ରାଇକିଆ: କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଦବିଗଲା ମାଟି । ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ଗ୍ରାମରେ ହଠାତ୍ ମାଟି ଦବିଯାଇ ୧୦ ଫୁଟରୁ ଉର୍ଦ୍ଧ୍ୱ ଗଭୀର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଥିବା ଜଣାପଡ଼ିଛି।
ସୂଚନାଥାଉକି, କିଛି ଶିଶୁ ଦାଣ୍ଡରେ ଖେଳୁଥିଲେ। ହଠାତ୍ ସେମାନଙ୍କ ଆଖି ଆଗରେ ଏକ ସ୍ଥାନର ମାଟି ଧିରେ ଧିରେ ତଳକୁ ଦବିବାକୁ ଲାଗିଥିଲା। କିଛି ସମୟ ମଧ୍ୟରେ ସେଠାରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଯାଇଥିଲା। ଏଭଳି ଅପ୍ରତ୍ୟାଶିତ ଘଟଣା ଦେଖି ଶିଶୁମାନେ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ।
ତେବେ ଏହା ପ୍ରଥମ ଘଟଣା ନୁହେଁ। କିଛି ବର୍ଷ ପୂର୍ବେ ମଧ୍ୟ ଢେପାଗୁଡ଼ା ଗ୍ରାମରେ ଏଭଳି ମାଟି ଦବିବା ଘଟଣା ଘଟିଥିଲା।
ପ୍ରଶାସନିକ ଅଧିକାରୀ ଓ ଭୂତତ୍ତ୍ବବିତ୍ ଆସି ଅନୁଧ୍ୟାନ କରିବା ସହ ମାଟି ସମେତ କିଛି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଥିଲେ। ମାତ୍ର ସେହି ପରୀକ୍ଷାର ରିପୋର୍ଟ କ’ଣ ଆସିଥିଲା ଏବଂ ଏହାର କାରଣ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ପୁଣିଥରେ ଏଭଳି ଘଟଣା ଘଟିବା ପରେ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଛି। ବିଶେଷକରି ଗ୍ରାମରେ ଶିଶୁମାନଙ୍କ ଯାତାୟାତ ଓ ସୁରକ୍ଷାକୁ ନେଇ ଅଭିଭାବକମାନେ ଚିନ୍ତିତ ହୋଇପଡ଼ିଛନ୍ତି ।
