Latest Odisha News

BREAKING NEWS

ଭୋଟରଙ୍କୁ ପ୍ରଭାବିତ କରିବାକୁ ହୀନ ଉଦ୍ୟମ, କୋଟିଆରେ ଡ଼ିଜିଟାଲ ମିଟର ଲଗାଇଲା ଆନ୍ଧ୍ର

କୋରାପୁଟ: ନିର୍ବାଚନ ପୂର୍ବରୁ ଆନ୍ଧ୍ରର ଆଉ ଏକ ଚାଲ୍ ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶ କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆର ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି । ଆଗକୁ ଭୋଟ୍ ଥିବାରୁ ଆନ୍ଧ୍ର ପକ୍ଷରୁ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଉଦ୍ୟମ କରାଯାଇଛି ।

ସୂଚନାକ୍ରମେ, ଗତକାଲି ଆନ୍ଧ୍ର ବିଦ୍ୟୁତ୍ ବିଭାଗ ପକ୍ଷରୁ କିଛି ଡ଼ିଜିଟାଲ ମିଟର ଆଣି ତଳ ଗଞ୍ଜେଇପଦର ଗ୍ରାମରେ କିଛି ଲୋକଙ୍କ ଘରେ ଲଗାଇଥିବା ଦେଖିବାକୁ ମିଳିଛି । ସେମାନେ ଫର୍ମ ପୂରଣ କରି ପ୍ରାୟ ୩୯ ଜଣ ହିତାଧିକାରୀଙ୍କ ଘରେ ଏହି ଡ଼ିଜିଟାଲ ମିଟର ଲଗାଯାଇଥିବା ଜଣାଯାଇଛି ।

ଏ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ବ୍ଲକ ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପଡୋଶୀ ରାଜ୍ୟର ଅଧିକାରୀମାନଙ୍କୁ ଫେରିବାକୁ ଚେତାବନୀ ଦେଇଥିଲା । ଏହାପରେ ଅଧିକାରୀମାନେ ପଛକୁ ଫେରିଥିଲେ । ତେବେ ଏହି ଅଞ୍ଚଳରେ ବିଦ୍ୟୁତ୍ ଯୋଗାଇବା ପାଇଁ ଆନ୍ଧ୍ର ଏହାର ଭିତ୍ତିଭୂମି ସ୍ଥାପନ କରିସାରିଛି ।

ଅନ୍ୟପକ୍ଷରେ, ଓଡିଶା କେବଳ ଗାଁର କିଛି ପରିବାରକୁ ଡିଜିଟାଲ ମିଟର ଯୋଗାଇ ଦେଇଛି ଏବଂ ସ୍ଥାନୀୟ ପ୍ରଶାସନ ଏପର୍ଯ୍ୟନ୍ତ ଉକ୍ତ ବିଦ୍ୟୁତ୍ ଯୋଗାଣ ପାଇଁ କୌଣସି ଗୁରୁତର ପଦକ୍ଷେପ ନେଇ ନାହିଁ । ତେବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଆନ୍ଧ୍ର ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଥିବା ଜଣେ ଗ୍ରାମବାସୀ କହିଛନ୍ତି ।

ସୂଚନା ଅନୁସାରେ, ଆସନ୍ତା ମେ’ ୧୩ ତାରିଖରେ ଉଭୟ କୋରାପୁଟ ଓ ଆନ୍ଧ୍ରର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପାଇଁ ବ୍ୟତିବ୍ୟସ୍ତ ହୋଇ ଉଠିଛି । ଏ ଘଟଣା ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମଳିପାରିନାହିଁ ।

Leave A Reply

Your email address will not be published.