ଷାତକାରରୁ ଆନୀତ। “ପ୍ୟାରିସ ରିଭ୍ୟୁ” ରେ ପ୍ରକାଶିତ ଏହି ସାକ୍ଷାତକାରଟି ସମକାଳର ଅନେକ ଗାଳ୍ପିକଙ୍କୁ ପ୍ରଭାବିତ କରିଥିଲା। ମନୋଜ କୁମାର ପଣ୍ଡା ନିଜକୁ ଓଡିଆ କଥା ସାହିତ୍ୟରେ ମାର୍କ୍ବେଜଙ୍କ ସମଗୋତ୍ରୀୟ ବୋଲି ବାରମ୍ବାର କହିଛନ୍ତି ।

ହଁ, ଆମେ ମନୋଜ କୁମାର ପଣ୍ଡାଙ୍କ ବିଷୟରେ କଥା ହେଉଛେ । ନାମ- ମନୋଜ କୁମାର ପଣ୍ଡା। ଜନ୍ମ- ୪, ଅକ୍ଟୋବର, ୧୯୫୪- ମୃତ୍ୟୁ-୯, ଜୁଲାଇ, ୨୦୨୦। ମୋଟାମୋଟି ୬୫ ବର୍ଷର ଆୟୁଷ। ବୃତ୍ତିରେ ଶିକ୍ଷକ। ପ୍ରବୃତ୍ତିରେ କଥକ। ବିଚାରରେ ସଂପୂର୍ଣ୍ଣ ନାସ୍ତିକ ଓ ବୈଜ୍ଞାନିକ ଅବବୋଧର ମଣିଷ। ବହି ସାଙ୍ଗରେ ବିତିଛି ସମୁଦାୟ ଜୀବନ। ପଢିଛନ୍ତି ପ୍ରଚୁର, ଭୋଗିଛନ୍ତି ବହୁତ- ହେଲେ ଲେଖିଛନ୍ତି ବହୁତ କମ। ମାତ୍ର ତିନୋଟି ଗଳ୍ପ ସଂକଳନ- ହାଡ ବଗିଚା, ବର୍ଣ୍ଣ ବଗିଚା ଓ ମାୟା ବଗିଚା। କିଛି ପ୍ରବନ୍ଧ ବି ଲେଖିଛନ୍ତି ।

ଏତେ କମ ଲେଖି ଏତେ ଅଧିକ ଚର୍ଚ୍ଚିତ କଥାକାରମାନଙ୍କ ଭିତରେ ତାଙ୍କର ଏକ ସ୍ଵତନ୍ତ୍ର ସ୍ଥାନ ରହିଥିଲା। ଗପରେ କାହାଣୀ ଅପେକ୍ଷା କଥା କହିବାର ଠାଣି କୁ ନେଇ ସେ ପ୍ରସିଦ୍ଧ।

ତାଙ୍କର ଗପ ସବୁ ନିଜେ ନିଜକୁ ଶୁଣାଉଥିବା ସ୍ଵଗତୋକ୍ତି ପରି। ସେ ନିଜେ ନିଜ ଭିତରେ ଗପ କହି କହି ଚାଲବୁଲ କରୁଥାନ୍ତି। ତାଙ୍କର ଚରିତ୍ରମାନେ ତାଙ୍କ ଭିତରେ ଜାକିଜୁକି ବସିଥାନ୍ତି।

ଗପର ଗୁଏର୍ଣ୍ଣିକା

ମନୋଜ କୁମାର ପଣ୍ଡା ବାରମ୍ବାର ପାବଲୋ ପିକାଶୋଙ୍କ କଥା କହିଛନ୍ତି ଓ ଲେଖିଛନ୍ତି। ଆଧୁନିକ ଚିତ୍ରକଳାର ସବୁଠୁ ପ୍ରସିଦ୍ଧ ଚିତ୍ରଶିଳ୍ପୀ ପିକାଶୋ। ୧୯୩୧ରେ ତାଙ୍କର ଛବି “ଗୁଏର୍ଣ୍ଣିକା” ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଥିଲା। ଗୁଏର୍ଣ୍ଣିକା ସେ ସମୟର ଯୁଦ୍ଧ ଓ ଧ୍ଵଂସର ସଙ୍କେତ ବହନ କରୁଥିଲା। ଏକ ବିପର‌୍ୟସ୍ତ ଓ ଭୟଙ୍କର ପୃଥିବୀର ପ୍ରତୀକମାନେ ସେ ଚିତ୍ରରେ ବିକ୍ଷିପ୍ତ ଭାବରେ ଏକ ସାମଗ୍ରିକ ଆବେଦନ ତିଆରି କରିଥିଲେ। ମନୋଜ ପଣ୍ଡାଙ୍କ ଗପରେ ତାଙ୍କ ସମୟ ଓ ତାଙ୍କର ଦୁନିଆଁ ଏମିତି ବିକ୍ଷିପ୍ତ । ସେମାନେ ଖୁବ ସୁନ୍ଦର ନୁହନ୍ତି। ଭୋକ, ମରୁଡି, ଅନାହାର ମୃତ୍ୟୁ, ଦାଦନ, ପ୍ରବାସୀ ଶ୍ରମିକ, ଆତ୍ମହତ୍ୟା କରୁଥିବା ଚାଷୀ, ମୃତ୍ୟୁର ଉପକୂଳରେ ସୁକ ସୁକ ବଲାଙ୍ଗୀର ଜିଲ୍ଲାର ଗାଁ, ଏମିତି ଦାରିଦ୍ର‌୍ୟର ବିଷର୍ଣ୍ଣ ଓ ଭିଭୀଷିକାମୟ ଚିତ୍ର ସବୁକୁ ସେ ବିକ୍ଷିପ୍ତ ଭାବରେ ବୁଣିଦିଅନ୍ତି।

ତାଙ୍କ ଗପରେ ଏହି ସବୁ ଭୀଷଣ ଓ ବିଷାଦଗ୍ରସ୍ତ ସମୟକୁ ଆମେ ଭେଟିବାକୁ ବାଧ୍ୟ। ତାଙ୍କ ଗପର ଦୁଇଟି ପ୍ରସ୍ଥ। ଗୋଟେ ପ୍ରସ୍ଥରେ ସାଧାରଣ ଗରିବ ମଣିଷର ସଙ୍ଘର୍ଷ ଓ ଆରେକ ପ୍ରସ୍ଥରେ ମଧ୍ୟବିତ୍ତ ମଣିଷର ନିର୍ଘାତ ଏକାକୀତ୍ଵ। ସେ ହାଡ ବଗିଚାର ଆରାମ ଚଉକିରେ ଶୋଇଥିବା ଚରିତ୍ର। ସେ ଜୀବନ ଦାସ- “କେଉଁଠି ଚା ଖାଏ, କେଉଁଠି ଭାତ ଖାଏ, କେଉଁଠି ସଲାମ ଠୁଙ୍କେ, କେଉଁଠି ଅଭଦ୍ର ଭାଷା କହେ, ଓ ରାତି ଦଶଟାରେ ଘରକୁ ଫେରେ। ରାତ୍ରିର ପଞ୍ଚମ ପ୍ରହରରେ ଏକ ପାଇଁ ଉଠେ। ସବୁ ଉଆଁସର ଅନ୍ଧାରକୁ ଦେଖେ, ସବୁ ପୁନେଇଁର ଆଲୋକକୁ ଦେଖେ, ତାରା ଦେଖେ, ଜହ୍ନ ଦେଖେ, ବୌଦ ଦେଖେ, ପୁଣି କବାଟ କିଳି ଶୋଇଯାଏ।’’ ତାଙ୍କ ଗପର ମଧ୍ୟବିତ୍ତ ଚରିତ୍ରମାନେ ଏମିତି ସୁଅ ମୁହଁର ପତର। ସେମାନେ ନିରୂପାୟ ଭାବରେ କାଳର ଗଞ୍ଜଣା ସହୁଥାନ୍ତି। ନିଜ ଉପରେ ରାଗୁଥାନ୍ତି ଓ ନିଜ ଭିତରେ ସରି ଯାଉଥାନ୍ତି।

ଏହାର ବିପରୀତରେ ତାଙ୍କର ଭୋକିଲା ଲୋକମାନେ ଅଧିକ ସାହସୀ। ସେ ଈଶ୍ଵରଙ୍କୁ ସବୁ ଅନ୍ୟାୟ ଓ ଦମନର ସାକ୍ଷୀ ଭାବରେ ଠିଆ କରାନ୍ତି। ତାଙ୍କ ଗପରେ ମଣିଷ ସହିତ ଈଶ୍ଵର ଓ ମୃତ୍ୟୁ ହାତ ଧରାଧରି ହୋଇ ଚାଲିଥାନ୍ତି।

ଏକ ସଂକ୍ଷିପ୍ତ ପୂର୍ଣ୍ଣାହୁତି

ମାତ୍ର ୬୫ ବର୍ଷ ବୟସରେ ଗୋଟେ ଅପରାହ୍ନରେ ହଠାତ ସେ ଝାଳନାଳ ହୋଇ ଉଠିବେ ଓ କାହାକୁ କିଛି ନ କହି ଅକସ୍ମାତ ଚାଲିଯିବେ ବୋଲି କେହି ଜାଣି ନଥିଲେ। ଇତିହାସକୁ ନେଇ ସେ ଗତ କିଛି ବର୍ଷ ହେଲା ଘାରି ହେଉଥିଲେ। ତାଙ୍କ ଗପରେ ଇତିହାସ ଅଧିକରୁ ଅଧିକ ଜାଗା ମାଡି ବସୁଥିଲା। ବଲାଙ୍ଗୀର ସହରର ଇତିହାସକୁ ନେଇ ଗୋଟେ ଉପନ୍ୟାସ ସେ ଲେଖୁଥିଲେ। ସେ ଉପନ୍ୟାସ ବୋଧେ ସେମିତି ଅଧାରେ ରହିଲା!!

ତେବେ ଇତିହାସକୁ ନେଇ ସେ କିଛି ଗପ ଲେଖିଛନ୍ତି। ରଜାଘର ଓ ରାଜାମାନଙ୍କର କଥା ତାଙ୍କ ଗପରେ ଆସିଛି। ହେଲେ ସେ ରାଜକୀୟ ଇତିହାସର କଥାକାର ନଥିଲେ। ତାଙ୍କ ଇତିହାସର କେନ୍ଦ୍ରରେ ଥିଲା ବଲାଙ୍ଗୀର ଜିଲ୍ଲାର “ବିରିପାଲି”। ଏ ଗାଁ ଆମ ସମୟ ଓ ଆମ ପୃଥିବୀର ପ୍ରତୀକ ପାଲଟି ଯାଇଛି। ଯେମିତି ମାର୍କ୍ୱେଜଙ୍କ ଉପନ୍ୟାସରେ “ମାକୋଣ୍ଡୋ” ସହର। ମୋତେ ଯଦି ଧାଡିକରେ ମନୋଜ ପଣ୍ଡାଙ୍କ ପରିଚୟ ଲେଖିବାକୁ କୁହାଯାଏ, ମୁଁ ଲେଖିବି- ସେ ଥିଲେ ବିରିପାଲି ଗାଁରେ ସାରା ପୃଥିବୀର ଇତିହାସ ଲେଖିଥିବା ଜଣେ ବିଚିତ୍ରକର୍ମା ଐତିହାସିକ।

ହଠାତ ଏମିତି ଜଣେ ସର୍ଜନ ପୁରୁଷ ଚିରସ୍ଥାୟୀ ଭାବରେ ନୀରବିଯିବା ଯଥେଷ୍ଟ ପୀଡା ଦାୟକ। ହେଲେ ସେ କଣ ସହଜରେ ନୀରବିଯିବାର ପ୍ରାଣୀ କି? ତାଙ୍କ ଗପରେ ସେ ପରା ଲେଖିଛନ୍ତି- “ତମର ଆଳୁବସ୍ତା –ସିଲେଇ ଦେହ ତ୍ୟାଗ କରି, ହେ ଆଦ୍ୟଶିଶୁ, ତମେ ନୂଆ ଦେହ ଧାରଣ କର। ତୁମ ପ୍ରାହମକୁ ନା ଶସ୍ତ୍ର, ନା ପାବକ ନା ଅପ ନା ମରୁତ କେହିହେଲେ ଶୁଷ୍କ କରିପାରିବେ ନାହିଁ। ତୁମେ ନିତ୍ୟ, ସର୍ବଗତ,ସ୍ଥିର। ତୁମେ ଅବିଚଳ, ସନାତନ, ଅକ୍ଷରାକାର। ତମେ ନିତ୍ୟ ଜାତ, ନିତ୍ୟ ମୃତ। ତୁମେ ଶାନ୍ତି, ଶାନ୍ତି, ଶାନ୍ତି ।”

ତମର ମରଣ ନାହିଁ ପ୍ରିୟ ମନୋଜ ଦାଦା। ଏବେ ତମେ ତମର ଗପ ହୋଇ ବଞ୍ଚି ରହିବ।

ଶାସ୍ତ୍ରୀ ନଗର, ୟୁନିଟ୍ ୪, ଭୁବନେଶ୍ୱର  ମୋ: ୯୪୩୭୧୫୪୪୪୫
(ଲେଖକ ଜଣେ ସାମ୍ବାଦିକ ତଥା ସ୍ତମ୍ଭକାର)

Comments are closed.