Latest Odisha News

BREAKING NEWS

ଗୁଲଜାରଙ୍କ ରଚନାରେ ‘ବିଶ୍ୱକପ ହକି’ର ଟାଇଟଲ୍ ଗୀତ ଗାଇବେ ଏ ଆର୍ ରେହମାନ୍

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୮ ତାରିଖରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ୧୪ତମ ‘ବିଶ୍ୱକପ ହକି’ ପ୍ରତିଯୋଗିତା ଆରମ୍ଭ ହେଉଛି । ତୃତୀୟଥର ଲାଗି ଭାରତରେ ବିଶ୍ୱକପ ହକି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ୧୯୮୨ ମସିହାରେ ମୁମ୍ବାଇ ଠାରେ ବିଶ୍ୱକପ ହକି ଅନୁଷ୍ଠିତ ହୋଇଥିଲା ବେଳେ ଦିଲ୍ଲୀରେ ଦ୍ୱିତୀୟଥର ଲାଗି ଭାରତ ଏହି ବିଶ୍ୱସ୍ତରୀୟ ଆନ୍ତର୍ଜାତିକ ହକି ପ୍ରତିଯୋଗିତା ଆୟୋଜନ କରିଥିଲା । ତେବେ ଏହି ବିଶ୍ୱକପର ମୁଖ୍ୟ ସ୍ପନସର୍ ରହିଥିବା ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବିଶ୍ୱକପ ଆୟୋଜନ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଏବେ ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ । ତେବେ ଆଜି ଏହି ବିଶ୍ୱକପର ଟାଇଟଲ୍ ଗୀତଟିକୁ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରେହମାନଙ୍କ ନିର୍ଦ୍ଦେଶନା ଦେଇଛନ୍ତି । ଟାଇଟଲ୍ ଗୀତକୁ ରଚନା କରିଛନ୍ତି ଭାରତର ବିଶିଷ୍ଟ ଗୀତିକାର ଗୁଲଜାର ।

ଓଡ଼ିଶାର ଭୁବନେଶ୍ୱରରେ ଅନୁଷ୍ଠିତ ହେଉଥିବା ‘ଓଡ଼ିଶା ବିଶ୍ୱକପ ପୁରଷ ହକି’ ପ୍ରତିଯୋଗିତାର ଟାଇଟଲ୍ ସଙ୍ଗ୍ ରହିଛି ‘ଜୟ ହିନ୍ଦ୍ ଜୟ ହିନ୍ଦ୍ , ଜୟ ଇଣ୍ଡିଆ’ । ଚମତ୍କାର ତାଳ ଓ ଲୟରେ ଭରପୁର ସମ୍ପୂର୍ଣ୍ଣ ଗୀତଟିର ସୁନ୍ଦର ରଚନା କରିଛନ୍ତି ବଲିଉଡର ପ୍ରସିଦ୍ଧ ଗୀତିକାର ଗୁଲଜାର୍ ।

ଏହି ଗୀତଟିରେ ହକି ଖେଳକୁ ଭାରତୀୟମାନେ କିପରି ଭଲ ପାଆନ୍ତି ତାହାକୁ ଏହି ଗୀତରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି ଗୁଲଜାର୍ ।

ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପର ଟାଇଟଲ୍ ଗୀତ ସମ୍ପର୍କରେ ସଙ୍ଗୀତ ନିର୍ଦ୍ଦେଶକ ଏ ଆର ରେହମାନ ସୂଚନା ଦେଇ କହିଛନ୍ତି, ଗୁଲଜାରଙ୍କ ଦ୍ୱାରା ରଚିତ ଏହି ଗୀତଟିରେ ହକି ଖେଳର ପ୍ରଶଂସା କରାଯାଇଥିବା ବେଳେ ଭାରତୀୟମାନେ କିପରି ହକି ଖେଳକୁ ଭଲ ପାଇଥାଆନ୍ତି ଗୀତଟିରେ ତାହା ରହିଛି ।

ସେ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି, ଏହି ବିରାଟ ହକି ଆୟୋଜନ ମାଧ୍ୟମରେ ବିଶ୍ୱଭାତୃତ୍ୱ ପ୍ରସାରିତ ହୋଇପାରିବ । ଗୁଲଜାର ସାହେବ ଏବଂ ମୁଁ ଏହି ଗୀତଟିକୁ ତିଆରି କରିଛୁ, ନିଶ୍ଚିତ ରୂପେ ସମସ୍ତ ହକିପ୍ରେମୀଙ୍କୁ ଏହା ଛୁଇଁପାରିବ ।

ବିଶ୍ୱକପ ଟାଇଟଲ୍ ଗୀତଟିକୁ ନିର୍ମାଣ କରିବାକୁ ଇଛାପ୍ରକାଶ କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍ଗୀତକାର ଗୁଲଜାର ଓ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରେହମାନଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।

“ଗୁଲଜାର୍ ସାହେବଙ୍କ ଅତୁଳନୀୟ ପ୍ରତିଭା ଏବଂ ରେହମାନଙ୍କ ଗୀତର ଯାଦୁ ବର୍ତ୍ତମାନ ସଙ୍ଗୀତକୁ ଏକ ନୂଆ ଦିଗନ୍ତ ଦେଇପାରିଛି । ବିଶ୍ୱକପ ହକି ସହିତ ଜଡ଼ିତ ହୋଇ ଏ ଆର ରେହମାନ ଏହାର ଭିଡ଼ିଓ ପ୍ରସ୍ତୁତି ମଧ୍ୟ କରୁଛନ୍ତି, ପ୍ରକୃତରେ ଏହା ଭାରତୀୟ ହକିପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିପାରିବ”।

ନଭେମ୍ବର ୨୭ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମରେ ବିଶ୍ୱକପର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେଉଛି । ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରେହମାନ ଯୋଗ ଦେଉଛନ୍ତି । ଏ ଆର୍ ରେହମାନ ଏହି ଟାଇଟଲ୍ ଗୀତଟିକୁ ନିଜେ ଗାଇବେ ବୋଲି ସୂଚନା ମିଳିଛି । ଓଡ଼ିଶାରେ ପ୍ରଥମଥର ଲାଗି କୌଣସି ଷ୍ଟେଜ୍ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି ଏହି ବିଶ୍ୱ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏ ଆର୍ ରେହମାନ୍ ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ ବିଶ୍ୱକପ ହକି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଡ଼ିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି । ଏହି ବିଶ୍ୱକପ ପ୍ରତିଯୋଗିତାରେ ୧୬ଟି ଦେଶ ଅଂଶଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.